ଭୁବନେଶ୍ୱର: “ସମାଜ” ଖବରକାଗଜ ଖଣ୍ଡେ କିଣିବାକୁ ପାଠକଙ୍କୁ ଏବେ ଦେବାକୁ ପଡ଼ିବ ୫ ଟଙ୍କା । କାଲିଠୁ ପାଠକେ ଅଧିକ ଟଙ୍କାଟେ ଅଧିକ ଦେଇ “ସମାଜ” କିଣିବେ । ପାଖାପାଖି ଦୁଇବର୍ଷ ତଳୁ “ସମ୍ବାଦ” ତାର ମୂଲ୍ୟ ୫ ଟଙ୍କାକୁ ବଢ଼ାଇ ସାରିଛି । ଖବରକାଗଜ ମୂଲ୍ୟ ବୃଦ୍ଧିରେ ଅଗ୍ରଣୀ ଭୂମିକା ନେଇଥିବା “ସମ୍ବାଦ”କୁ ଦେଖାଦେଖି ଡେରିରେ ହେଲେ ବି “ସମାଜ” ତାର ମୂଲ୍ୟ ବୃଦ୍ଧି କରିଥିବା ବେଳେ ଅନ୍ୟ ଖବରକାଗଜ ମାଲିକମାନେ ସେହି ବାଟରେ ଯିବାକୁ ଚିନ୍ତା କଲେଣି । ନିଉଜ୍ ପ୍ରିଣ୍ଟ, କାଳିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ଦ୍ରବ୍ୟର ମୂଲ୍ୟବୃଦ୍ଧି ଖବରକାଗଜର ବିକ୍ରୀ ମୂଲ୍ୟ ବଢ଼ାଇବାକୁ ମାଲିକଙ୍କୁ ବାଧ୍ୟ କରୁଥିବା ଯୁକ୍ତି କରାଯାଉଛି । ହେଲେ ପାଠକଙ୍କ ପାଇଁ ଏହା କେତେ ଯେ କଷ୍ଟଦାୟକ ତାହା ମଧ୍ୟ ବିଚାର କରିବାର ଅଛି । ଖବରକାଗଜ ମୂଲ୍ୟ ବୃଦ୍ଧି ଉପରେ ପାଠକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
ପାଠକଙ୍କ ଯୁକ୍ତି, ଏକ ନମ୍ବର କି ଦୁଇ ନମ୍ବର ଦାବି କରୁଥିବା ଖବରକାଗଜ ୫ ଟଙ୍କା ଦେଇ ପଢ଼ିବାରେ କଷ୍ଟ ହୁଅନ୍ତାନି ଯଦି ସେଥିରେ ନିଉଜ୍ ଅଧିକା, ବିଜ୍ଞାପନ କମ ରୁହନ୍ତା । ମାତ୍ର ଏହାର ଓଲଟା ଦେଖାଯାଉଛି । ଖବରକାଗଜର ପୃଷ୍ଠା ପରେ ପୃଷ୍ଠା ବିଜ୍ଞାପନ ଭରି ରହୁଥିଲା ବେଳେ ନିଉଜ୍ ଖୋଜି ଖୋଜି ପଢ଼ିବାକୁ ପଡୁଛି । ତେଣୁ ଯେଉଁ ଉଦ୍ଦେଶ୍ୟରେ ପାଠକ ଖବରକାଗଜ କିଣୁଛନ୍ତି ତାହା ପାଉନାହାନ୍ତି । ଏମିତିକି ବିଜ୍ଞାପନ ମାଡ଼ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ମାଡ଼ ଖାଉଛି । ଆଜିକା(୩୦ ଜୁନ) ପ୍ରମୁଖ ଖବରକାଗଜର ପୃଷ୍ଠାକୁ ଦେଖିଲେ ସ୍ଥିତି ବାରିହେଉଛି । ଖବରକାଗଜଗୁଡ଼ିକରେ ଫୁଲ୍ ପେଜ୍ ବିଜ୍ଞାପନ ଛାଇ ଯାଇଛି । ଏପରିକି ପ୍ରଥମରୁ ଚାରି, ଛ ପୃଷ୍ଠା କେବଳ ବିଜ୍ଞାପନରେ ଚାଲିଯାଇଛି । ତେଣୁ ଏମିତିକା ଖବରକାଗଜକୁ ଚଢ଼ା ମୂଲ୍ୟ ଦେଇ କିଣି ପଢ଼ିବାରେ ଅଧିକାଂଶ ପାଠକ ନିଜର କଷ୍ଟ ଦେଖାଇଛନ୍ତି । ଟିଭି କିମ୍ବା ଅନ୍ ଲାଇନରେ ଖବରକାଗଜ ପଢ଼ିବାକୁ ସେମାନେ ପସନ୍ଦ କରିଛନ୍ତି ।
ଖବରକାଗଜ ଶିଳ୍ପ କ୍ଷତିରେ ଚାଲୁଛି ବୋଲି କିଛି କୁହାଳିଆ ମାଲିକ ଡିଣ୍ଡିମ୍ ପିଟୁଛନ୍ତି । ପାଟିରେ ପାଟିରେ ଗାଣିତିକ ଥିଓରି ଚଷୁଛନ୍ତି । ମାତ୍ର ଖବରକାଗଜ ପୃଷ୍ଠାରୁ ବିଜ୍ଞାପନ ଦେଖିଲେ ଲୋକେ ତାହା ଜମାରୁ ବିଶ୍ୱାସ କରୁନାହାନ୍ତି । ଖାଲି ସେତିକି ନୁହେଁ କିଛି ନିର୍ଦ୍ଦିଷ୍ଟ ଖବରକାଗଜ ବେପାରୀ ରାଜନୈତିକ ମୂଲଚାଲରେ ବୁଡିରହିଥିବାରୁ ସେବାଟୁ ବି ଭଲ ପଇସା ରୋଜଗାର କରୁଛନ୍ତି । ରାଜନୈତିକ ଦଳ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ସନ୍ତୁଷ୍ଟ ହେଉ ବା ବ୍ଲାକ୍ ମେଲିଂ କରି ସେମାନେ ମୁନାଫା କମାଉଛନ୍ତି । ସୁତରାଂ ଖବରକାଗଜ ଏକ ବଢ଼ିଆ ବେପାର ବୋଲି ଓଲଟି ସାଧାରଣରେ ଧାରଣା ସୃଷ୍ଟି ହୋଇଛି । ମାଲିକ ସେମାନଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ପାଠକଙ୍କ ସ୍ୱାର୍ଥ ବଳି ପକାଉଥିବା ଅନେକ ଅଭିଯୋଗ କରିଛନ୍ତି । ବେପାର ନାଁରେ ଗଣମାଧ୍ୟମ ଭଳି ଏକ ପବିତ୍ର ଅନୁଷ୍ଠାନକୁ ଢ଼ାଲ କରି ପାଠକଙ୍କୁ ଲୁଟ୍ କଲେ ଭବିଷ୍ୟତ ବିପଦରେ ପଡ଼ିବ ବୋଲି ଅନେକ ସତର୍କ କରାଇଛନ୍ତି ।
Very good analytical reporting on cost of newspapers