ନୂଆଦିଲ୍ଲୀ: ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । କଂଗ୍ରେସର ବି.କେ.ହରିପ୍ରସାଦଙ୍କୁ ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସମୁଦାୟ ୨୩୨ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ୧୨୫ ଭୋଟ ଆସିଥିଲା ବେଳେ ୟୁପିଏ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଆସିଥିଲା ୧୦୫ ଭୋଟ । ଦୁଇ ଜଣ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ । ହରିବଂଶଙ୍କୁ ଜିତିବା ପାଇଁ ୧୧୯ ଭୋଟ ଆବଶ୍ୟକ ଥିଲା ବେଳେ ସେ ୧୨୫ ଭୋଟ ପାଇଛନ୍ତି ।
ଏନଡିଏ ପ୍ରାର୍ଥୀ ହରିବଂଶ ଜିତିବା ପାଇଁ ବିଜେଡ଼ି ଭୋଟ ନିର୍ଣ୍ଣାୟକ ଥିଲା । ବିଜେଡ଼ିର ୯ ଜଣ ସଦସ୍ୟ ଥିବାରୁ ଦଳର ଗୁରୁତ୍ୱ ବଢ଼ିଯାଇଥିଲା । ବିଜେଡ଼ି ସୁପ୍ରିମୋଙ୍କୁ ମନାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ୍ ଶାହା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରମୁଖ ଉଦ୍ୟମ କରିଥିଲେ । ଆଉ ଶେଷରେ ସେମାନଙ୍କ ଉଦ୍ୟମ ସଫଳ ହୋଇଥିଲା । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନଡିଏ ସମର୍ଥିତ ଜେଡ଼ିୟୁର ହରିବଂଶଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ । ଆଉ ନବୀନଙ୍କ ନିଷ୍ପତ୍ତି କ୍ରମେ ବିଜେଡ଼ି ଭୋଟ ପାଇ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ।