ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଉଦଯାପନ ଉତ୍ସବରେ ରାଜ୍ୟପାଳ ଡ. ଏସ.ସି.ଜମିର ଯୋଗଦେବେନି । ୮ ତାରିଖରୁ ରାଜ୍ୟପାଳ ଦିଲ୍ଲୀ ଯାଉଛନ୍ତି । ଫେରିବେ ୧୧ ତାରିଖରେ । ରାଜ୍ୟପାଳଙ୍କ ଏହି ଦିଲ୍ଲୀଗସ୍ତ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାର ଟେନସନରେ ପଡ଼ିଛନ୍ତି । ୯ ତାରିଖ ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମ ସ୍ଥିରିକୃତ ଥିବାରୁ ତାଙ୍କର ଅଚାନକ ଅନୁପସ୍ଥିତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟପାଳଙ୍କୁ ମନେଇବା ପାଇଁ ମନ୍ତ୍ରୀ ଓ ସରକାରୀବାବୁମାନେ ଝାଳନାଳ ଖଟାଇ ଦେଇଛନ୍ତି । ଗତକାଲି ଦିନ ତମାମ ସରକାରଙ୍କ ୭ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ରାଜଭବନରେ ଡେରା ପକାଇଥିଲେ । ମାତ୍ର ଶେଷ ଖବର ଅନୁଯାୟୀ ରାଜ୍ୟପାଳ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ କରିନାହାନ୍ତି ।
ରାଜ୍ୟପାଳ ଡ. ଜମିର ଯେ ଖୁସିରେ ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବରୁ ଅନୁପସ୍ଥିତ ରହୁଛନ୍ତି ତାହା ନୁହେଁ । ଉଦଘାଟନୀ ଉତ୍ସବରୁ ତାଙ୍କୁ ଯେଭଳି ଅଣଦେଖା କରାଗଲା ତାହା ତାଙ୍କୁ ବ୍ୟଥିତ କରିଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି । ୪୩ଟି ଦେଶ ଭାଗନେଇଥିବା ଏତେବଡ଼ କ୍ରୀଡ଼ା ଇଭେଣ୍ଟର ଉଦଘାଟନୀ ଉତ୍ସବ ବେଳେ ରାଜ୍ୟର ସର୍ବୋଚ୍ଚ କର୍ତ୍ତା ରାଜ୍ୟପାଳ ମହୋଦୟ ଭୁବନେଶ୍ୱରରେ ଉପସ୍ଥିତ ଥିଲେ । ମାତ୍ର ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମରେ ତାଙ୍କର ଉପସ୍ଥିତିକୁ ଏଡାଇ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉତ୍ସବର ଉଦଘାଟନକୁ ଦୃଷ୍ଟିରେ ରଖି ରାଜ୍ୟପାଳଙ୍କୁ ନୀଚ୍ଚ କରିଦିଆଗଲା । ରାଜଭବନର ଜନୈକ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରୋଟୋକଲ୍ ଦୃଷ୍ଟିରୁ ଏତେବଡ଼ ଇଭେଣ୍ଟର ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ମୁଖ୍ୟ ଅତିଥି ରହିବା କଥା । ମୁଖ୍ୟମନ୍ତ୍ରୀ ସେଥିରେ ଉପସ୍ଥିତି ରହିବାରେ ଅସୁବିଧା ନ ଥିଲା । ମାତ୍ର ରାଜ୍ୟ ସରକାର ରାଜ୍ୟପାଳଙ୍କୁ ଭୁଲି ଗଲେ । ରାଜଭବନରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଆମନ୍ତ୍ରଣ କଲେ ନାହିଁ । ଓଲଟି ୯ ତାରିଖ ଉଦଯାପନୀ ଉତ୍ସବକୁ ତାଙ୍କୁ ଆମନ୍ତ୍ରଣ କରି ଅପମାନିତ କରିଛନ୍ତି । ରାଜ୍ୟପାଳଙ୍କୁ ଅଣଦେଖା କରି ରାଜ୍ୟ ସରକାର ସୌଜନ୍ୟତା ଓ ଶାଳିନତା ଭୁଲିଗଲେ ବୋଲି ସେ କହିଛନ୍ତି ।
ରାଜ୍ୟ ସରକାରଙ୍କ ଏଭଳି ଆଚରଣ ରାଜ୍ୟପାଳଙ୍କୁ ଖାଲି ବ୍ୟଥିତ ନୁହେଁ ବରଂ କ୍ଷୁବ୍ଧ କରିଛି । ତେଣୁ ୯ ତାରିଖ ଉଦଯାପନୀ ଉତ୍ସବରେ ସେ ଯୋଗ ନ ଦେବାକୁ ସ୍ଥିର କରିଛନ୍ତି । ଦିଲ୍ଲୀରେ ଅନ୍ୟ କାର୍ଯ୍ୟ ବାହାନାରେ ରାଜ୍ୟପାଳ ସେଦିନ ଭୁବନେଶ୍ୱରରେ ନ ରହିବାକୁ ସ୍ଥିର କରିଛନ୍ତି । ରାଜ୍ୟପାଳଙ୍କ ଯୋଜନା ଜାଣିଲା ପରେ ସରକାରଙ୍କୁ ବଦନାମର ଭୟ ଘାରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି କ୍ରୀଡ଼ାମନ୍ତ୍ରୀ ରାଜଭବନ ଯାଇ ରାଜ୍ୟପାଳଙ୍କୁ ମନାଇବା ଉଦ୍ୟମ କରିଥିଲେ ମଧ୍ୟ ଫେଲ୍ ମାରିଥିଲେ । ପରେ ପରେ ବଛା ବଛା ବ୍ୟୁରୋକ୍ରାଟ ରାଜଭବନ ଯାଇ ରାଜ୍ୟପାଳଙ୍କୁ ମନାଇବା ଉଦ୍ୟମ କରି ହାତଟେକିଦେଇଛନ୍ତି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି.ଜେ.ଭେନୁଗୋପାଳଙ୍କ ଉପରେ ସେମାନେ ଚାପ ପକାଇଥିଲେ ମଧ୍ୟ ତାହା କାଟୁ କରିନାହିଁ ।
Good story