ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମର ବଡ଼ ସଫଳତା । ୨୦୦୯ ବ୍ୟାଚ୍ ଆଇଏଏସ ଅଫିସର ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଚାକିରିରୁ ସସପେଣ୍ଡ କରିଛନ୍ତି । ଜଣେ ଆଇଏଏସ୍ ବାବୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଚାକିରିରୁ ତଡ଼ା ଖାଇବା ବିଦାୟୀ ବର୍ଷରେ ଚର୍ଚ୍ଚାର ବିଷୟ ହୋଇଛି ।
ରାଜ୍ୟ ସରକାରଙ୍କ ‘ମୋ ସରକାର’ ଅଧୀନରେ ୫-ଟି ତନାଘନା ଜୋରଦାର ଚାଲିଛି । କିଛି ଦିନ ତଳେ ଉଦ୍ୟାନ କୃଷି ବିଭାଗରେ ଅବାଧ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆସିଥିଲା । ଖୋଦ୍ ନିର୍ଦ୍ଦେଶକ ଲାଞ୍ଚ ମାଗୁଥିବାର ନିର୍ଦ୍ଦିଷ୍ଟ ଅଭିଯୋଗ ପାଇଥିଲା ଭିଜିଲାନସ୍ । ତେଣୁ ନିର୍ଦ୍ଦେଶକଙ୍କ କାର୍ଯ୍ୟ ଉପରେ ଜାଲ୍ ବିଛାଇଥିଲା । ଏସଆରଏମ ପ୍ଲାଷ୍ଟୋକେମିକାଲ୍ ପ୍ରାଇଭେଟ ଲିମିଟେଡ଼ ନାମକ ସଂସ୍ଥାର ୫୦ ଲକ୍ଷ ବିଲ୍ ପାସ୍ କରାଇଦେବାକୁ ନିଦେ୍ର୍ଦଶକ ବିଜୟ କେତନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଯାଇଥିଲେ । ଭିଜିଲାନସ୍ ଟିମ୍ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା । ତତକ୍ଷଣାତ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ।
ଖାଲି ସେତିକିରେ ସରକାରୀ କାର୍ଯ୍ୟାନୁଷ୍ଠାନ ସରିନାହିଁ । ଆଇଏଏସ ବାବୁଙ୍କ ବେନାମୀ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ ହୋଇଛି । ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କର ୧୧ଟି ସ୍ଥାନରେ ଚଢ଼ାଉ ହୋଇଛି । ୧୦୦ରୁ ଅଧିକ ଭିଜିଲାନସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ବିଭିନ୍ନ ବିଭାଗରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିଷ୍ପତ୍ତି ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗୁଡ଼ିକର ତନାଘନା ମଧ୍ୟ ଆରମ୍ଭ ହୋଇଯାଇଛି ।
ଖାଲି ତଳିଆ ନୁହଁନ୍ତି ଅନୀତି ଓ ଦୁର୍ନୀତିରେ ଲିପ୍ତ ବଡ଼ବଡ଼ିଆମାନଙ୍କୁ କଠୋର ହସ୍ତରେ ଦମନ କରିବା ପାଇଁ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଦୁର୍ନୀତିରେ ଲିପ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ପୁଣିଥରେ ଚେତାଇ ଦିଆଯାଇଛି ।