ଭୁବନେଶ୍ୱର: ସୋନିର ବିଭିନ୍ନ ଚାନେଲକୁ ଚୋରି କରି ପ୍ରସାରଣ କରିବା ଅଭିଯୋଗ ଓରଟେଲ୍ କୁ ମହଙ୍ଗା ପଡ଼ିଛି । ଚନ୍ଦ୍ରଶେଖରପୁରସ୍ଥିତ ଓରଟେଲ୍ ଅଫିସ୍ ରେ ଆଜି ପୁଲିସ ଚଢ଼ାଉ କରି ସୋନି ସହ ସଂସ୍ଥାର ଚୁକ୍ତିନାମା ସମ୍ବନ୍ଧିତ କାଗଜପତ୍ର ଓ ପ୍ରସାରଣଜନିତ ବୈଷୟିକ ଦିଗର ଖାନତଲାସ କରିଛି । ଏସିପି ରବି ଶତପଥୀ ଓ ଚନ୍ଦ୍ରଶେଖରପୁର ଥାନା ଇନସପେକ୍ଟର ଦୀପକ ମିଶ୍ରଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସର ସାଇବର୍ ସେଲ୍ ଏହି ଚଢ଼ାଉ କରିଛନ୍ତି । ଚଢ଼ାଉ ବେଳେ ୨୭ ଟି ସୋନି ସେଟ୍ ଅପ ବକ୍ସ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେଗୁଡ଼ିକର ଯାଞ୍ଚ ପାଇଁ ପୁଲିସ ନେଇଛି ।
ଦୁଇଦିନ ତଳେ ସୋନି ଟିଭି କର୍ତ୍ତୃପକ୍ଷ ଓରଟେଲ୍ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ସୋନି କର୍ତ୍ତୃପକ୍ଷଙ୍କ ଅଭିଯୋଗ ଥିଲା, ଓରଟେଲ୍ ର ପ୍ରସାରଣ ଶାଖା ଓରଟେଲ୍ କେବୁଲ୍, ଓରଟେଲ୍ ବ୍ରଡବ୍ୟାଣ୍ଡ ବ୍ରଡକାଷ୍ଟ, ଓରଟେଲ୍ କେବୁଲ୍ ଟିଭି ଓ ଓରଟେଲ୍ ଡିଜିଟାଲ୍ ଟିଭିରେ ପ୍ରସାରିତ ହେଉଥିବା ସୋନିର ବିଭିନ୍ନ ଚାନେଲ୍ ର ପ୍ରସାରଣ ଚୁକ୍ତିର ମିଆଦ ଗତ ମାର୍ଚ୍ଚ ମାସରୁ ପୂରିଯାଇଛି । ମାତ୍ର ସୋନି ଟିଭିର ବିନା ଅନୁମତିରେ ତାହାର ସମସ୍ତ ଚାନେଲ୍ ର ପ୍ରସାରଣକୁ ଚୋରି କରି ଓରଟେଲ୍ ନିଜ ଗ୍ରାହକଙ୍କୁ ଦେଖାଉଛି । ଏହାଦ୍ୱାରା ସୋନିର ୨୦ କୋଟି ଟଙ୍କା କ୍ଷତି ହୋଇଛି । ମାର୍ଚ୍ଚ ମାସରେ ଚୁକ୍ତି ଶେଷ ହେବା ପରେ ସୋନି କର୍ତ୍ତୃପକ୍ଷ ଓରଟେଲ୍ କୁ ପୁନଃ ଚୁକ୍ତି କରିବା ପାଇଁ ଚିଠି ଲେଖିଥିଲେ । ପୁନଃ ଚୁକ୍ତି ସହ ଓରଟେଲ୍ ଉପରେ ଥିବା ସମସ୍ତ ଦେୟ ପୈଠ କରିବା ପାଇଁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଓରଟେଲ୍ କର୍ତ୍ତୃପକ୍ଷ ତାହାକୁ ଖାତିର କରିନାହାନ୍ତି । ଓଲଟି ସାଟେଲାଇଟ୍ ଚୋରି କରି ସୋନିର ବିଭିନ୍ନ ଚାନେଲ୍ ଦେଖାଇ ଚାଲିଛନ୍ତି ।
୧୪ ତାରିଖ ରାତିରେ ସୋନିର ଏକ ସ୍ୱତନ୍ତ୍ର ଟିମ୍ କୋଲକତାରୁ ଭୁବନେଶ୍ୱର ଆସି ଏହି ସମସ୍ତ ଅଭିଯୋଗର ପ୍ରମାଣପତ୍ର ସହ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଆଧାରରେ ପୁଲିସ ଆଜି ଚଢ଼ାଉ କରିଛି । ତେବେ ପୁଲିସର ଏହି ଚଢ଼ାଉକୁ ଷଡ଼ଯନ୍ତ୍ରର ରୂପ ଦେଇଛନ୍ତି ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ପରିଚାଳନା ନିର୍ଦ୍ଦେଶିକା ଥିବା ଓରଟେଲ୍ କର୍ତ୍ତୃପକ୍ଷ । ସୋନି ଟିଭିର ଅଭିଯୋଗକୁ ମିଥ୍ୟା ବୋଲି ସେମାନେ କହିବା ସହ ଏ ମାମଲାରେ ରାଜ୍ୟ ସରକାରଙ୍କୁ ଯୋଡିବାକୁ ଉଦ୍ୟମ କରିଛନ୍ତି । ପୁଲିସକୁ ଲଗାଇ ଓରଟେଲ୍ ଅଫିସ ବନ୍ଦ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ବାଢ଼ିଛନ୍ତି ।