ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ସ୍କୁଲଗୁଡ଼ିକର ଖରାଛୁଟିକୁ ଆଉ ୩ ଦିନ ବଢ଼ାଇ ଦେଇଛନ୍ତି । ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖ ପରିବର୍ତ୍ତେ ୨୧ ତାରିଖରେ ଖୋଲିବ । ସ୍କୁଲ ଓ ଗଣାଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି ।
ଚଳିତବର୍ଷର ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ରାଜ୍ୟ ସରକାର ପୂର୍ବରୁ ସ୍କୁଲଗୁଡ଼ିକ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଥିଲେ । ମେ ୪ ତାରିଖ ପରିବର୍ତ୍ତେ ଏପ୍ରିଲ୍ ୨୫ ତାରିଖରୁ ସବୁ ସ୍କୁଲ ଛୁଟି ହୋଇଥିଲା । ତେବେ ଏ ପର୍ଯ୍ୟନ୍ତ ତାତି ଓ ଗରମରେ କୌଣସି ପରିବର୍ତ୍ତନ ଆସିନାହିଁ । ରାଜ୍ୟକୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଆସିଥିଲେ ମଧ୍ୟ ବର୍ଷା ନାହିଁ । ଓଲଟି ତାତି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ତାପମାତ୍ର ୪୦ ଡିଗ୍ରୀ ଉପରକୁ ଯାଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଖରାଛୁଟି ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି ।