ଭୁବନେଶ୍ୱର: ହାତ ଟେକିଦେଲା ସିବିଆଇ । ପହଞ୍ଚିପାରିଲାନି ନୀଳ ଜିନ୍ ପ୍ୟାଣ୍ଟ ପିନ୍ଧା ହତ୍ୟାକାରୀ ପାଖରେ । ଆଉ ବନ୍ଦ ହୋଇଗଲା ଇତିଶ୍ରୀ ପ୍ରଧାନ ଚାପ୍ଟର୍ । ସିବିଆଇ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆଜି ଇତିଶ୍ରୀ ହତ୍ୟା ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ପାଖାପାଖି ୪ ବର୍ଷ ଧରି ସିବିଆଇ ଘଟଣାର ତଦନ୍ତ କଲା ପରେ ବି ଅଜଣା ଆତତାୟୀର ସନ୍ଧାନ ପାଇଲାନି । ଇତିଶ୍ରୀ ମାମଲାର ଇତି ହେଲା ପରେ ଆତତାୟୀ ଖସିଯିବା ସାଙ୍ଗକୁ ପୃଷ୍ଠପୋଷକମାନଙ୍କର ବି ଜିତାପଟ୍ ହୋଇଛି । ଏହି ସଙ୍ଗୀନ ମାମଲାରୁ ସେମାନେ ତ୍ରାହି ପାଇଛନ୍ତି ।
୨୦୧୩ ଅକ୍ଟୋବର ୨୭ ତାରିଖ ରାତି ସାଢ଼େ ନଅଟାରେ ରାୟଗଡ଼ା ଜିଲ୍ଲା ଟିକିରି ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ କେହି ଦୁବୃର୍ତ୍ତ କିରୋସିନୀ ଢ଼ାଳି ନିଆଁ ଲଗାଇ ଦେଇଥିଲା । ମୃତ୍ୟୁ ଯନ୍ତ୍ରଣାରେ ୪ ଦିନ କିଲିବିଲି ହେବା ପରେ ନଭେମ୍ବର ୧ ତାରିଖରେ ବିଶାଖାପାଟଣା ଡାକ୍ତରଖାନାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ମୃତ୍ୟୁକାଳୀନ ଜମାନବନ୍ଦୀରେ ଇତିଶ୍ରୀ ସାଂଘାତିକ ବୟାନ ଦେଇଥିଲେ । ତାଙ୍କର ଏଭଳି ଅବସ୍ଥା ପଛରେ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ସେ ମୁଖ୍ୟ ଦୋଷୀ ଠଉରାଇଥିବା ବେଳେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀଙ୍କ ଆଡକୁ ଅଙ୍ଗୁଳି ଉଠାଇଥିଲେ । ଜିଲ୍ଲା ପ୍ରଶାସନକୁ ମଧ୍ୟ ଦାୟୀ କରିଥିଲେ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ କୁ ତଦନ୍ତ ଦାୟିତ୍ୱ ଦେଇ ଘଟଣାର ଛାନଭିନ୍ କରିଥିଲେ ମଧ୍ୟ ହତ୍ୟାକାରୀର ସନ୍ଧାନ ପାଇଲେନି । ଟିକିରି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଏସଆଇ ଦଣ୍ଡସେନାଙ୍କୁ ଗିରଫ କରିଥିଲା । ହେଲେ ପାଙ୍ଗୀ କି ଜିଲ୍ଲା ପ୍ରଶାସନ ଦେହରେ ହାତ ମାରି ନ ଥିଲା । କ୍ରାଇମବ୍ରାଞ୍ଚ ତଦନ୍ତର ନିରପେକ୍ଷତାକୁ ନେଇ ସରକାରଙ୍କ ଉପରେ ହମଲା କରିଥିଲେ ବିରୋଧୀ ଦଳ । ଶାସକଦଳ ନେତା ପାଙ୍ଗୀଙ୍କୁ ଗିରଫ କରିବା ଦାବିରେ ବିଜେପି ଓ କଂଗ୍ରେସ ହଙ୍ଗାମା କରିଥିଲେ । ମାମଲାର ସିବିଆଇ ତଦନ୍ତ ଦାବିରେ ରାଜରାସ୍ତା କମ୍ପାଇଲେ । ଇତିମଧ୍ୟରେ ବାଙ୍ଗାଲୋରର ଜଣେ ଆଇନଛାତ୍ରୀ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରି ଇତିଶ୍ରୀ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ୨୦୧୪ ଜାନୁଆରୀ ୨୦ ତାରିଖରେ ମାମଲାଟି ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସିବିଆଇ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ଇତିଶ୍ରୀଙ୍କ ବୟାନ ଓ ମୋବାଇଲ୍ କଲ ରେକର୍ଡ ଆଧାରରେ ସ୍କୁଲ ଶିକ୍ଷକଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅଧିକାରୀ, ରାଜନେତା ଓ ଇତିଶ୍ରୀଙ୍କ ସମ୍ପର୍କୀୟଙ୍କୁ ଜେରା କରିଥିଲା । ହେଲେ ଫଳ ହେଲା ଶୂନ । ହତ୍ୟାକାରୀକୁ ଖୋଜି ଖୋଜି ନୟାନ୍ତ ହେଲା । କିନ୍ତୁ ତାର ଟେର୍ ପାଇପାରିଲାନି । ତଦନ୍ତ ଆଗକୁ ନ ବଢ଼ାଇ ଗତ ମେ ୧ ତାରିଖରେ ସୁପ୍ରିମକୋର୍ଟରେ ଦେଲା ଫାଇନାଲ୍ ରିପୋର୍ଟ । ଆଉ ଗତ ସପ୍ତାହର ୧୭ ତାରିଖରେ ମାମଲାର କ୍ଲୋଜର୍ ରିପୋର୍ଟ ଦେଇଦେଲା ।
ଇତିଶ୍ରୀ ମାମଲାରେ ଡୋରି ବନ୍ଧା ହେଲା ପରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇର ଭୂମିକା ଓ ପାରଙ୍ଗମତାକୁ ନେଇ ପ୍ରଶ୍ନ ଉଠିଛି । ମାମଲାର ରଫାଦଫା ପଛରେ ରାଜନୈତିକ ଗନ୍ଧର ଚର୍ଚ୍ଚା ହେଉଛି । ଇତିଶ୍ରୀ ହତ୍ୟା ପଛର ଖଳନାୟକ ଚିତ୍ରିତ ଜୟରାମ ପାଙ୍ଗୀଙ୍କ ସୁରକ୍ଷା ପାଇଁ ସିବିଆଇକୁ ବ୍ୟବହାର କରାଯାଇଥିବା ଅଭିଯୋଗ ହେଲାଣି । ଖାସ୍ ପାଙ୍ଗୀଙ୍କ ସୁରକ୍ଷା ପାଇଁ ସିବିଆଇ ଇତିଶ୍ରୀ ଚାପ୍ଟର କ୍ଲୋଜ୍ କରିଦେଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ଇତିଶ୍ରୀ ମୃତ୍ୟୁବେଳେ ଜୟରାମ ପାଙ୍ଗୀ ଥିଲେ ବିଜେଡ଼ି ସାଂସଦ । ମାତ୍ର ଗତ ମେ ୯ ତାରିଖରେ ସେ ବିଜେପିରେ ଯୋଗଦେଇଥିଲେ । ଇତିଶ୍ରୀ ହତ୍ୟା ମାମଲାରୁ ଖସିବା ପାଇଁ ପାଙ୍ଗୀ ବିଜେପିର ଶରଣ ପଶିଥିବା ଏବଂ କେନ୍ଦ୍ରମନ୍ତ୍ରୀ ତାଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହୋଇଥିଲା । ସିବିଆଇ ରିପୋର୍ଟ ଆଧାରରେ ଆଜି ଇତିଶ୍ରୀ ମାମଲା ଇତି ହେଲା ପରେ ଏହି ଚର୍ଚ୍ଚାର ବାସ୍ତବତା ଉଙ୍କିମାରିଛି । ଇତିଶ୍ରୀଙ୍କ ମାଆ ଓ ଭାଇ ତାଙ୍କ ଝିଅକୁ ନ୍ୟାୟ ମିଳି ନ ଥିବାରୁ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଭରସା ଧରିଛନ୍ତି ବୃଦ୍ଧା ମାଆ ।