ଭୁବନେଶ୍ୱର: ୨୦୧୬ ନୂଆବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ ଯାଉଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବବର୍ଷ ଉପଲକ୍ଷେ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ରାସ୍ତାସାରା ଦୁଇପଟରେ ବଡ଼ ବଡ଼ ବିଜ୍ଞାପନ ହୋର୍ଡିଂ ଲାଗିଥିଲା । ଅଧିକାଂଶ ହୋର୍ଡିଂରେ ଜଗନ୍ନାଥ ଶୋଭା ପାଉଥିଲେ । ମୁଖ୍ୟମନ୍ତ୍ରୀ ଯେଉଁ ହୋର୍ଡିଂରେ ମହାପ୍ରଭୁଙ୍କୁ ଦେଖୁଥିଲେ ଆଖି ବୁଜି ମୁଣ୍ଡିଆ ମାରୁଥିଲେ । ରାସ୍ତା ସାରା ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେଦିନ ଜଗନ୍ନାଥଙ୍କୁ ଦର୍ଶନ ସାରି ଫେରିଲା ବେଳେ ଶ୍ରୀମନ୍ଦିରର ଉନ୍ନତି ପାଇଁ ନିଦେ୍ର୍ଦଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଯାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି ।
ଆଜି ଲୋକସେବା ଭବନରେ ଆୟୋଜିତ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡ଼ର ଚିଠା ଲୋକାର୍ପଣ ସମାରୋହରେ ଏହି ଖୁଲାସା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ତାହାପୁଣି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସାମନାରେ । ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କର ବଡ଼ଭକ୍ତ ବୋଲି ଜଣାଇବାକୁ ଯାଇ ୨୦୧୬ ନବବର୍ଷରେ ତାଙ୍କ ସହ କାଟିଥିବା ମୁହୁର୍ତ୍ତକୁ ମନେ ପକାଇଛନ୍ତି ପାଣ୍ଡିଆନ୍ ।
‘ମୁଁ ସାର୍ ଙ୍କ ପଛସିଟ୍ ରେ ବସିଥିଲି । ରାସ୍ତାରେ ବିଜ୍ଞାପନ ହୋର୍ଡିଂରେ ଶୋଭା ପାଉଥିବା ମହାପ୍ରଭୁଙ୍କୁ ସାର୍ ଆଖି ବୁଜି ମୁଣ୍ଡିଆ ମାରୁଥିବା ଲକ୍ଷ୍ୟ କରିଥିଲି । ତେବେ ଗୋଟେ ଦିଇଟା ଜାଗାରେ ନୁହେଁ, ରାସ୍ତା ସାରା ଦୁଇପଟେ ଜଗନ୍ନାଥଙ୍କ ଫଟୋ ଲାଗିଥିବା ସବୁ ବିଜ୍ଞାପନ ହୋର୍ଡିଂକୁ ଚାହିଁ ମୁଖ୍ୟମନ୍ତ୍ରୀ ଏଭଳି ମୁଣ୍ଡିଆ ମାରୁଥିଲେ । ପୁରୀରେ ପହଞ୍ଚି ଶ୍ରୀମନ୍ଦିରକୁ ପଶିଲା ପରେ ମହାପ୍ରଭୁଙ୍କ ସାମନାରେ ମୁଁ ଜଣେ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଲି’ । ସେଦିନର ସ୍ମୃତିକୁ ଆବେଗଭରା କଣ୍ଠରେ ମନେ ପକାଇଥିଲେ ପାଣ୍ଡିଆନ୍ ।
ଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ରାସ୍ତାରେ ମୁଖ୍ୟମନ୍ତ୍ରୀ ତାଙ୍କ ସହ କଥା ହେଲା ବେଳେ ଶ୍ରୀମନ୍ଦିର କଥା ଉଠାଇ ଗମ୍ଭୀର ହୋଇଯାଇଥିଲେ । ‘ଆମେ ଶ୍ରୀମନ୍ଦିର ବିକାଶ ପାଇଁ କିଛି କଲେ ଭଲ ହେବ’ ବୋଲି ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସେଦିନର ପରିକଳ୍ପନାରୁ ପୁରୀର ବିକାଶ ଯୋଜନା ଆରମ୍ଭ ହେଲା । ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ ମୁଖ୍ୟମନ୍ତ୍ରୀ ବୋଲି ଭାବବିହ୍ୱଳ ପାଣ୍ଡିଆନ୍ କହିଥିଲେ ।
ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାକାର କରିବା ପାଇଁ କିଭଳି ତୁରନ୍ତ କାର୍ଯ୍ୟ ଆରମ୍ଭ କରାଗଲା ସେହି ଗୁମର ବି ଖୋଲିଥିଲେ ପାଣ୍ଡିଆନ୍ । ୨୦୧୬ ଜାନୁଆରୀ ପ୍ରଥମ ସପ୍ତାହରେ ବଡ଼ଦାଣ୍ଡରେ ଥିବା ପୁରୁଣା ଜେଲ୍ କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଗଲା । ଜେଲ୍ ବିଭାଗର ତତ୍କାଳୀନ ଏଡିଜି ଏହି ପ୍ରସ୍ତାବରେ ସହମତି ନଥିଲେ । ଏଭଳି ଅଚାନକ ନିଷ୍ପତ୍ତିର କାରଣ କେହି ବୁଝି ପାରି ନ ଥିଲେ । ତେବେ ୧୪ ମାସ ଭିତରେ ନୂଆ ଜେଲ୍ ନିର୍ମାଣ କରାଯାଇ ପୁରୁଣା ଜେଲ୍ କୁ ସ୍ଥାନାନ୍ତର କରାଗଲା ।