ଭୁୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ଗୁଳି କରି ହତ୍ୟା କରିଛି । ଏହି ସତ୍ୟ ଗିଳିବାକୁ ବିକୃତ ଉଦ୍ୟମ ହେବା ନୂଆ ନୁହେଁ । ମାତ୍ର ଗାନ୍ଧୀ ହତ୍ୟାର ଇତିହାସ ବଦଳାଇବାକୁ ଚାଲିଥିବା ଚକ୍ରାନ୍ତରେ ଆମ ରାଜ୍ୟ ସରକାର ସାମିଲ ହୋଇଗଲେ କି? ଆକସ୍ମିକ ଘଟଣାକ୍ରମରେ ଗାନ୍ଧୀଙ୍କର ମୃତ୍ୟୁ ହୋଇଥିବା ଦର୍ଶାଗଲା କାହିଁକି? ଏଭଳି ଏକ ଗର୍ହିତ ଓ ଲଜ୍ଜାକର ପ୍ରଶ୍ନର ଉତ୍ତର ଆଜି ବିଧାନସଭାରେ ଖୋଜିବାକୁ ପଡ଼ିଛି । ଆହୁରି ଗମ୍ଭୀର କଥା ହେଲା, ବିଧାନସଭାରେ ରାଜ୍ୟ ସରକାରଙ୍କର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଗାନ୍ଧୀଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ପରୋକ୍ଷରେ ଅମର୍ଯ୍ୟାଦା କରିବାକୁ ସାହାସ କରିନାହାନ୍ତି । ମନ୍ତ୍ରୀଙ୍କର ନିର୍ବୋଧତା ହେଉ କି ଆତ୍ମବିଶ୍ୱାସର ଅଭାବ ହେଉ, ସିଧାସଳଖ ଜବାବ ଦେଇପାରିନାହାନ୍ତି । ଓଲଟି ନିଜ ଉପରୁ ଦାୟିତ୍ୱ ଝାଡ଼ି ଦେଇଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ସ୍କୁଲକୁ ‘ଆମ ବାପୁଜୀ:ଏକ ଝଲକ’ ଶୀର୍ଷକରେ ଏକ ପ୍ରଚାରପତ୍ର ପଠାଯାଇଛି । ସେଥିରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯେ ୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀ ବିରଜା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧୀଜୀଙ୍କର ଦେହାବସାନ ହୋଇଥିଲା । ଏହି ବାକ୍ୟଟି ଲେଖିଥିବା ଏବଂ ତାକୁ ଚୂଡ଼ାନ୍ତ କରିଥିବା ବାବୁମାନଙ୍କର ବ୍ୟାକରଣଜନିତ ଅଜ୍ଞତା ଅଛି ନା ଅନ୍ୟ କେଉଁ ରହସ୍ୟ ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନି । ଗଣମାଧ୍ୟମ ଏହାକୁ ଲୋକଲୋଚନକୁ ଆଣିବା ପରେ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏଯାଏଁ ସରକାରଙ୍କ ଜବାବ ଆସିନି ।
ଆଜି ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ରାଜସ୍ୱ ବିଭାଗର ପ୍ରଶ୍ନୋତ୍ତର ବେଳେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର ପଚାରିଥିଲେ, ରାଜ୍ୟ ସରକାର ନାଥୁରାମ ଗଡ଼ସେଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ଦେବେ କି? କାରଣ ଓଡ଼ିଶା ସରକାରଙ୍କ ବହିରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ନୁହେଁ, ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଉଲ୍ଲେଖ କରାଯାଇଛି । ତାମାନେ କ’ଣ ଓଡ଼ିଶା ସରକାର ସ୍ୱୀକାର କରିସାରିଲେଣି ଯେ ଗାନ୍ଧୀଙ୍କୁ ହତ୍ୟା କରାଯାଇନି?
ମନ୍ତ୍ରୀ ମାରାଣ୍ଡି ଜବାବ ଦେଇଥିଲେ, ପ୍ରଶ୍ନଟି ମୋ ବିଭାଗ ସମ୍ପର୍କିତ ନୁହେଁ । ସଂସ୍କୃତି ବିଭାଗର ମନ୍ତ୍ରୀ ଉତ୍ତର ଦେଇପାରିବେ ପ୍ରତିମୂର୍ତ୍ତି ହେବ କି ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କର ଏହି ଉତ୍ତର ସମସ୍ତଙ୍କୁ ଚକିତ କଲା ଭଳି ନିଶ୍ଚୟ । ଗାନ୍ଧୀ ହତ୍ୟାକାରୀର ପ୍ରତିମୂର୍ତ୍ତି ସ୍ଥାପନ ପ୍ରଶ୍ନ ଆସିଲା କେଉଁଠୁ ବୋଲି ରୋକଠୋକ ପଦୁଟିଏ କହିବାକୁ ମନ୍ତ୍ରୀ ସାହାସ କରିନାହାନ୍ତି । ମନ୍ତ୍ରୀଙ୍କର ଏହା ନିର୍ବୋଧତା ନା ଅସହାୟତା ତାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ପ୍ରତିମୂର୍ତ୍ତି ସ୍ଥାପନ ବିଭାଗର ମନ୍ତ୍ରୀ ନୁହଁନ୍ତି ବୋଲି ନାଥୁରାମ ଗଡ଼ସେ ଜଣେ ମହାପୁରୁଷ ନା ରାକ୍ଷସ ସେହି ବିଚାର କ’ଣ ମନ୍ତ୍ରୀଙ୍କର ନାହିଁ? ସ୍କୁଲରେ ବାପୁଙ୍କ ବିଷୟରେ ସେ କ’ଣ ପାଠ ପଢ଼ିନାହାନ୍ତି? ଜଣାଶୁଣା ହତ୍ୟାକାରୀକୁ ହତ୍ୟାକାରୀ କହିବା ପାଇଁ ମନ୍ତ୍ରୀଙ୍କୁ କ’ଣ ସରକାରୀ ଅନୁମୋଦନର ଆବଶ୍ୟକତା ପଡୁଛି?







