ସୁରଟ: ସୁରଟର ରାଜୱାଡଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଝୁମିଛନ୍ତି ଲକ୍ଷାଧିକ ଓଡ଼ିଆ । ଆଜି ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଗତରେ ଫାଟି ପଡ଼ିଥିଲା ଅଞ୍ଚଳ । ଏହି ଅବସରରେ ସୁରଟ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅନେକ ଗୁଡ଼ାଏ ପ୍ୟାକେଜ୍ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ସୁରଟରେ ଓଡ଼ିଆ ପିଲାଙ୍କ ପାଇଁ ଯୁକ୍ତ ଦୁଇ କଲେଜ ଖୁବ୍ ଶୀଘ୍ର ଖୋଲାଯିବ । ସୁରଟରେ ରହି ଓଡ଼ିଆ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେବା ବିଷୟରେ ପଦକ୍ଷେପ ନିଆଯିବ । ସୁରଟରେ ଓଡ଼ିଆ ପିଲାଙ୍କ ପାଇଁ ଓଡ଼ିଶା ସରକାର ଟେକ୍ସ ବୁକ୍ ଯୋଗାଇଦେବେ । ସୁରଟରେ ପ୍ରସ୍ତାବିତ ଓଡ଼ିଆ କଲଚରାଲ୍ ସେଣ୍ଟର ପାଇଁ ୧୦ କୋଟି ଟଙ୍କା ଦିଆଯିବ । ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ଦେଶର ସବୁ ଅଞ୍ଚଳରେ ରହୁଥିବା ସବୁ ଓଡ଼ିଆଙ୍କ ପାଖରେ ପହଞ୍ଚିବ । ସୁରଟରେ ରହୁଥିବା ଓଡ଼ିଆମାନେ ଏହି ଯୋଜନାର ସୁବିଧା ପାଇବେ । ବୟନ ଓ ହସ୍ତତନ୍ତ ଉତ୍ପାଦ ଉପରୁ ଜିଏସଟି କମ କରିବା ପାଇଁ ଉଦ୍ୟମ ଜାରି ରହିବ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିଥିଲେ । କହିଥିଲେ, ବାପୁଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ଜନ୍ମଭୂମିକୁ ଆସି ମୁଁ ବହୁତ ଖୁସି । ବାପୁଜୀ ଥିଲେ ଅହିଂସାର ପୂଜାରୀ । ବାପୁଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେଲେ ତାହା ହେବ ବାପୁଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ମୁଖ୍ୟମନ୍ତ୍ରୀ କହିଥିଲେ, ଅହିଂସା ସହିତ ଶାନ୍ତି ଏବଂ ଶାନ୍ତି ସହିତ ବିକାଶର ସମ୍ପର୍କ ରହିଛି । ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆଙ୍କ ଦକ୍ଷତା ଆଜି ଓଡ଼ିଶାର ପରିଚୟ ହୋଇଛି । କଳା, ସଂସ୍କୃତି ସହିତ ଦକ୍ଷ ମାନବ ସମ୍ବଳ ଆଜି ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆଙ୍କ ଭଲପଣ ଆଜି ଓଡ଼ିଶାର ପରିଚୟ ହୋଇଛି । ଓଡ଼ିଆ ଜାତି ଆଜି ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି । ଓଡ଼ିଶାର ବିକାଶରେ ଓ ଗୌରବରେ ସବୁ ଓଡ଼ିଶାବାସୀଙ୍କ ଅବଦାନ ରହିଛି । ଓଡ଼ିଶା ଓ ଗୁଜୁରାଟ ଏହି ଦୁଇ ରାଜ୍ୟର ବିକାଶରେ ସୁରଟରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କ ଅବଦାନ ରହିଛି ।
ନଭେମ୍ବରରେ ହୋଇଥିବା ମେକ୍ ଇନ ଓଡ଼ିଶା ପୁଞ୍ଜି ବିନିଯୋଗ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଏହି ପୁଞ୍ଜି ବିନିଯୋଗ ଦ୍ୱାରା ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତୁ, ସମସ୍ତେ ମିଶି ଓଡ଼ିଶା ମା’ର ଗୌରବ ବୃଦ୍ଧି ପାଇଁ ଏହିପରି କାମ କରି ଚାଲିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉତ୍ସବରେ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ । ମନ୍ତ୍ରୀ ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ସୂର୍ଯ୍ୟନାରାୟଣ ପାତ୍ର, ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ କିଛି ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ ।