ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିଜେପି ଖାଲି ସରକାର ଗଢ଼ିବନି । ଦୁଇ ତୃତୀୟାଂଶ ଭୋଟ ପାଇ ଶାସନକ୍ଷମତାକୁ ଆସିବ । ନବୀନଙ୍କ ଗଡ଼ ଗଂଜାମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଏହି ଦମ୍ଭ ଦେଖାଇଛନ୍ତି । ବିଜେଡ଼ି ସରକାର ଅମଳରେ ଓଡ଼ିଶାର ବିକାଶ ହୋଇନାହିଁ କହି ବିଜେପି ପ୍ରତି ଲୋକଙ୍କ ସମବେଦନା ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମର କୁକୁଡ଼ାଖଣ୍ଡି ବ୍ଲକ୍ ହୁଗୁଳାପଟା ଗାଁରୁ ତିନି ଦିନିଆ ଓଡ଼ିଶା ଅଭିଯାନ ଆରମ୍ଭ କରି ଅମିତ ଶାହା ନିଜ ଦଳର ଭବିଷ୍ୟବାଣୀ କରିଛନ୍ତି ।
ନିଜ ଦଳ ସପକ୍ଷରେ ଭୋଟ ଗୋଟେଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେଶବ୍ୟାପୀ ୧୧୦ ଦିନିଆ ଅଭିଯାନ ଚଳାଇଛନ୍ତି । ବୁଥ୍ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ତାଙ୍କର ଏହି ପ୍ରୟାସ । ଗତଥର ବିଜେପି ଜିତି ପାରି ନ ଥିବା ୧୨୦ ଲୋକସଭା ଆସନକୁ ସେ ଟାର୍ଗେଟ୍ କରିଛନ୍ତି । ବିଶେଷକରି ପୂର୍ବାଞ୍ଚଳ ରାଜ୍ୟକୁ ସେ ତାଙ୍କ ଅଭିଯାନରେ ପ୍ରମୁଖତା ଦେଇଛନ୍ତି । ସେଥିରେ ଓଡ଼ିଶା ତାଙ୍କର ପ୍ରଥମ ଫୋକସ ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଗରେ ରଖି ସେ ବିଜେପି ସପକ୍ଷରେ ପ୍ରବଳ ହାୱା ସୃଷ୍ଟି କରିବାକୁ କିଛିଟା ସମର୍ଥ ବି ହେଲେଣି । ରାଜ୍ୟ ବିଜେପିରେ ସାଂଗଠନିକ ସ୍ଥିତି କେଉଁ ଅବସ୍ଥାରେ ଅଛି ତାହାର ବାସ୍ତବତା ଜାଣି ବି ପ୍ରଚାର ଓ ଭାଷଣବାଜିରେ ଓଡ଼ିଶା ଲୋକଙ୍କ ମନ କିଣିବା ପାଇଁ ଅମିତ ଶାହା ନୂଆ ଫର୍ମୂଲା ଧରିଛନ୍ତି । ଦଳର ସ୍ଥିତି ଶୋଚନୀୟ ଥିବା ଗଂଜାମ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ସେ ନିଜ ଅଭିଯାନରେ ସାମିଲ କରିଛନ୍ତି ।
ଅମିତ ଶାହା ଓଡ଼ିଶାରେ ବିଜେପିକୁ ଦୁଇ ତୃତୀୟାଂଶ ଆସନରେ ଜିତାଇବାର ସ୍ୱପ୍ନ ଦେଖିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେପି ୨୯୭ଟି ଆସନ ପାଇଥିବାରୁ ସେ ମାତ୍ରାଧିକ ଉତ୍ସାହିତ ହୋଇପଡ଼ିଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ସମଗ୍ର ଦେଶରେ ମୋଦି ହାୱା ବୋହୁଥିଲା ବେଳେ ଓଡ଼ିଶାର ୨୧ଟି ଲୋକସଭା ଆସନରେ ବିଜେପିକୁ ଯାଇଥିଲା ମାତ୍ର ୨୧.୮୮ ପ୍ରତିଶତ ଭୋଟ । ବିଧାନସଭା ନିର୍ବାଚନରେ ବିଜେପି ଭୋଟ ହାର ଥିଲା ଆହୁରି ଶୋଚନୀୟ । ମାତ୍ର ୧୭.୯୯ ପ୍ରତିଶତ । ଅବଶ୍ୟ ୨୦୦୯ରେ ବିଜେପି ପାଇଥିବା ୧୫.୦୫ ପ୍ରତିଶତ ଭୋଟଠାରୁ ଏହା ଥିଲା ଅଧିକ । ଏତିକି ଲୋକବଳକୁ ୨୦୧୯ ରେ ବଢ଼ାଇ ବିଧାନସଭାରେ ସେଞ୍ଚୁରି ମାରିବାର ସ୍ୱପ୍ନ ରଖିଛନ୍ତି ଅମିତ ଶାହା । ଯାହାକୁ ସ୍ୱାଭାବିକ ଭାବେ ବିଜେଡ଼ି ବିଦ୍ରୁପ କରିଛି ।
ସତକଥା ହଉଛି, ବିଜେପି ଯେତେ ହାୱା କଲେ ମଧ୍ୟ ଓଡ଼ିଶାରେ ଦଳର ତୃଣମୂଳ ସଂଗଠନ ନାହିଁ । କାଁ ଭାଁ କିଛି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଆଡ଼େ ବିଜେପିର ସାଂଗଠନିକ ଶକ୍ତି ଅତ୍ୟନ୍ତ ଦୁର୍ବଳ । ଅଧିକାଂଶ ଜାଗାରେ ନାହିଁ କହିଲେ ଚଳେ । ହେଲେ ସ୍ୱପ୍ନ, ଦେଢ଼ବର୍ଷରେ ୩୬ ହଜାର ବୁଥରେ କମିଟି କରି ଦଳର ସଂଗଠନକୁ ମଜବୁତ କରିବେ । ଆଉ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ଦୁର୍ଗ ଅଭେଦ୍ୟ କରି ଦୁଇ ତୃତୀୟାଂଶ ଭୋଟରେ ସରକାର ଗଢ଼ିବେ ।
ଅମିତ ଶାହା ଯେତେ ସ୍ୱପ୍ନ ଦେଖିଲେ ବି ବିଜେପି ପାଇଁ ଓଡ଼ିଶାରେ ଏପର୍ଯ୍ୟନ୍ତ ସୁଯୋଗ ସୃଷ୍ଟି ହୋଇନାହିଁ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ସେମାନଙ୍କ ମତରେ ବିଜେପି ନେତାମାନେ ସଂଗଠନ ଭୁଲି ପ୍ରଚାରରେ ଅଧିକ ମାତିଛନ୍ତି । ପଇସା ବଳରେ ଲୋକଙ୍କ ମନ ଜିଣିବେ ବୋଲି ଧରିନେଇଛନ୍ତି । ଅନ୍ୟପକ୍ଷରେ ଦଳର ଆଭ୍ୟନ୍ତରୀଣ ଚେହେରା ବି ସାଂଘାତିକ । ମୁଖ୍ୟମନ୍ତ୍ରୀ ପାଇଁ ପାଗ ଭିଡ଼ିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଅନେକ ନେତା ଗ୍ରହଣ କରିପାରୁନାହାନ୍ତି । ଧର୍ମେନ୍ଦ୍ରଙ୍କ ମନମାନିକୁ ସେମାନେ ସହି ନ ପାରି ବିଦ୍ରୋହରେ ଜଳୁଛନ୍ତି । ଧର୍ମେନ୍ଦ୍ର ରାଜ୍ ରେ କର୍ମୀଙ୍କ କଥା ଛାଡ଼, ଖୋଦ୍ ରାଜ୍ୟ ନେତାମାନେ ନିଜକୁ ଛୋଟ ଓ ଉପେକ୍ଷିତ ମଣୁଛନ୍ତି । ଧର୍ମେନ୍ଦ୍ରଙ୍କ କୋଟରି ନେତାଙ୍କ ଗର୍ବ, ଅହଂକାର ଏବେଠୁ ସୀମା ଟପିଲାଣି । ଏମିତିକା ସ୍ଥିତିରେ ରହିଥିବା ବିଜେପି ନବୀନ ପଟ୍ଟନାୟକଙ୍କ ବିରୋଧରେ ଦୁଇ ତୃତୀୟାଂଶ ଭୋଟ ପାଇ କ୍ଷମତାକୁ ଆସିବାର ସ୍ୱପ୍ନ ଦେଖିବା ଆକାଶ କଇଁଆ ଚିଲିକା ମାଛ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।






