ଭୁବନେଶ୍ୱର: ଯୁବକଟି ଓଡ଼ିଶା ସୋସିଆଲ୍ ମିଡ଼ିଆରେ ଭାରି ସକ୍ରିୟ । ବିଜୁ ଜନତା ଦଳ ତଥା ପ୍ରତାପ ଦେବଙ୍କ ଚେଲା ଭାବେ ନିଜକୁ କହିବୁଲୁଛି । ଆଉ ଏ ଯୁବକଟିର ବଡ଼ଗୁଣ(?) ହେଲା ଭାଷା, ଅଭାଷାରେ ଗାଳି ଦେବା । ଯୁବକଟି ଏବେ ତେଜେଶ୍ୱର ପରିଡ଼ାଙ୍କ ପେଡ୍ ଗ୍ରୁପ୍ ନବୀନ ପଟ୍ଟନାୟକ ପ୍ୟାନ୍ କ୍ଲବ୍କୁ ମଧ୍ୟ ଲିଡ୍ କରୁଛି । ଚଳିତ ପଂଚାୟତ ନିର୍ବାଚନରେ ଏ ଯୁବକ ଜଣକ ନିଜର ସଂପର୍କୀୟଙ୍କୁ ବି ଠିଆ କରାଇଥିଲେ । ଶେଷରେ ଜିଲ୍ଲା ପରିଷଦରେ ବିଜେପିକୁ ଭୋଟ୍ ଦେବା ଅଭିଯୋଗରେ ଗାଁରୁ ତଡ଼ା ଖାଇବା ପରେ କଲିକତାକୁ ପଳାଇ ଏକ ଝୋଟକଳରେ ଶ୍ରମିକ ଅଛନ୍ତି । ଆପଣ ଭାବୁଥିବେ ଏ ଯୁବକ ଜଣକଙ୍କର ଚର୍ଚ୍ଚା କାହିଁକି ? ହଁ, ଆଜ୍ଞା, ଏ ଯୁବକ ଜଣକଙ୍କ ଉପରେ ଏବେ କ୍ରାଇମ ବ୍ରାଂଚର ଆଇଟି ସେଲ ନଜର ରଖିଛି ।
ଆଳିର ସାନରଜା ପ୍ରତାପ ଦେବ ଜଣେ ଭଦ୍ର, ଜ୍ଞାନୀ ଓ ଅମାୟିକ ରାଜନେତା ହୋଇଥିଲା ବେଳେ ତାଙ୍କର ଚେଲା ବୋଲାଉଥିବା ଏହି ଯୁବକଟି ଭଦ୍ରାମିର ସବୁ ସୀମା ଲଂଘିଛି । ସୋସିଆଲ୍ ମିଡ଼ିଆରେ ତା’ର ଅଧିକାଂଶ ଲେଖନୀରେ ଥାଏ ଦୁଇ, ତିନି ଅକ୍ଷରି ଗାଳି । ଏହି ଯୁବକର ଫେସବୁକ୍ ଆକାଉଂଟ୍ ଉପରେ ଆଖି ପକାଇଲେ ଯେ କୌଣସି ଭଦ୍ରବ୍ୟକ୍ତି ନିଜକୁ ଲଜ୍ଜିତ ମନେ କରିବ । ଏଭଳି ଅଭାଷା, ଅଶାଳୀନ ଭାଷା ପାଇଁ ତା’କୁ ସର୍ବବୃହତ୍ତ୍ତ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ନିଉଜ୍ ସର୍ଭିସ୍ ରୁ ବିଦା କରାଯାଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ଫ୍ୟାନ୍ କ୍ଲବ୍ ତା ପାଇଁ ସ୍ୱାଧୀନତା କ୍ଷେତ୍ର ହୋଇଛି । ଏବେ ଏ ପିଲା ପଇସା ନେଇ ଗାଳି ଦେବା ପରମ୍ପରା ଆରମ୍ଭ କରିଥିବା କୁହାଯାଉଛି ।
ନବୀନ ପଟ୍ଟନାୟକଙ୍କ ନାମରେ ଗ୍ରୁପ୍ କରି ଅଶାଳୀନ ଭାଷା ଜାରି ରଖିଥିବା ଏହି ଯୁବକଙ୍କୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଭାରି ଚର୍ଚ୍ଚା । ବିଜେଡ଼ି ନିଜର ପ୍ରଚାର ଓ ପ୍ରସାର ପାଇଁ ଯଦି ସତରେ ଏହି ଯୁବକଙ୍କୁ ବ୍ୟବହାର କରୁଥାଏ, ତାହାହେଲେ ଦଳ ସାଂଘାତିକ ବିପଦକୁ ଡାକୁଥିବା ସେମାନେ କହିଛନ୍ତି । ଅନେକ ବୁଦ୍ଧିଜୀବୀ ଓ ସାମ୍ବାଦିକ ଏହି ଯୁବକଙ୍କ ଆଚରଣ ଉପରେ କ୍ଷୁବ୍ଧ ହୋଇଛନ୍ତି । ଜଣକ ପରେ ଜଣେ କ୍ରାଇମ ବ୍ରାଂଚରେ ଯାଇ ଏ ଯୁବକ ବିରୋଧରେ ଅଭିଯୋଗ ବାଢ଼ିଛନ୍ତିି । ସୋସିଆଲ୍ ମିଡ଼ିଆରେ ସକ୍ରିୟ ଥିବା ସାମ୍ବାଦିକମାନେ ଏହା ବିରୋଧରେ କଠୋର ହୋଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଏହା ଆଣିବା ପାଇଁ ସେମାନେ ଯୋଜନା କରିଛନ୍ତି । ଅନ୍ୟପକ୍ଷରେ ଏ ଉଦଭ୍ରାନ୍ତ ଯୁବକଙ୍କୁ ପାନେ ଦେବା ପାଇଁ କ୍ରାଇମ ବ୍ରାଂଚ ଏକ ସ୍ୱତନ୍ତ୍ର ଟିମ୍ ବି ଗଠନ କରୁଥିବା ସୂଚନା ମିଳିଛି । ପ୍ରତ୍ୟେକ ପୋଷ୍ଟ୍ କେଉଁ ଜାଗାରୁ ହେଉଛି ତାହା ଏବେ କ୍ରାଇମବ୍ରାଂଚ୍ ଟ୍ରେସ୍ କରୁଛି ।