ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଜଣେ ମନ୍ତ୍ରୀଙ୍କ ମୁହଁରୁ ଏଭଳି ଅବାନ୍ତର ଯୁକ୍ତି ବୁଦ୍ଧୀଜୀବୀମହଲକୁ ମଧ୍ୟ ଆନ୍ଦୋଳିତ କରିଛି । ମନ୍ତ୍ରୀଙ୍କର ଏହା ଅଜ୍ଞାନତା ଓ ମୂର୍ଖତା ବୋଲି ଅନେକ କହୁଛନ୍ତି । ରାଜ୍ୟରେ ଆଞ୍ଚଳିକବାଦ ପୂରାଇ ଭାଗ ଭାଗ କରିବାକୁ ଏହା ଉଦ୍ୟମ ବୋଲି ସ୍ୱାଭାବିକ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୁଶାନ୍ତଙ୍କ ଏଭଳି ମନ୍ତବ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ବିବ୍ରତ କରିଛି । କେଉଁ ପରିସ୍ଥିତିରେ ସୁଶାନ୍ତ ଏଭଳି ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ଜବାବ ମାଗିଛନ୍ତି ।
ସୁଶାନ୍ତଙ୍କ ମନ୍ତବ୍ୟକୁ ନେଇ ବିଜେଡ଼ିମହଲରେ ତନାଘନା ଚାଲିଥିବା ବେଳେ ଦଳର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ସମାଲୋଚନା ଆଜି ସେହି ନିଆଁରେ ଘିଅ ଢ଼ାଳିଛି । ଡା. ରାଉତ କହିଛନ୍ତି, ସାଧାରଣଜ୍ଞାନ ନ ଥାଇ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ଜଣେ ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମ୍ବିଧାନସମ୍ମତ ହେବା ଦରକାର । ଆଉ ଦୁଇପାଦ ଆଗକୁ ଯାଇ ମନ୍ତ୍ରୀ ସୁଶାନ୍ତଙ୍କ ଅତୀତ ଗୁମର ଖୋଲିଛନ୍ତି ଦାମ । ପ୍ୟାରୀମୋହନ ମହାପାତ୍ରଙ୍କ ମିଡ଼ନାଇଟ୍ ଅପରେସନ୍ ରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ସୁଶାନ୍ତ ସ୍ୱସ୍ତି ପ୍ଲାଜା ହୋଟେଲରେ ଲୁଚିଥିଲେ । ସେ(ଦାମ) ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହି ତାଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ ବୋଲି ଦାମ କହିଛନ୍ତି ।
ଦାମଙ୍କ ମନ୍ତବ୍ୟକୁ ବିଜେଡ଼ିର ଅନେକ ନେତା ସମର୍ଥନ କରିଛନ୍ତି । ସୁଶାନ୍ତ ସିଂଙ୍କ ମନ୍ତବ୍ୟ ଦଳକୁ ଅଡୁଆରେ ପକାଇଛି ବୋଲି ସେମାନେ ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ହେଉଛି ‘ବନ୍ଦେ ଉତ୍କଳ ଜନନୀ’ । ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦାବି ବହୁ ପୂରୁଣା । ୧୯୯୪ ଡିସେମ୍ବର ୨୧ ତାରିଖରେ ବିଧାନସଭାରେ ପ୍ରଥମ ଥର ପାଇଁ ଏହି ସଙ୍ଗୀତ ଗାନ କରାଯାଇଥିଲା । ୨୦୦୨ ମସିହାରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା । ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସଙ୍ଗୀତଗାନର ଅବଧି ମଧ୍ୟ ସ୍ଥିର ହୋଇଥିଲା । ୨୦୦୬ ରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’ର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ତାହା ଏଯାଏଁ କାର୍ଯ୍ୟକାରୀ ନ ହୋଇ ଶୀତଳଭଣ୍ଡାରରେ ପଡ଼ିରହିଛି । ଏଭଳି ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ ଯୁକ୍ତି କରିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ରେ ଉତ୍କଳକୁ ବାଦ୍ ଦେଇ ଓଡ଼ିଶା କରାଯାଉ ।