ଭୁବନେଶ୍ୱର: ସୁରଟ୍ ରେ ଗୋତି ଖଟୁଥିବା ଓଡ଼ିଆ ଶ୍ରମିକ ଲକ୍ ଡାଉନ୍ ଯୋଗୁଁ ଏବେ ବେସାହାରା । ପେଟର ଭୋକ ସହି ନ ପାରି ଦୁଇ ଦୁଇ ଥର ରାସ୍ତାକୁ ଓହ୍ଲାଇଲେଣି । ସେମାନଙ୍କ ଏହି ଜଟିଳ ଦୁର୍ଗତି ପଛରେ ରୋଚକ କାହାଣୀ ଥିଲେ ମଧ୍ୟ ସହାନୁଭୂତି ନାଁରେ ରାଜନୈତିକ ପଶାଖେଳ ଚର୍ଚ୍ଚାକୁ ଆସିଛି । ସୁରତ ଓଡ଼ିଆ ଶ୍ରମିକଙ୍କୁ ସାହାଯ୍ୟ କରିବାର ଶ୍ରେୟ ନେବାକୁ ଦଳ-ଦଳ ଏବଂ ନେତା-ନେତାଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । କରୋନା ମହାମାରୀ ଏବଂ ଲକ୍ ଡାଉନ୍ ସଙ୍କଟ ବେଳେ ଏଭଳି ଲଜ୍ଜାଜନକ ଚିତ୍ର ସାମନାକୁ ଆସୁଛି ।
ଗୁଜୁରାଟର କେବଳ ସୁରତ ସହରରେ ପ୍ରାୟ ୮ ଲକ୍ଷ ଓଡ଼ିଆ ଶ୍ରମିକ ବିଭିନ୍ନ ଟେକ୍ସଟାଇଲ୍ ମିଲ୍ ରେ କାମ କରୁଛନ୍ତି । କରୋନା ପାଇଁ ପ୍ରଧାନମନ୍ତ୍ରୀ ଲକ୍ ଡାଉନ୍ ଘୋଷଣା କଲା ପରେ ମିଲ୍ ବନ୍ଦ ହୋଇଯିବାରୁ ଶ୍ରମିକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ସେମାନଙ୍କ ରହିବା, ଖାଇବା ଆଦି ବୁଝାସୁଝା ପାଇଁ ମାର୍ଚ୍ଚ ୩୦ ତାରିଖରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ତଥା ବିଜେଡ଼ିର ‘ଓଡ଼ିଶା ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକଙ୍କୁ ଓଡ଼ିଶା ସରକାର ଗୁଜୁରାଟ୍ ପଠାଇବାକୁ ସ୍ଥିର କଲେ । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଗୁଜୁରାଟ ସରକାରଙ୍କୁ ଚିଠି ଲେଖି ଅରୂପଙ୍କ ଗୁଜୁରାଟ ଯାତ୍ରା ପାଇଁ ଅନୁମତି ଏବଂ ପୁଲିସ ଏସକର୍ଟ ମାଗିଥିଲେ । ଶ୍ରୀ ପଟ୍ଟନାୟକ ମୁମ୍ବାଇରୁ ଗୁଜୁରାଟ୍ ଆସିଥାନ୍ତେ । କାରଣ ଲକ୍ ଡାଉନ୍ ଯୋଗୁଁ ସେ ନିଜେ ମୁମ୍ବାଇରେ ଫସିଛନ୍ତି ।
ତେବେ କୌଣସି କାରଣରୁ ଅରୂପ ପଟ୍ଟନାୟକଙ୍କୁ ଗୁଜୁରାଟ ଆସିବା ପାଇଁ ସେଠିକା ସରକାର ଅନୁମତି ଦେଲେ ନାହିଁ । ଏହା ପଛରେ କିଛି ଗୋଟାଏ ବଡ ଗେମ୍ ହୋଇଥିବା କିଛି ଲୋକ ଚର୍ଚ୍ଚା କରୁଛନ୍ତି ।
ଇତିମଧ୍ୟରେ ସୁରତ୍ ରେ ଓଡ଼ିଆ ଶ୍ରମିକମାନେ ଭୋକ ଦାଉରେ ରାସ୍ତାକୁ ଓହ୍ଲାଇଲେ । ସେଠି ଭୋକରେ ମରିବା ଅପେକ୍ଷା ଲକ୍ ଡାଉନ୍ ନିୟମ ଭାଙ୍ଗି ନିଜ ଘରକୁ ଫେରି ଆସିବାକୁ ଜିଦ୍ କଲେ । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମସ୍ୟାର ସମାଧାନ ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହଯୋଗ ନେଲେ । ଓଡ଼ିଆ ଶ୍ରମିକଙ୍କର ରହିବା, ଖାଇବାରେ ଅସୁବିଧା ହେବ ନାହିଁ ବୋଲି ରୂପାନୀଙ୍କଠାରୁ ପ୍ରତିଶ୍ରୁତି ବି ପାଇଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ମଧ୍ୟ ରୂପାନୀଙ୍କ ସହ କଥା ହୋଇ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରି ଯାହା ଖର୍ଚ୍ଚ ହେବ ତୁରନ୍ତ ଦିଆଯିବ ବୋଲି ଜଣାଇଥିଲେ ।
ତେବେ ଏତିକିବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏକ ବାଣ ମାରିଛନ୍ତି । ସୁରତ ପ୍ରବାସୀ ଓଡ଼ିଆଙ୍କ ଦୁର୍ଦ୍ଦଶାକୁ ନେଇ ଉଭୟ ଓଡ଼ିଶା ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଟ୍ୱିଟ୍ କରିଛନ୍ତି । ଓଡ଼ିଶା ସରକାରଙ୍କ ପକ୍ଷରୁ ଗୁଜୁରାଟ୍ ପଠାଯାଇଥିବା ଅରୂପ ପଟ୍ଟନାୟକଙ୍କୁ ଜଣେ ବାହାର ବ୍ୟକ୍ତି ଦର୍ଶାଇ କଟାକ୍ଷ କରିବା ସହ ସୁରତ୍ ରେ ସେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସୁରତରେ ଭୋଟ୍ ପାଇଁ କହୁଥିବା ନେତାମାନେ ଏବେ ସେମାନଙ୍କ ଗୁଳି ସାଜିଛନ୍ତି ବୋଲି ମଧ୍ୟ ତାଛଲ୍ୟ କରିଛନ୍ତି ।
ବିଜୟ ମହାପାତ୍ରଙ୍କ ଏହି ଟ୍ୱିଟ୍ ପରେ ଏ ପର୍ଯ୍ୟନ୍ତ ଚୁପ୍ ରହିଥିବା ଅରୂପ ପଟ୍ଟନାୟକ ବି ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ଦାୟିତ୍ୱ ଦେବା ପରେ ସୁରତ ଯାଇ ଓଡ଼ିଆ ଲୋକଙ୍କ ସମସ୍ୟା ବୁଝିବାକୁ ପ୍ରସ୍ତୁତ ଥିଲେ । ମାତ୍ର ଗୁଜୁରାଟ ସରକାର ଅନୁମତି ଦେଲେ ନାହିଁ । ଏହାପଛରେ କ’ଣ ରାଜନୈତିକ ଉଦେ୍ଦଶ୍ୟ ଅଛି ଓ କାହା ଚାପରେ ତାଙ୍କୁ ଗୁଜୁରାଟ ଯିବା ପାଇଁ ଅନୁମତି ମିଳିଲାନି ତାହା ଉପରେ ଅନୁଧ୍ୟାନ ହେବା ଦରକାର ବୋଲି ସେ କହିଛନ୍ତି ।
ମୁମ୍ବାଇରେ ଅଟକିଥିବାରୁ ସେ ମହାରାଷ୍ଟ୍ରରେ ଥିବା ଓଡ଼ିଆମାନଙ୍କ କଥା ବୁଝୁଛନ୍ତି । ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଯଥାବିଧି କାର୍ଯ୍ୟକ୍ରମ ଚାଲିଛି ଏବଂ ସେବୁର ତଦାରଖ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଜବାବ ଦେଇଛନ୍ତି ।
ଏପଟେ ସୁରତରେ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦକ୍ଷେପକୁ ସୋସିଆଲ୍ ମିଡ଼ିଆରେ ତାଙ୍କ ସମର୍ଥକମାନେ ଜୋରଦାର ପ୍ରଚାର କରିବା ଏବଂ ଟ୍ୱିଟ୍ ରେ ବିଜୟ ମହାପାତ୍ରଙ୍କ ତେର୍ଚ୍ଛାବାଣ ଚର୍ଚ୍ଚାରେ ଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସାମନାକୁ ଆସିଛନ୍ତି । ତାଙ୍କର ତ୍ୱରିତ୍ ହସ୍ତକ୍ଷେପ ଯୋଗୁଁ ସୁରତରେ ୩୫୦ ପ୍ରବାସୀ ଓଡ଼ିଆଙ୍କୁ ରାସନ୍ ଦିଆଯାଇପାରିଛି ବୋଲି ବୈଜୟନ୍ତଙ୍କ ଅଫିସ୍ ଭିଡ଼ିଓ ସହ ଟ୍ୱିଟ୍ କରିଛି । ସୁତରାଂ ସୁରତରୁ ଶ୍ରେୟ ନେବାକୁ ବୈଜୟନ୍ତ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।
କରୋନା ଯୁଦ୍ଧ ଏବଂ ଲକ୍ ଡାଉନ୍ ସଙ୍କଟବେଳେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଦ୍ଦଶାରେ ଛିଡା ହେବାର ଶ୍ରେୟ ପାଇଁ ଏଭଳି ପ୍ରତିଯୋଗିତା, ବୟାନବାଜି ଆଦୌ ଗୁରୁତ୍ୱ ରଖୁ ନ ଥିଲେ ମଧ୍ୟ କିଛି ଲୋକଙ୍କ ଲକ୍ ଡାଉନ୍ ଅବସର ସମୟକୁ ମନୋରଂଜନ ଦେଉଛି । ତେବେ ସୁରତ୍ ରେ ଓଡ଼ିଶା ପ୍ରବାସୀ ଶ୍ରମିକଙ୍କ ବାସ୍ତବ ସ୍ଥିତି କେତେ ଯେ ଭୟଙ୍କର ତାହା ଆମ ସରକାର ଓ ନେତା କାହାରିକୁ ଅଜଣା ନାହିଁ ।
ବାସ୍ତବ ଚିତ୍ର ହେଉଛି, ସୁରତର ବିଭିନ୍ନ ଟେକ୍ସଟାଇଲ୍ ମିଲ୍ ରେ କାମ କରୁଥିବା ପ୍ରାୟ ୮ ଲକ୍ଷ ଓଡ଼ିଆ ଶ୍ରମିକଙ୍କ ଖାତା ଖତିଆନ୍ ନାହିଁ । କାହାରି ଆଇଡି ନଥିବାରୁ ପରିଚୟ ଜାଣିବା ସମ୍ଭବ ନୁହେଁ । ପ୍ରକୃତରେ ସେମାନେ ବଣ୍ଡେଡ଼୍ ଲେବର୍ ବା ଗୋତି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ମାସକୁ ଅତିବେଶୀରେ ସେମାନଙ୍କର ରୋଜଗାର ୧୫ ହଜାର ଟଙ୍କା । ଏକ ନିର୍ଦ୍ଧିଷ୍ଟ ମିଲ୍ ରେ ସେମାନେ ସ୍ଥାୟୀ ଶ୍ରମିକ ନୁହଁନ୍ତି । ମିଲ୍ ମାଲିକଙ୍କ ମର୍ଜି ଉପରେ ସେମାନଙ୍କର ସ୍ଥାୟିତ୍ୱ ନିର୍ଭର କରିଥାଏ । ଶ୍ରମିକଙ୍କ ଆବଶ୍ୟକ ଡାଟା ନ ରହିବା ସେମାନଙ୍କର ସମସ୍ୟା ସମାଧାନର ଏକ ବଡ଼ ପ୍ରତିବନ୍ଧକ ବୋଲି ଏଡେ ଇଟ୍ ଆକ୍ସନ୍ ସଂସ୍ଥାର ନିର୍ଦ୍ଦେଶକ ଉନି ନାନିଏଲ୍ କହିଛନ୍ତି ।
ଲକ୍ ଡାଉନ୍ ବେଳେ ଓଡ଼ିଆ ଶ୍ରମିକମାନଙ୍କ ପାଇଁ ଏହା ବଡ଼ ସଙ୍କଟକୁ ଡାକି ଆଣିଛି । କମ୍ପାନୀ ତାଲିକାରେ ନାଁ କିମ୍ବା ନିଜର ପରିଚୟପତ୍ର (ଆଇଡ଼ି) ନ ଥିବାରୁ ସରକାରୀ ରିଲିଫ୍ ବ୍ୟବସ୍ଥାର ହକଦାର ହୋଇପାରୁନାହାନ୍ତି । ଯାହା ଖାଇବାକୁ ମିଳୁଛି ସରକାର କିମ୍ବା କୌଣସି ଏନଜିଓଙ୍କ ଦୟାରୁ । ଖରାଦିନେ ଦୁଇଓଳି ପଖାଳ ଖାଇବା ଲୋକଙ୍କୁ ରିଲିଫ୍ କ୍ୟାମ୍ପରେ ମିଳୁଛି ଖେଚୁଡ଼ି ନହେଲେ ଦୁଇପଟ ପୁରୀ, ତରକାରୀ । ସେଥିପାଇଁ କିଲୋମିଟର ଦୂରରୁ ଖରାରରେ ଚାଲି ଚାଲି ଆସିବାକୁ ପଡୁଛି । ଟୋକୋନ୍ ଧରି ଘଣ୍ଟା ଘଣ୍ଟା ଲମ୍ବା ଲାଇନ୍ ରେ ଛିଡ଼ା ହେବାକୁ ପଡୁଛି ବୋଲି ‘ଅଜିଭିକା’ ଶ୍ରମ ସଂଗଠନର ସଦସ୍ୟମାନେ କହିଛନ୍ତି ।