ଭୁବନେଶ୍ୱର: ଆମ ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ଯୁବକ ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ରାତିରେ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
୨୦ ବର୍ଷର ଏହି ଯୁବକଙ୍କ ଘର ଭୁବନେଶ୍ୱରରେ । ଲଣ୍ଡନରୁ ଫେରିଲା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ଗତ ୧୯ ତାରିଖରେ ତାଙ୍କର ରକ୍ତ ଓ ସ୍ୱାବ୍ ଟେଷ୍ଟ ଆରଏମଆରସିରେ ହୋଇଥିଲା । କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଥିଲା । ଭୁବନେଶ୍ୱରସ୍ଥିତ ଏମସରେ ୧୨ ଦିନ ରହି ଚିକିତ୍ସିତ ହେବା ପରେ ଆଜି ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ପ୍ରୋଟୋକଲ୍ ଅନୁଯାୟୀ, ଚିକିତ୍ସିତ କରୋନା ଆକ୍ରାନ୍ତଙ୍କର ୨୪ ଘଣ୍ଟା ଭିତରେ ଦୁଇଥର ରିପୋର୍ଟ ନେଗେଟିଭ୍ ଆସିବା ପରେ ଯାଇ ତାଙ୍କୁ ସୁସ୍ଥ ଘୋଷଣା କରାଯିବ । ସଂପୃକ୍ତ ଯୁବକଙ୍କର ଦୁଇ ଥର ନେଗେଟିଭ୍ ରିପୋର୍ଟ ଆସିବା ପରେ ତାଙ୍କୁ ହସ୍ପିଟାଲ୍ ରୁ ଡିସଚାର୍ଜ କରାଯାଇଛି ।
ପ୍ରଥମ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବି ଭଲ ଅଛି ବୋଲି ଆଜି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଥିଲେ ।