ଭୁବନେଶ୍ୱର: ସମର୍ଥନ ପାଇଲା ପରେ ଧନ୍ୟବାଦ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ୍ କରି ପ୍ରଧାନମନ୍ତ୍ରୀ ତାଙ୍କର ଧନ୍ୟବାଦ ଜଣାଇଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଟେଲିଫୋନ୍ ଯୋଗେ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ଦଳର ପ୍ରାର୍ଥୀ ହରିବଂଶ ନାରାୟଣ ଯାଦବଙ୍କୁ ବିଜେଡ଼ି ସମର୍ଥନ କରିଥିବାରୁ ସେ ନିଜର କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପକ୍ଷରୁ ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କ ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସଭାପତି ଅମିତ୍ ଶାହା ଟେଲିଫୋନ୍ ରେ ନବୀନଙ୍କ ସମର୍ଥନ ମାଗିଥିଲେ । ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନବୀନଙ୍କ ସମର୍ଥନ ମାଗିଥିଲେ । ତେବେ ନିଜ ଆଭିମୁଖ୍ୟକୁ ଝୁଲେଇ ରଖିଥିବା ମୁଖ୍ୟମନ୍ତ୍ରୀ ଶେଷ ମୁହୂର୍ତ୍ତରେ ତାଙ୍କର ନିଷ୍ପତ୍ତି ଶୁଣାଇଥିଲେ । ହରିବଂଶଙ୍କୁ ସମର୍ଥନ ଦେବାକୁ ସେ ଘୋଷଣା କଲେ ଏବଂ ବିଜେଡ଼ିର ସମର୍ଥନ ହରିବଂଶଙ୍କୁ ଜିତାଇ ଆଣିଲା । ଖୋଦ୍ ପ୍ରଧାନମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ନବୀନଙ୍କ ସମର୍ଥନ ଭିକ୍ଷା କରିବା ଏବଂ ନବୀନ ତାହାକୁ ରକ୍ଷା କରି ଏନଡିଏ ପକ୍ଷ ନେବା ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି କରିଛି ।