ନୂଆଦିଲ୍ଲୀ: କେଇ ଘଣ୍ଟା ପରେ ସମଗ୍ର ଭାରତବର୍ଷ ଏକକ ବଜାର-ଏକକ ଟିକସ ପରିଧି ଭିତରକୁ ଚାଲିଆସିବ । ଜିଏସଟି ବା ବସ୍ତୁ ଓ ସେବା କରର ପ୍ରଚଳନ ଦ୍ୱାରା ଦେଶ ଏହି ଟିକସ ବ୍ୟବସ୍ଥାରେ ବାନ୍ଧି ହେବ । ଟିକସ ସଂସ୍କାରରେ ଜିଏସଟି ପ୍ରଚଳନ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ଏହାର ପ୍ରଚଳନ ପାଇଁ ଆଜି ମଧ୍ୟରାତ୍ରରେ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ରାତି ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ ଏହି ସମାରୋହ ଅନୁଷ୍ଠିତ ହେବ । ରାତି ୧୨ଟାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟି ପ୍ରଚଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏଥିରେ ଉପରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀଗଣ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସମେତ ସବୁ କ୍ଷେତ୍ରର ନାମୀ ଦାମୀ ବ୍ୟକ୍ତିବିଶେଷ ଯୋଗଦେବେ । ଓଡ଼ିଶାରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଓ ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉକ୍ତ ସମାରୋହରେ ଯୋଗଦେବେ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଏସଟି ସମ୍ପର୍କରେ ବ୍ୟାପକ ଅବଗତ କରାଯାଇଥିଲେ ମଧ୍ୟ ତେବେ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ ରହିଛି । ଜିଏସଟି ଜନିତ ଦରବୃଦ୍ଧି ଆଶଙ୍କାରେ ଆଜି ବଜାରରେ ଗ୍ରାହକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଖାସ୍ କରି ଇଲେକ୍ଟ୍ରୋନିକସ୍ ଦୋକାନଗୁଡ଼ିକରେ ଗ୍ରାହକଙ୍କର ନାହିଁ ନାହିଁ ନ ଥିବା ଭିଡ଼ ହୋଇଥିଲା । ଅଧିକାଂଶ ଦୋକାନୀ ପ୍ରି-ଜିଏସଟି ଅଫର ଦେଇଥିବାରୁ ଲୋକେ ସାମଗ୍ରୀ କିଣିପକାଇଥିଲେ । ଖାଲି ଇଲେକ୍ଟ୍ରୋନିକସ୍ କାହିଁକି ଗ୍ରୋସୋରି ଦୋକାନରେ ବି ଭିଡ଼ ଜମିଥିଲା । ଲୋକେ ନିଜ ଘର ପାଇଁ ଆବଶ୍ୟକ ସାମଗ୍ରୀ କିଣି ମହଜୁଦ୍ କରିବାକୁ ପସନ୍ଦ କରିଥିଲେ । ରାତି ପାହିଲେ ହୁଏତ ଦର ବଢ଼ିଯିବ ବୋଲି ସମସ୍ତଙ୍କର ଥିଲା ଆଶଙ୍କା ।
ଖୋଲାରେ ମିଳୁଥିବା ଖାଦ୍ୟ ସାମଗ୍ରୀ, ତଟକା ପନିପରିବା, ବିନା ମାର୍କା ଅଟା, ମଇଦା, ବେସନ, ଗୁଡ଼, କ୍ଷୀର, ଦହି,ଅଣ୍ଡା, ଲୁଣ ଭଳି ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବ ନାହିଁ । ଶିକ୍ଷାସେବା ଓ ସ୍ୱାସ୍ଥ୍ୟ ସେବା ଉପରେ ବି ଲାଗୁୁହେବନି ଜିଏସଟି । ସୁତରାଂ ଏସବୁ ଶସ୍ତା ହେବ । ୫, ୧୨,୧୮ ଓ ୨୮ ପ୍ରତିଶତ ଏଭଳି ୪ଟି ସ୍ଲାବ୍ ରେ ଜିଏସଟି ଲାଗୁ ହେବ । ଚିନି, ଚା, କଫି, ଖାଇବା ତେଲ, ଶିଶୁମାନଙ୍କ ଦୁଗ୍ଧ ଖାଦ୍ୟ, ପିଡିଏସ୍ କିରୋସିନି, ଘରୋଇ ଏଲପିଜି ଆଦି ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଥିବା ବେଳେ ବଟର, ଘିଅ, ବାଦାମ, ଫୁଟ ଜୁସ୍, ଛତା ଓ ମୋବାଇଲ୍ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ । କେଶ ତେଲ, ଟୁଥପେଷ୍ଟ, ସାବୁନ, ଆଇସିକ୍ରିମ୍,ଚକୋଲେଟ୍, କମ୍ପ୍ୟୁଟର ଓ ପ୍ରିଣ୍ଟର ଆଦି ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି । ଅଧିକାଂଶ ଇଲେକ୍ଟ୍ରୋନିକସ୍ ଓ ହାଇ-ଏଣ୍ଡ ଘରୋଇ ସାମଗ୍ରୀ ୨୮ ପ୍ରତିଶତ ଜିଏସଟି ସ୍ଲାବ୍ ରେ ରହିଛି । ସେଗୁଡ଼ିକ ଏବେ ମହଙ୍ଗା ହେବ ।