ଭୁବନେଶ୍ୱର: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଂଗଠନିକ ଦାୟିତ୍ୱ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଉପରେ ନ୍ୟସ୍ତ କରିଛନ୍ତି । ଆଜି ତାଙ୍କୁ ବିଜେଡ଼ିର ସାଧାରଣ ସମ୍ପାଦକ(ସଂଗଠନ) ପଦରେ ନିଯୁକ୍ତି ଦିଆଯାଇଛି । ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ । ତାଙ୍କୁ ବିଜେଡ଼ି ସାଧାରଣ ସମ୍ପାଦକ( ମୁଖ୍ୟାଳୟ) ପଦରେ ନିଯୁକ୍ତି ଦିଆଯାଇଛି । ଦଳରେ ପ୍ରଥମ ଥର ପାଇଁ ଏଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀ ସୃଷ୍ଟି କରାଯାଇଛି ।
ଅନ୍ୟପକ୍ଷରେ, ଦଳର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବିଜେଡ଼ିର ରାଜ୍ୟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଦଳର ଆଗାମୀ ସାଂଗଠନିକ ନିର୍ବାଚନ ସେ ପରିଚାଳନା କରିବେ ।
ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସ ମୁଖ୍ୟମନ୍ତ୍ରୀଙ୍କର ଜଣେ ସଚ୍ଚା ଅନୁଗତ ଓ ବିଚକ୍ଷଣ ସଂଗଠକ ଏହା ପ୍ରମାଣିତ କରିଛନ୍ତି । ସାରା ରାଜ୍ୟରେ ବିଜେଡ଼ି ସଂଗଠନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପଛରେ ତାଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବେଶ୍ ପ୍ରଶଂସନୀୟ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିବାରେ ତାଙ୍କର ଗୋଟିଚାଳନା ଦଳ ପାଇଁ ବହୁ ସଫଳତା ଆଣିଛି । ଗତ ସାଧାରଣ ନିର୍ବାଚନ ସମୟରେ ଏହାର ଯଥେଷ୍ଟ ଉଦାହରଣ ଦେଖିବାକୁ ମିଳିଥିଲା ।
ସ୍ୱର୍ଗତ ବିଜୁ ବାବୁଙ୍କ ଏକାନ୍ତ ସହଯୋଗୀ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପୁଅ ହେଉଛନ୍ତି ବବି । ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଯାଜପୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ବିଧାୟକ ହେବା ପରେ ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ଅତ୍ୟନ୍ତ ଦକ୍ଷତାର ସହ ସେ ସେହି ଦାୟିତ୍ୱକୁ ନିର୍ବାହ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଥର ଯାଜପୁରରୁ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିବା ବବି ସ୍ୱଇଚ୍ଛାରେ ମନ୍ତ୍ରୀ ପଦ ଗ୍ରହଣ ନ କରି ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବାକୁ ଆଗ୍ରହୀ ହୋଇଥିବା ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଦଳୀୟ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମରେ ସେ ବେଶ୍ ସକ୍ରିୟ ଅଛନ୍ତି ।
ସେହିଭଳି ସଞ୍ଜୟ ଦାସବର୍ମା ମଧ୍ୟ ଜଣେ ବିଚକ୍ଷଣ ସଂଗଠକ ଭାବେ ଜଣାଶୁଣା । ମନ୍ତ୍ରୀ ଦାୟିତ୍ୱଠାରୁ ସଂଗଠନ ଦାୟିତ୍ୱ ପର୍ଯ୍ୟନ୍ତ ସବୁଥିରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଜେଡ଼ି ଯୁବ ସଂଗଠନକୁ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସେ ଅତ୍ୟନ୍ତ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ବ୍ରହ୍ମଗିରି ଆସନରୁ ସେ ପରାଜିତ ହୋଇଥିଲେ ମଧ୍ୟ ତାଙ୍କୁ ବିଜେଡ଼ିରେ ଗୁରୁଦାୟିତ୍ୱ ଦେଇଛନ୍ତି ।
ବିଜେଡ଼ି ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ପାଇଥିବା ପ୍ରତାପ କେଶରୀ ଦେବ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଆଳିରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏଥରକୁ ମିଶାଇ ଚାରି ଥର ବିଧାୟକ ହେଲେଣି । ୨୦୦୯ ସରକାରରେ ସେ ଖାଦ୍ୟ ଓ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ।