ଭୁୁବନେଶ୍ୱର: ଗତକାଲି ମହାପ୍ରଭୁଙ୍କ ରଥଟଣା ବେଳେ ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଚନ(!) ଜଗନ୍ନାଥ ସଂସ୍କୃତିକୁ ପ୍ରବଳ ଆଘାତ ଦେଇଛି । ଗଜପତିଙ୍କ ଛେରାପହଁରାକୁ ଝାଡୁ ମାରିବା ସହ କେନ୍ଦ୍ରମନ୍ତ୍ରୀ ତୁଳନା କରିଥିବା ବେଳେ ଗଜପତିଙ୍କ କାର୍ଯ୍ୟକୁ ଝାଡୁଦାର ସହ ତୁଳନା କରିଛନ୍ତି । ଖାଲି ସେତିକି ନୁହେଁ, ଗଜପତିଙ୍କ ଛେରାପହଁରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ସହ ଯୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପାଠକଙ୍କ ଅବଗତି ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଚନର ଅବିକଳ ନକଲ ଆମେ ଏଠାରେ ଉଲ୍ଲେଖ କରୁଛୁ ।
“ଆମ ସମାଜର ବିନମ୍ରତାର ଅନନ୍ୟ ପ୍ରତୀକ ଝାଡୁ ମାରିବା, ସଫେଇ କରିବା । ଯାହାକୁ କି ଆଜି ଆଧୁନିକ ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତର ଆନ୍ଦୋଳନ କରିଛନ୍ତି । ସ୍ୱଚ୍ଛ ଭାରତର କଳ୍ପନା, ସ୍ୱଚ୍ଛତାର କଳ୍ପନା ଜଗନ୍ନାଥ ସଂସ୍କୃତି ସାଙ୍ଗରେ ଯୋଡି ହେଇକି ଅଛି । ମହାପ୍ରଭୁ ରଥାରୁଢ଼ ହେଲା ପରେ ଓଡ଼ିଆ ଜାତିର ଅନନ୍ୟା ଶ୍ରଦ୍ଧାର କେନ୍ଦ୍ର ଗଜପତି ମହାରାଜ ଆସିଥାଆନ୍ତି ରଥକୁ ଓଳେଇବା ପାଇଁ । ରଥକୁ ଝାଡୁ ମାରିବା ପାଇଁ । ସେଇ ପାଇଁ ତାଙ୍କୁ କେବେ ଝାଡୁଦାର କୁହାଯାଇଥିଲା ।..”
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ପାଣ୍ଡିତ୍ୟକୁ ଦେଖି ଜଗନ୍ନାଥପ୍ରେମୀ ତାଜୁବ ହୋଇଛନ୍ତି । ଗଜପତିଙ୍କ ଛେରାପହଁରାର ଅର୍ଥ କ’ଣ ଅଳିଆ ସଫା କରିବା ? ଅଳିଆ ସଫା କରିବା ବ୍ୟକ୍ତି କ’ଣ ଜଗନ୍ନାଥ ସଂସ୍କୃତିର ଗଜପତି ? ଏଭଳି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରିଛି ।
କିମ୍ବଦନ୍ତୀ କହେ, ଗଜପତିଙ୍କ ଛେରାପହଁରାକୁ କାଞ୍ଚି ରାଜା ନାପସନ୍ଦ କରିଥିବାରୁ ସ୍ୱଂୟ ଶ୍ରୀ ଜଗନ୍ନାଥ ଓ ବଡ଼ ଭାଇ ବଳଭଦ୍ର କଳା ଘୋଡ଼ା ଓ ଧଳା ଘୋଡ଼ାରେ କାଞ୍ଚି ଅଭିଯାନ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜଗନ୍ନାଥ ସଂସ୍କୃତି ନେଇ ଯେଉଁ ପାଣ୍ଡିତ୍ୟ ଦେଖାଇଛନ୍ତି, ତାହାକୁ ଜଗନ୍ନାଥ ପ୍ରେମୀ ସହ୍ୟ କରିବେ କି ବୋଲି ପ୍ରଶ୍ନ ଉଠିଛି ।
ଇଏ 2ୟ ମହାରଥୀ ହବାକୁ ଯାଉଛି