ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେବାକୁ ଲାଗିଲାଣି । ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳକୁ ଆଣି ୬ ଘଣ୍ଟା ଭିତରେ ରାଜ୍ୟସଭା ପ୍ରାର୍ଥୀ କରିବା ବିଜେଡ଼ି ପାଇଁ ମହଙ୍ଗା ପଡ଼ିଲାଣି । ଯେଉଁ ଲକ୍ଷ୍ୟରେ ବିଜେଡ଼ି ତାଙ୍କୁ ଦଳକୁ ଆଣି ରାଜ୍ୟସଭା ଆସନ ଦେଇଥିଲା ତାହା ଫସର ଫାଟିଯାଇଛି । ଓଲଟି ଦଳ ପାଇଁ ସେ ଘାତକ ହେଲେଣି ବୋଲି ବିଜେଡ଼ି ମହଲରେ ଆଲୋଚନା ହେଉଛି । ଖଣ୍ଡପଡ଼ାରେ ବିଜେଡ଼ିକୁ ସେ ଦୁଇଫାଳ କରି ନିଜର ପ୍ରତିପତ୍ତି ରଖିବାକୁ ଗୋଟିଚାଳନା କରିବା ଦଳୀୟ ହାଇକମାଣ୍ଡଙ୍କୁ ଚିନ୍ତାରେ ପକାଇଛି ।
କିଛି ଦିନ ତଳେ ଖଣ୍ଡପଡ଼ାରେ ସୌମ୍ୟ ଏକ କର୍ମୀ ସମ୍ମିଳନୀ କରିଥିଲେ । ସେଥିରେ ମୁଖ୍ୟତଃ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ବିରୋଧୀ ଓ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ସମର୍ଥକମାନେ ଉପସ୍ଥିତ ଥିଲେ । ସୌମ୍ୟ କହିଥିଲେ, ‘ମୁଁ ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ଆପଣମାନେ ମନରେ କିଛି ଶଙ୍କା ରଖନ୍ତୁ ନାହିଁ । ଦଳ ଛାଡ଼ିବାରେ ମୁଁ ମାଷ୍ଟର । ଯାହା ବି ହେଇଯାଉ, ଖଣ୍ଡପଡ଼ା ମାଟିକୁ ମୁଁ ଛାଡ଼ିବାର ନାହିଁ ।’ ସୌମ୍ୟଙ୍କ ଇଙ୍ଗିତ ଥିଲା, ମୁଁ ହେଉ କି ମୋ ଝିଅ ହେଉ ଖଣ୍ଡପଡ଼ାରୁ ନିଶ୍ଚିତ ଲଢ଼ିବୁ । ତେଣିକି ଯାହା ହେଇଯାଉ ପଛେ । ଯଦି ବି ବିଜେଡ଼ି ଟିକେଟ ଦେଲାନି ମୁଁ ଦଳ ଛାଡ଼ିବାକୁ ପ୍ରସ୍ତୁତ ବୋଲି ସୌମ୍ୟ ଠଉରାଇ ଦେଇଥିଲେ ।
ଖାଲି ସେଦିନର କର୍ମୀ ସମ୍ମିଳନୀ ନୁହେଁ, ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ସବୁଆଡ଼େ ବୁଲି ବୁଲି ସୌମ୍ୟ ଏହି ବାର୍ତ୍ତା ଦେଉଛନ୍ତି । ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ସେ ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ନୁହଁନ୍ତି । ସୌମ୍ୟଙ୍କ ଏହି ଆଭିମୁଖ୍ୟ ବିଧାୟକଙ୍କ ବିରୋଧୀ ଗୋଷ୍ଠୀକୁ ପ୍ରବଳ ଉତ୍ସାହିତ କରିଛି । ସେମାନେ ଗାଁ ଗାଁରେ ଖୋଲାଖୋଲି ଭାବେ ବିଧାୟକଙ୍କ ବିରୋଧରେ ମେଳି କରୁଛନ୍ତି । ବିଧାୟକଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ବିଜେଡ଼ିର ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଏହି ମୌକାରେ ନିଜର ସଂଗଠନକୁ ଆହୁରି ମଜବୁତ କରୁଛନ୍ତି । ଏବେ ସୌମ୍ୟଙ୍କ ପାଖ ଛାଡୁନାହାନ୍ତି ଗୟାଧର । ଖାଲି ଗୟାଧର ନୁହଁନ୍ତି ଗାଁ ଗାଁରେ ବିଜେଡ଼ି ମୁଖିଆଙ୍କୁ ସୌମ୍ୟ ନିଜର କରିସାରିଲେଣି । ସେମାନଙ୍କୁ କୁହାଯାଉଛି, ବିଜେଡ଼ି ଟିକେଟ ଦେଉ କି ନ ଦେଉ ଖଣ୍ଡପଡ଼ା ସିଟ୍ ଛାଡ଼ିବାର ପ୍ରଶ୍ନ ଉଠୁନି । ଏଭଳି ପରିସ୍ଥିତିରେ ଖଣ୍ଡପଡ଼ାରେ ବିଜେଡ଼ି ଦୁଇଫାଳ ହୋଇଯାଇଛି ।
ସୌମ୍ୟଙ୍କ ‘ଆମ ଓଡ଼ିଶା ପାର୍ଟି’ କର୍ମୀମାନେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି । ସେମାନେ ବିଜେଡ଼ିରେ ବିଲୀନ ହୋଇଥିବା କଥାକୁ ସ୍ୱୀକାର କରୁନାହାନ୍ତି କି ନିଜକୁ ବିଜେଡ଼ି ନୁହଁ ବୋଲି କହୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ନାରା ଦେଉଥିବା ସୌମ୍ୟଙ୍କ କର୍ମୀମାନେ ବିଧାୟକଙ୍କ ବିରୋଧରେ ଖୋଲା ଯୁଦ୍ଧର ଡାକରା ଦେଉଛନ୍ତି ।
ସୂଚନାଯୋଗ୍ୟ, ‘ ଆମ ଓଡ଼ିଶା ପାର୍ଟି’ ଅଧ୍ୟକ୍ଷ ସୌମ୍ୟରଂଜନ ବିଜେଡ଼ିରେ ମିଶି ରାଜ୍ୟସଭା ଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ପାର୍ଟିକୁ ବିଜେଡ଼ି ସହ ବିଲୀନ ଘୋଷଣା କରିନାହାନ୍ତି । ବରଂ ନିକଟରେ ‘ଆମ ଓଡ଼ିଶା ପାର୍ଟି’ର କିଛି ନେତା ଭୁବନେଶ୍ୱର ପାର୍ଟି ଅଫିସ ଆସି ବିଜେଡ଼ିରେ ଯୋଗଦେଇଥିଲେ । ସୁତରାଂ ଏଥିରୁ ବୁଝାପଡୁଛି ଯେ ‘ଆମ ଓଡ଼ିଶା ପାର୍ଟି’ ଏବେ ସୁଦ୍ଧା ବଞ୍ଚିରହିଛି । ସୌମ୍ୟଙ୍କ କର୍ମୀମାନେ ଗୋଟେ ଗୋଡ଼ ‘ଆମ ଓଡ଼ିଶା ପାର୍ଟି’ରେ ରଖିଥିବା ବେଳେ ଆର ଗୋଡ଼ଟି ବିଜେଡ଼ି ଛାୟାରେ ରଖିଛନ୍ତି । ଖଣ୍ଡପଡ଼ାରେ ନିଜ କର୍ମୀମାନଙ୍କୁ ସୌମ୍ୟ ସେଥିପାଇଁ ଅଭୟବାଣୀ ଶୁଣାଇଛନ୍ତି । ‘ତମେ ସବୁ ଯେମିତି ଅଛ ଥାଅ, ଅପେକ୍ଷା କର କ’ଣ ହେଉଛି’ ବୋଲି ରୋକଠୋକ ଶୁଣାଇଛନ୍ତି ।
ସୌମ୍ୟଙ୍କ ଏଭଳି ଗୋଟିଚାଳନା ବିଜେଡ଼ି ନେତୃତ୍ୱକୁ ବିବ୍ରତ କରିଛି । କାରଣ ସୌମ୍ୟ ନିଜ ପାଇଁ ନହେଲେ ଝିଅ ପାଇଁ ଖଣ୍ଡପଡ଼ା ଆସନ ବାର୍ଗେନିଂ କରୁଥିବା ତାଙ୍କ କାର୍ଯ୍ୟକଳାପ କହୁଛି । ମୋଟାମୋଟି ଭାବେ, ବିଜେଡ଼ି ସ୍ୱାର୍ଥରେ ସୌମ୍ୟ ଯେ କାର୍ଯ୍ୟ କରୁନାହାନ୍ତି ତାହା ଦଳର ଅଧିକାଂଶ ନେତୃବୃନ୍ଦଙ୍କ ଅନୁଭବ ହେଲାଣି । କାରଣ ନିଜ ମାଲିକାନାରେ ଥିବା ଖବରକାଗଜ ଓ ଟିଭିକୁ ସୌମ୍ୟ ବିଜେଡ଼ି ସ୍ୱାର୍ଥଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି । ବିଜେଡ଼ିର ବଡ଼ଶତ୍ରୁ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ଅସୁଖୀ କଲା ଭଳି କୌଣସି ଖବରକୁ ତାଙ୍କ ଖବରକାଗଜ ଓ ଟିଭି ସ୍ଥାନ ଦେଉନାହିଁ । ସୌମ୍ୟଙ୍କ ମତିଗତି ବିଜେଡ଼ି ନେତୃତ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଆଗକୁ ଦଳ ପାଇଁ ସେ ଯେ ନିଶ୍ଚିତ ବିପଦ ତାହାର ସ୍ପଷ୍ଟ ଆଭାସ ପାଇଲେଣି ।
ଝିଅ ପରା ବୋଲଗଡ ବେଗୁନିଆ ବୋଲି final ହୋଇଛି।