ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ତାଙ୍କ ଫେସବୁକ୍ ପେଜ୍ ରେ ଏକ ପୋଷ୍ଟ ଛାଡ଼ିଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ମଲାଘୋଡ଼ା ବୋଲି ଟିପ୍ପଣୀ ଦେଇଛନ୍ତି । ‘ଅଟକିଲା ଜନନୀ ଏକ୍ସପ୍ରେସ୍’ ଶୀର୍ଷକରେ ଦୈନିକ ଖବରକାଗଜରେ ପ୍ରକାଶିତ ଏକ ଖବର କ୍ଲିପିଂକୁ ସେ ପୋଷ୍ଟ କରି ତାହା ଉପରେ ଏଭଳି ଅଶାଳୀନ ଟିପ୍ପଣୀ ରଖିଛନ୍ତି । ଲେଖିଛନ୍ତି, ଜନନୀ ଏକ୍ସପ୍ରେସ୍ କୁ ଲୋକେ ଯେମିତି ଠେଲି ଠେଲି ନେଉଛନ୍ତି ସେଥିରୁ ଓଡ଼ିଶାର ସରକାରୀ କଳ କବଜା ଯେ ଜଙ୍କ ଧରିଗଲାଣି ଆଉ ବୁଝିବାକୁ ବାକି ନାହିଁ । ନବୀନବାବୁଙ୍କୁ ଠେଲି ଠେଲି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆଗକୁ ନେବାକୁ ଚେଷ୍ଟା କରୁଛନ୍ତି ହେଲେ ମଲା ଘୋଡ଼ାକୁ ଯେତେ ପିଟିଲେବି ଆଉ କେତେ ଆଗେଇବ ? ଓଡ଼ିଶାର ମା’ ମାନଙ୍କୁ ଜଗନ୍ନାଥ ଶାହା..
ଟିଭିରେ ହେଉ କି ସୋସିଆଲ୍ ମିଡ଼ିଆରେ ହେଉ, ଲେଖାଶ୍ରୀଙ୍କ ପାଇଁ ଅରୁଚିକର ମନ୍ତବ୍ୟ ନୂଆ ନ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ମନ୍ତବ୍ୟ ଶାଳୀନତାର ସୀମା ଲଂଘିଥିବା କୁହାଯାଉଛି । ଖୋଦ୍ ତାଙ୍କ ଦଳର ଅନେକ ନେତା ଏହାକୁ ପସନ୍ଦ କରିନାହାନ୍ତି । ସଂସ୍କାରଧର୍ମୀ ଜାତୀୟ ଦଳ ବୋଲି ଦାବି କରୁଥିବା ବିଜେପିର ଜଣେ ସମ୍ବ୍ରାନ୍ତ, ଉଚ୍ଚଶିକ୍ଷିତ(ରେଭେନ୍ସା କଲେଜର ପୂର୍ବତନ ଅଧ୍ୟାପିକା) ଓ ଦାୟିତ୍ୱସମ୍ପନ୍ନ( ବିଜେପି ରାଜ୍ୟ ସମ୍ପାଦିକା) ନେତ୍ରୀ ବିରୋଧ କରିବା ନାଁରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଟିପ୍ପଣୀ ଦେବାକୁ ଯାଇ ଶାଳୀନତା ବାହାରକୁ ଚାଲିଯିବା ସେମାନଙ୍କୁ ହଜମ ହୋଇନାହିଁ । ଏହାଦ୍ୱାରା ବିଜେପି ଲୋକଙ୍କ ସମ୍ମାନ ଓ ସହାନୁଭୂତିଠାରୁ ଦୂରେଇ ଯାଉଛି ବୋଲି ଦଳର ଜଣେ ବରିଷ୍ଠ ନେତା ନିଜ ନାଁ ଗୋପନ ରଖି କହିଛନ୍ତି । ରାଜନୈତିକ ମୂଲ୍ୟବୋଧ ଓ ବିଚାରାଧାରାକୁ ଏଭଳି ହୀନ ମନ୍ତବ୍ୟ ଆଘାତ ଦେଉଥିବା ସେ କହିଛନ୍ତି ।