ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ପ୍ରିୟ ତାଙ୍କର ଭଉଣୀ ପ୍ରସିଦ୍ଧ ଲେଖିକା ଗୀତା ମେହେଟ୍ଟା ଏକୁଟିଆ ହୋଇଯାଇଛନ୍ତି । ଗୀତାଙ୍କ ସ୍ୱାମୀ ଅଜୟ ସିଂ(ସୋନି) ମେହେଟ୍ଟାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଭିଣୋଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ତାଙ୍କ ଟୁଇଟରେ ଲେଖିଛନ୍ତିି, ମୁଁ ମୋର ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ଗଭୀର ମର୍ମାହତ । ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସମ୍ପାଦକ ଏବଂ ଅତ୍ୟନ୍ତ ଭଦ୍ର, ଅମାୟିକ ବ୍ୟକ୍ତି ଥିଲେ ।
ଅର୍ନ୍ତଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଥିଲେ ସୋନି ମେହେଟ୍ଟା । ବାର୍ଡ କଲେଜରୁ ଅନୋରାରି ଡକ୍ଟରେଟ୍ ଉପାଧିପ୍ରାପ୍ତ ସୋନି ନ୍ୟୁୟର୍କର ନଫ୍ ଡବଲ୍ ଡେ ପବ୍ଲିସିଂ ଗ୍ରୁପ୍ ର ଅଧ୍ୟକ୍ଷ ତଥା ଆଲଫ୍ରେଡ୍ ଏ ନଫ୍ ପତ୍ରିକାର ଏଡ଼ିଟର ଇନ୍ ଚିଫ୍ ଭାବେ ଅଶେଷ ସୁଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ଏହି ସଂସ୍ଥା ଦ୍ୱାରା ପ୍ରକାଶିତ ସାହିତ୍ୟ ଓ ସଂସ୍କୃତି ପତ୍ରିକାଗୁଡ଼ିକର ବିଶ୍ୱ ବଜାରରେ ବେଶ୍ ଚାହିଦା ରହିଛି । ଭାରତ, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ତାଙ୍କର ପ୍ରକାଶନ ପାଇଁ ସୋନି ମେହେଟ୍ଟାଙ୍କୁ ଲାଇଫ୍ ଟାଇମ୍ ଆକଚିଭିମେଣ୍ଟ ପୁରସ୍କାର ମିଳିଛି ।
ସ୍ୱାଧୀନ ଭାରତର ପ୍ରଥମ କୁଟନୀତିଜ୍ଞ ସ୍ୱର୍ଗତ ଅମ୍ରିକ୍ ସିଂହଙ୍କର ସେ ସୁପୁତ୍ର । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ଇଂରାଜୀରେ ଡିଗ୍ରୀ ହାସଲ କରିଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟଙ୍କ ଏକମାତ୍ର ଝିଅ ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ ସୋନି ମେହେଟ୍ଟା ।