୮,୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍
ଭୁୁବନେଶ୍ୱର: ‘ମୋ ସରକାର’ ପାଇଁ ଅର୍ଥର ଅଭାବ ରହିଲାନି । କାର୍ଯ୍ୟକ୍ରମ ରୂପାୟନ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍ ଆକଳନ କରିଛନ୍ତି । ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପିତ କରିଛନ୍ତି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗ ନେଇ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହରେ ଏହା ଆଗତ ହୋଇଛି । ‘ମୋ ସରକାର’, ପୁରୀ ନବକଳେବର, ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉନ୍ନୟନ ଆଦି ବାବଦରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ବରାଦ କରାଯାଇଛି । ଗ୍ରାମାଞ୍ଚଳ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ଅତିରିକ୍ତ ବଜେଟ୍ ରେ କେବଳ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୭,୪୩୨ କୋଟି ୮୦ ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ୨୬୭ କୋଟି ୨୩ ଲକ୍ଷ ଟଙ୍କା ରହିଥିବା ବେଳେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬ କୋଟି ୫୨ ଲକ୍ଷ ଏବଂ ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ବାବଦକୁ ୪୧୯ କୋଟି ୭୮ ଲକ୍ଷ ଟଙ୍କାର ବ୍ୟୟବରାଦ ରହିଛି ।
ଅତିରିକ୍ତ ବଜେଟ୍ ବାବଦ ଏହି ଖର୍ଚ୍ଚ କେଉଁ ସୂତ୍ରରୁ ଭରଣା କରାଯିବ ତାହାର ହିସାବ ଦେଇଛନ୍ତି ସରକାର । ସହବନ୍ଧିତ(ଟାଇଡ ଅପ୍) ସମ୍ବଳ ସୂତ୍ରରୁ ୨ ହଜାର ୯୮୧ କୋଟି ୮୮ ଲକ୍ଷ ଟଙ୍କା, ଅଣବନ୍ଧିତ(ଅନଟାଇଡ୍) ସମ୍ବଳରୁ ୧ ହଜାର କୋଟି ଟଙ୍କା ଏବଂ ବିଭିନ୍ନ ବିଭାଗ ଦ୍ୱାରା ସରେଣ୍ଡର୍ ଅର୍ଥ ବାବଦରେ ୪ ହଜାର ୧୪୪ କୋଟି ୫୦ ଲକ୍ଷ ଟଙ୍କା ଆଦାୟ ହେବ ।
ଅତିରିକ୍ତ ବଜେଟ୍ ମୁଖ୍ୟାଂଶ
– କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ୪୦ ଲକ୍ଷ ଟଙ୍କା
– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ବୀମା ପ୍ରିମିୟମ ଦେୟ ପାଇଁ ୧୯୦ କୋଟି
– ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧ କୋଟି ୫୬ ଲକ୍ଷ
– ଅବହେଳିତ ଜାତିର କଲ୍ୟାଣ ପାଇଁ ୫୦୦ କୋଟି ୫୬ ଲକ୍ଷ
– ଜନସ୍ୱାସ୍ଥ୍ୟ ସେବା ପାଇଁ ୪୫୯ କୋଟି
– ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପାଇଁ ୩୭୦ କୋଟି
– ମହିଳା ଓ ଶିଶୁ ବିକାଶ ସଶକ୍ତିକରଣ ପାଇଁ ୨୬୦ କୋଟି ୯୦ ଲକ୍ଷ
– ଅତିରିକ୍ତ ପୃଷ୍ଟି କାର୍ଯ୍ୟକ୍ରମ ‘ପୋଶାନ୍’ ନିମିତ୍ତ ୧୯୦ କୋଟି ୨୮ ଲକ୍ଷ
– ଅନୁସୂଚିତ ଜନଜାତି ଓ ଜାତି ପାଇଁ ୧୧୪ କୋଟି ୭୦ ଲକ୍ଷ
– ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୧୦୭୩ କୋଟି ୩ ଲକ୍ଷ
– ସମଗ୍ର ଶିକ୍ଷା ପାଇଁ ୭୯୯ କୋଟି ୨୭ ଲକ୍ଷ
– ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮ କୋଟି ୫୫ ଲକ୍ଷ
– ପିଏମଏୱାଇ ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନା ଅନ୍ତର୍ଗତ ଗ୍ରାମ୍ୟ ଗୃହ ନିର୍ମାଣ ପାଇଁ ୨୫୧ କୋଟି ୬୭ ଲକ୍ଷ
– ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬ କୋଟି ୮୩ ଲକ୍ଷ
– ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ର ପାଇଁ ୨୬୨୩ କୋଟି ୩୫ ଲକ୍ଷ
– ରାସ୍ତା ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୩୦ କୋଟି
– ପୁରୀରେ ମୌଳିକ ସୁବିଧା, ଐତିହ୍ୟ ଓ ସ୍ଥାପତ୍ୟର ଉନ୍ନୟନ ପାଇଁ ଜମି ଅଧିଗ୍ରହଣ ନିମିତ୍ତ ୭୩୦ କୋଟି
ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ସାଧାରଣ ବଜେଟ୍ ରେ ୧ଲକ୍ଷ ୩୯ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଏବଂ ଅର୍ଥ ସଚିବ ଅଶୋକ କୁମାର ମୀନା ଅତିରିକ୍ତ ବଜେଟ୍ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରଖିଥିଲେ । ଏକ ପ୍ରଶ୍ନରେ ଅର୍ଥ ସଚିବ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମୋଟ ଋଣ ପରିମାଣ ହେଉଛି ୮୩,୩୦୭ କୋଟି ଟଙ୍କା । କେବଳ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ସରକାର ଖୋଲା ବଜାରରୁ ୩,୫୦୦ କୋଟି ଟଙ୍କା ଋଣ ଉଠାଇଛନ୍ତି ।