ଭୁବନେଶ୍ୱର: ବରିଷ୍ଠ ରାଜନେତା କାମାକ୍ଷା ପ୍ରସାଦ(କେପି) ସିଂହଦେଓଙ୍କ ଦଳ ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି) । ଏକଥା ଆମେ କହୁନୁ କେପିଙ୍କ ୱିକିପେଡ଼ିଆରେ ଏହା ସିଧା ଉଲ୍ଲେଖ ଅଛି । ଗତବର୍ଷ ଜୁନ୍ ମାସରେ କେପି ବିଜେପିରେ ଯୋଗଦେଇଥିବା ନେଇ ଦିଲ୍ଲୀରୁ ଖବର ଆସିଥିଲା । ମାତ୍ର ଏହାକୁ ଉଡ଼ା ଖବର କହି କେପି ସେତେବେଳେ ଖଣ୍ଡନ କରିଥିଲେ । ସେ କଂଗ୍ରେସରେ ଅଛନ୍ତି ଏବଂ ଦଳ ଛାଡ଼ିନାହାନ୍ତି ବୋଲି ଟିଭିରେ ସଫେଇ ଦେଇଥିଲେ । ମାତ୍ର କେପି ମିଛ କହିଥିବା ଏବେ ତାଙ୍କ ୱିକିପେଡ଼ିଆରୁ ଧରାପଡ଼ିଛି । ଅବଶ୍ୟ ଏ ସମ୍ପର୍କରେ କେପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଢ଼େଙ୍କାନାଳ ଆସନରେ କଂଗ୍ରେସରୁ ୬ ଥର ଲୋକସଭାକୁ ନିର୍ବାଚିତ କେପି କେନ୍ଦ୍ରରେ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ତେବେ ଏହି ବରିଷ୍ଠ ନେତାଙ୍କୁ କଂଗ୍ରେସ ୨୦୧୪ ସାଧାରଣ ନିର୍ବାଚନରେ ଆଉ ଟିକେଟ ଦେଇ ନ ଥିଲା । ତାଙ୍କ ଜାଗାରେ ସୁଧିର ସାମଲଙ୍କୁ ପ୍ରାର୍ଥୀ କରିଥିଲା । କେପି ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ । ଦୀର୍ଘ ଦୁଇବର୍ଷ ଧରି କଂଗ୍ରେସର ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ଦେଇଥିଲେ । ଗତବର୍ଷ ଜୁନ୍ ମାସରେ ଦିଲ୍ଲୀଠାରେ ସେ ବିଜେପିରେ ଯୋଗଦେଇଥିବା ଖବର ବିଜୁଳି ବେଗରେ ଖେଳିଯାଇଥିଲା । ମାତ୍ର ଏହି ଖବରକୁ କେପି ତତକ୍ଷଣାତ ଖଣ୍ଡନ କରିଥିଲେ । ସେ କଂଗ୍ରେସରେ ଅଛନ୍ତି ଓ ରହିବେ ବୋଲି ଦୃଢ଼ୋକ୍ତି ଦେଖାଇଥିଲେ । ଅବଶ୍ୟ ତାହାପରଠାରୁ ସେ ପୁଣି ଆତ୍ମନିର୍ବାସନରେ ଅଛନ୍ତି । କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଦେଖା ମିଳୁନି ।
ସେପଟେ କେପିଙ୍କ ୱିକିପେଡ଼ିଆ ତାଙ୍କୁ ବିଜେପିର ଦର୍ଶାଇଥିଲେ ମଧ୍ୟ ପଦ୍ମପୋଖରୀରେ ତାଙ୍କର ଦେଖା ନ ମିଳିବା ରହସ୍ୟମୟ ହୋଇଛି । କେପିଙ୍କ ଭଳି ଜଣେ ବର୍ଷଆନ୍ ରାଜନେତାଙ୍କର ପରିଚୟକୁ ନେଇ ଏହା ଦ୍ୱନ୍ଦ ସୃଷ୍ଟି କରିଛି । କେପି କଂଗ୍ରେସ ଛାଡ଼ି ନ ଥିବା ଦାବି କରିଥିଲେ ମଧ୍ୟ ଦଳରୁ ଅନ୍ତର୍ଦ୍ଧାନ ହୋଇଯିବା ଯେତିକି ପ୍ରଶ୍ନ ଲଗାଇଛି, ବିଜେପିରେ ଯୋଗ ନ ଦେଇ ୱିକିପେଡ଼ିଆରେ ବିଜେପିର ବୋଲି ଦର୍ଶାଇବା ସେତିକି ରହସ୍ୟ ତୋଳୁଛି । କେପି ନିଜ ପରିଚୟକୁ ଗୋପନ ନ ରଖି ସତ ପ୍ରକାଶ କରିଦେବା ଉଚିତ ।