ବିଧାନସଭାରେ ଆଉ ଢ଼ିଲା ମାରିବେନି ଶାସକ ଦଳ
ଭୁୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଜିତିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦଳର ଉତ୍ତମ ପ୍ରଦର୍ଶନ ଓ ଉତ୍ତର ଦାୟିତ୍ୱ ପାଳନ ପ୍ରତି କଠୋର ହୋଇଛନ୍ତି । ବିଧାନସଭାରେ ଦଳୀୟ ବିଧାୟକଙ୍କ ଉପସ୍ଥିତି, ନବାଗତ ବିଧାୟକଙ୍କ ଶ୍ରେଷ୍ଠତା ପ୍ରତିପାଦନକୁ ମୁଖ୍ୟମନ୍ତ୍ରୀ କେବଳ ଗୁରୁତ୍ୱ ଦେଇନାହାନ୍ତି ବରଂ ଏହାର କଡ଼ାଗଣ୍ଡା ହିସାବ ନିଜେ ଦେଖିବେ ବୋଲି କହିଛନ୍ତି ।
ଆଜି ବିଧାନସଭା ଆରମ୍ଭର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ବସିଥିଲା । ପାଟକୁରା ଏବଂ ବିଜେପୁର ଉପନିର୍ବାଚନ ଫଳାଫଳ ବିଜେଡ଼ି ଉପରେ ଲୋକଙ୍କ ଅତୁଟ ବିଶ୍ୱାସକୁ ମନେ ପକାଇ ଦେଇଛି । ଏଥିପାଇଁ ଆମ ସମସ୍ତଙ୍କୁ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ହୋଇ ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ରୋକଠୋକ ଶୁଣାଇ ଦେଇଛନ୍ତି ।
ଭାଷଣ ଛଳରେ ଦଳୀୟ ବିଧାୟକମାନଙ୍କ ପାଇଁ ଶୃଙ୍ଖଳା ଓ କାର୍ଯ୍ୟନିଷ୍ଠର ନିର୍ଦ୍ଦେଶାନାମା ଜାରି କରିଥିଲେ ମୁଖ୍ୟମନ୍ତ୍ରୀ । ବିଧାୟକମାନେ ସମୟାନୁବର୍ତ୍ତିତା ଏବଂ ନିଷ୍ଠାପର ସହକାରେ ବିଧାନସଭାରେ ଉପସ୍ଥିତ ରହି କାର୍ଯ୍ୟ କରିବେ । ଦୁଇ ଦିନରୁ ଅଧିକ ଦିନ ଛୁଟିରେ ରହିଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଗୃହରେ ବିଧାୟକଙ୍କ ଶତ ପ୍ରତିଶତ ଉପସ୍ଥାନକୁ ନିଜେ ତଦାରଖ କରିବେ ମୁଖ୍ୟମନ୍ତ୍ରୀ । ଗୃହରେ ବିଭିନ୍ନ ଆଲୋଚନାରେ ବିଧାୟକମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ବିଧାନସଭା ଆସିଥିବା ବିଧାୟକଙ୍କ କାର୍ଯ୍ୟଶୈଳୀ କୁ ମୁଖ୍ୟମନ୍ତ୍ରୀ ନିଜେ ଦେଖିବେ । ଗୃହରେ ବିଧାୟକଙ୍କ ଉପସ୍ଥାନ ତଦାରଖ ସହ ଆନୁସଙ୍ଗିକ ତଥ୍ୟ ଓ କାଗଜପତ୍ର ସହ ଆଲୋଚନାରେ ଭାଗ ନେବା ପାଇଁ ଦଳ ପକ୍ଷରୁ ଟେକନୋଲୋଜିର ବ୍ୟବହାର କରାଯିବ ।
ଖାଲି ସେତିକି ନୁହେଁ, ଗୃହରେ ଦଳୀୟ ବିଧାୟକଙ୍କ ଉପସ୍ଥାନ ରିପୋର୍ଟ ମୁଖ୍ୟମନ୍ତ୍ରୀ ସବୁଦିନ ଦେଖିବେ । ପ୍ରତିଦିନ ୧୧.୩୦ ସୁଦ୍ଧା ଉପସ୍ଥାନ ରିପୋର୍ଟକୁ ସରକାରୀ ଦଳର ମୁଖ୍ୟ ସଚେତକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ସାଂସଦମାନଙ୍କ ଭଳି ବିଧାୟକମାନେ ମଧ୍ୟ ଦୁଇମାସରେ ଥରେ ସେମାନଙ୍କର ଆକ୍ଟିଭିଟି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଉକ୍ତ ରିପୋର୍ଟିଂ ଫର୍ମାଟ୍ ପ୍ରସ୍ତୁତ ପାଇଁ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଶ୍ରୀମତୀ ଉଷା ଦେବୀ, ଅମର ପ୍ରସାଦ ଶତପଥୀ ଏବଂ କିଶୋର ମହାନ୍ତିଙ୍କୁ ସଦସ୍ୟ କରାଯାଇଛି । ୧୦ ଦିନ ମଧ୍ୟରେ କମିଟି ତାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ।
ଚଳିତ ସପ୍ଲିମେଣ୍ଟାରୀ ବଜେଟ୍ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତ୍ୱ ଦେଇଥିଲେ । ବିରୋଧୀଦଳଙ୍କ ଗଠନମୂଳକ ସମାଲୋଚନାକୁ ଉତ୍ସାହିତ କରିବା ପାଇଁ ଦଳର ବିଧାୟକମାନଙ୍କୁ ସେ ପରାମର୍ଶ ଦେଇଥିବା ବେଳେ ଗୃହରେ ଯେ କୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।