ପୁରୀ: ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତମାନଙ୍କୁ କରୋନା ଠାରୁ ଦୂରେଇ ରଖିବାପାଇଁ ପୁରୀରେ ଆରମ୍ଭ ହୋଇଛି ହୋମିଓପାଥିକ ସ୍ୱାସ୍ଥ୍ୟ ଶିବିର । ଶ୍ରୀମନ୍ଦିରର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଛନ୍ତି । ଏଥିରେ କୋଭିଡ-୧୯ ରୋଗର ପ୍ରତିକାର ପାଇଁ ଦଇତାପତି ସେବକମାନଙ୍କୁ ସଚେତନ କରାଇବା ସହ ଶକ୍ତିବର୍ଦ୍ଧକ ହୋମିଓପାଥି ଔଷଧ ଦିଆଯାଇଛି । ୫୯ଜଣ ଦଇତାପତି ପରିବାକୁ ହୋମିଓପାଥିକ ଔଷଧ ବିତରଣ କରାଯାଇଛି । ରଥଖଳାରେ କାର୍ଯ୍ୟ କରୁଥିବା ଭୋଇ ସେବକ ଏବଂ ମହାରଣା ସେବକ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଶାଇ ମୋଟ୍ ୧୬୫ଜଣଙ୍କୁ ହୋମିଓପାଥିର ଶକ୍ତିବର୍ଦ୍ଧକ ଔଷଧ ଦିଆଯାଇଛି ।
କ୍ଷେତ୍ରୀୟ ହୋମିଓପାଥିକ ଅନୁସନ୍ଧାନ ସଂସ୍ଥାନ ପୁରୀଙ୍କ ସୌଜନ୍ୟରୁ ଏହି ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିବାବେଳେ ଡାକ୍ତର ଉମାକାନ୍ତ ପୃଷ୍ଟି, ଡାକ୍ତର ଅକ୍ଷୟ କୁମାର ପୃଷ୍ଟି ଏବଂ ଡାକ୍ତର ପଞ୍ଚାନନ ପ୍ରଧାନଙ୍କ ଭଳି ବରିଷ୍ଠ ଚିକିତ୍ସକମାନେ ଉପସ୍ଥିତ ରହି ଔଷଧ ବିତରଣ କରିଥିଲେ । ଆସନ୍ତା କାଲି ପ୍ରତିହାରୀ ନିଯୋଗ ଏବଂ ତାଙ୍କ ପରିବାରକୁ କରୋନା ସଂକ୍ରାନ୍ତରେ ସଚେତନ କରାଯିବା ସହିତ ହୋମିଓପାଥିକ ଔଷଧ ପ୍ରଦାନ କରାଯିବ ।
ରଥଖଳାରୁ..

ରଥଖଳାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ତିନିରଥରେ ନାହାକା ବାନ୍ଧେଣି ପାଇଁ ତଳ କଇଁଚି ରଥର ଦକ୍ଷିଣ ପାଶ୍ୱର୍ରେ ଫିଟିଙ୍ଗ କରାଯାଇଥିଲା । ବାମପାଶ୍ୱର୍ କଇଁଚି ଗତକାଲି ରଥକାମ ବନ୍ଦ ପୂର୍ବରୁ ଲଗାଯାଇଛି । ଆଜି ତିନି ରଥର ବଡଧରା ପୋଟଳ ଲଗାଯାଇଛି । ଏହାପରେ ତିନି ରଥର ମୂଳ ଭୂଇଁରେ କଇଁଚି ବାଡିଆ ସହ ଅଗ ଭୂଇଁରେ କଇଁଚି ବାଡିଆ କାମ ଚାଲିଛି ।

ଆଜି ତିନି ରଥର ୪ଟି ଲେଖାଁଏ କତରା ଆଗଆଣି-୨ଟି ଏବଂ ପଛଆଣି ୨ଟି ତିଆରି ଚାଲିଛି । ଚାରପରିଛା ଉପରେ କତରା ବାଡିଆ ହୋଇ ଏଥିରେ ରଥର ଘୋଡା ବନ୍ଧାଯିବ । ଆଜି ଉକ୍ତ ଚାରପରିଛା ରଥରେ ବାଡିଆ ହୋଇଛି । ରୂପକାର ସେବକମାନେ ଚାରପରିଛା ଏବଂ ନାଟଗୋଜରେ ରାହୁଚାପ ଏବଂ ଚାନ୍ଦିଲତା ଖୋଦେଇ କରୁଛନ୍ତି । ଖୋଦେଇ କାମ ସରିଥିବା ନାଟ ଗୋଜ ଗୁଡିକୁ ରଙ୍ଗ କରାଯିବା ପାଇଁ ଚିତ୍ରକର ସେବକମାନଙ୍କ ପାଖକୁ ପଠାଇଛନ୍ତି । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ଠାରେ ପାର୍ଶ୍ବ ଦେବାଦେବୀ ଇତ୍ୟାଦିଙ୍କର ରଙ୍ଗକାର୍ଯ୍ୟ ଚିତ୍ରକର ସେବକମାନେ କରୁଛନ୍ତି ।







