ଭୁୁବନେଶ୍ୱର: ରାଜ୍ୟର ୧୭ତମ ଜିଲ୍ଲା ଭାବେ ଆଜି ଜଗତସିଂହପୁର ଡେଇଁଛି କରୋନା । ନାଉଗାଁ ବ୍ଲକ୍ ର ଗୋଟିଏ ପରିବାରର ୩ ଜଣଙ୍କ ସମେତ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କର ବୟସ ଯଥାକ୍ରମେ ୨୬, ୩୨, ୩୦ ଏବଂ ୪୭ ବର୍ଷ । ବଡ଼କଥା ହେଲା ଏମାନେ ସମସ୍ତେ ସୁରତ ଫେରନ୍ତା । ସୁରତରୁ ଫେରିବାରେ ପରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ । ଆଜି ସାମ୍ପଲ୍ ଟେଷ୍ଟରେ ଏମାନେ ପଜିଟିଭ୍ ବାହାରିଛନ୍ତି ।
ଏମାନଙ୍କ ସହ କୋଲକତା ଫେରନ୍ତା କେନ୍ଦ୍ରାପଡ଼ାର ଜଣେ ୬୦ ବର୍ଷ ବୟସର ବ୍ୟକ୍ତି ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାର ଆଜିର ଚତୁର୍ଥ ପର୍ଯ୍ୟାୟ ହେଲଥ୍ ଅପଡେଟ୍ ରେ ଏହି ସୂଚନା ଦେଇଛନ୍ତି ।
ଏହାପୂର୍ବରୁ ତିନିଟି ପର୍ଯ୍ୟାୟରେ ଆଜିର ଅନ୍ୟ ୪ ପଜିଟିଭ୍ ଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଗଞ୍ଜାମରୁ ୧, ବାଲେଶ୍ୱରରୁ ୧ ଏବଂ ଯାଜପୁରରୁ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗଞ୍ଜାମରୁ ଆକ୍ରାନ୍ତ ୧୮ ବର୍ଷୀୟ ଯୁବକ ସୁରତରୁ ଫେରିଥିବା ବେଳେ ବାଲେଶ୍ୱରର ୪୮ ବର୍ଷୀୟ ଏବଂ ଯାଜପୁରର ୬୫ ଏବଂ ୫୭ ବର୍ଷର ଆକ୍ରାନ୍ତ ବ୍ୟକ୍ତିଦ୍ୱୟ କୋଲକତାରୁ ଫେରିଛନ୍ତି । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ରେ ଥିଲେ ।
ଏହିଭଳି ଭାବେ ସଂଧ୍ୟା ସୁଦ୍ଧା ଆଜି ୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ କୁ ବୃଦ୍ଧି ପାଇଛି । ଦୁଇଜଣ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି ଏବଂ ୬୧ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୨୨ ।