ଭୁବନେଶ୍ୱର: ମୋର ଟିକେଟ କାଟିବାକୁ କାହାର ଦମ୍ ନାହିଁ । ହେଲେ ମୁଁ ଏଥର ଲଢ଼ିବିନି । ସାମ୍ବାଦିକତାରେ ମନ ଦେବି । ଢ଼େଙ୍କାନାଳର ବିଜେଡ଼ି ସାଂସଦ ତଥାଗତ ଶତପଥୀଙ୍କ ଏହି ଘୋଷଣା ରାଜନୈତିକ ମହଲରେ କୌତୁହଳ ସୃଷ୍ଟି କରିଛି । ତାଙ୍କ ପୁଅ ଚାପରେ ସେ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଉଥିବା ସଫେଇ ଦେଇଥିବା ବେଳେ ରାଜନୀତି ଛାଡ଼ି ସାମ୍ବାଦିକତା କରିବାକୁ ପୁଅ ଚାହିଁଥିବା କହିଛନ୍ତି ।
ତେବେ ତଥାଗତ ଯାହା କହୁଛନ୍ତି ସତ ତ? ୨୦୦୪ ମସିହାରୁ ବିଜେଡ଼ି ସାଂସଦ ଭାବେ ସେ ଢ଼େଙ୍କାନାଳ ଆସନରୁ ନିର୍ବାଚିତ ହେଉଛନ୍ତି । ଲୋକସମ୍ପର୍କ ଥାଉ କି ନ ଥାଉ ଟିକେଟ ବଣ୍ଟା ବେଳକୁ ନବୀନ ନିବାସରୁ ଟିକେଟ ନେଇ ଯାଉଛନ୍ତି । ଅଞ୍ଚଳରେ ତାଙ୍କ ଲୋକପ୍ରିୟତାକୁ ବିଚାର ନ କରି ଏକ ପ୍ରତିଷ୍ଠିତ ଖବରକାଗଜ ମାଲିକ ଭାବେ ନବୀନଙ୍କ ପାଇଁ ସେ ଦରକାରୀ ରହି ଆସିଛନ୍ତି । ୨୦୦୪ ରେ ନିଜ ‘ଧରିତ୍ରୀ’ ଖବରକାଗଜର ସମ୍ପାଦକ ଥିଲେ । ୨୦୧୯ ରେ ବି ଅଛନ୍ତି । ସାଂସଦ ଭାବେ ୧୫ ବର୍ଷ କାଟିବା ପରେ ରାଜନୀତିରୁ ମନ ଛଡ଼େଇ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତା ପ୍ରେମରେ ପଡ଼ିଥିବା ତଥାଗତ କହୁଛନ୍ତି ।
ତଥାଗତଙ୍କ ନିଷ୍ପତ୍ତି ପଛରେ ସେ ଦର୍ଶାଉଥିବା କାରଣକୁ ରାଜନୈତିକ ମହଲ ଜମାରୁ ବିଶ୍ୱାସ କରୁନାହାନ୍ତି । ତାହା ପଛରେ ବିଭିନ୍ନ କାରଣ ଚର୍ଚ୍ଚା ହେଉଛି ।
(୧) ମୁଖ୍ୟ କାରଣ, ତଥାଗତ ଭଲଭାବେ ଜାଣିଛନ୍ତି ଯେ ସେ ଏଥର ନିର୍ବାଚନ ଜିତପାରିବେ ନାହିଁ । କାରଣ ଅଞ୍ଚଳରେ ତାଙ୍କର ଲୋକସମ୍ପର୍କ ଆଦୌ ନାହିଁ କହିଲେ ଚଳେ । ଡରେଇ ମରେଇ ନବୀନଙ୍କଠାରୁ ଟିକେଟ ନେଇଯିବେ ସତ ହେଲେ ଜିତି ପାରିବେ ନାହିଁ । ଥରେ ହାରିଗଲେ ସଫା । ଆଉ କାହା ଆଗରେ ହେଉ ନ ହେଉ, ନିଧି ସାମଲଙ୍କ ଆଗରେ ମୁହଁ ଟେକି ଚାଲିପାରିବେ ନାହିଁ ।
କାହିଁକି ଜିତିପାରିବେନି?
ନିର୍ବାଚନମଣ୍ଡଳୀରେ ତଥାଗତଙ୍କ ଲୋକସମ୍ପର୍କ ତ ନାହିଁ ନାହିଁ । ଜିଲ୍ଲାରେ ବିଧାୟକମାନଙ୍କ ସହ ବି ସମ୍ପର୍କ ନାହିଁ । ଢ଼େଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ିର ବିଧାୟକ ଥିଲେ ମଧ୍ୟ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମା ନାୟକ ଏବଂ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କ ଛଡ଼ା ବିଧାୟକମାନଙ୍କ ସହ ତାଙ୍କର ଅହିନକୂଳ ସମ୍ପର୍କ । ପୁନର୍ବାର ପ୍ରାର୍ଥୀ ହେଲେ ନିଜ ଦଳର ଏହି ବିଧାୟକମାନଙ୍କ ସହଯୋଗ ପାଇବେ ନାହିଁ । ଓଲଟି ସେମାନେ ହରାଇ ଦେବେ ବୋଲି ତଥାଗତ ଭୟ କରୁଛନ୍ତି । ହାରିବା ଅପେକ୍ଷା ଆଗୁଆ ନିରାପଦ ବାଟ ବାଛିନେବାକୁ ସେ ପସନ୍ଦ କରିଥାଇପାରନ୍ତି ।
(୨) ଢ଼େଙ୍କାନାଳରୁ ଏଥର ଆଉ ଟିକେଟ ପାଇବେନି ଏକଥା ତଥାଗତ ଜାଣିସାରିଥିଲେ । ତେଣୁ ଟିକେଟରୁ ବଞ୍ଚିତ ହୋଇ ଅପମାନିତ ସହିବା ଅପେକ୍ଷା ଆଗୁଆ ବାଟ କାଟିଦେବା ଭଲ ଭାବି ସେ ନ ଲଢ଼ିବାର ନିଷ୍ପତ୍ତି ନେଇଛନ୍ତି ।
(୩) ଲୋକସଭା ପାଇଁ ନିଜର ଭବିଷ୍ୟତ ମାଡ଼ ଖାଉଥିବା ଜାଣି ରାଜ୍ୟସଭା ଉପରେ ଆଖି ପକାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ସଲାସୁତୁରାରେ ରହିବେ । ନିର୍ବାଚନ ବେଳେ ବିଜେଡ଼ିକୁ କ୍ଷତି ହେଲା ଭଳି କୌଣସି କାର୍ଯ୍ୟ କରିବେନି । ନବୀନଙ୍କ ବିଶ୍ୱାସଭାଜନ ହିଁ ତାଙ୍କୁ ରାଜ୍ୟସଭାରେ ପହଞ୍ଚାଇବ । ଚତୁର ତଥାଗତଙ୍କର ଏହା ହେଉଛି ଚାଲ୍ ।
(୪) ତଥାଗତ ବିଜେପି ସହ ଭିତିରିଆ ସମ୍ପର୍କରେ ଅଛନ୍ତି । ବୈଜୟନ୍ତ ପଣ୍ଡାଙ୍କ ସହ ବନ୍ଧୁତା ଜମେଇ ସାରିଛନ୍ତି । ଢ଼େଙ୍କାନାଳରେ ବୈଜୟନ୍ତ ପ୍ରାର୍ଥୀ ହେଲେ ତଥାଗତ ତାଙ୍କୁ ଭିତିରିଆ ସମର୍ଥ କରିବେ । ସାଧାରଣ ନିର୍ବାଚନ ସରିଲା ପରେ ରାଜ୍ୟସଭା ବିଜେଡ଼ି ଟିକେଟକୁ ଅପେକ୍ଷା କରିବେ । ନ ପାଇଲେ, ବିଜେପିକୁ ଡେଇଁବେ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବେ ।
ଏହିସବୁ ଆଲୋଚନା କେତେ ସତ କେତେ ମିଛ ତାହା ଜଣାନାହିଁ । ତେବେ ଏକଥା ସତ ଯେ ତଥାଗତ କମ ବଡ଼ ଖୋଳୁଆଡ ନୁହଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ସମ୍ମାନ ଅଛି ବୋଲି ଯାହା କହୁଛନ୍ତି ତାହା ଠିକ୍ ହୋଇପାରେ । ହେଲେ ତାଙ୍କର ସେହି ତଥାକଥିତ ନିର୍ଭୀକ ଓ ନିରପେକ୍ଷ ସାମ୍ବାଦିକତାର ମୁନ ଆଗେ ନବୀନ ପଟ୍ଟନାୟଙ୍କୁ ଯେ ଘାଇଲା ନ କରିବ ତାହା କହିହେବ ନାହିଁ । ତାଙ୍କୁ ସମ୍ଭାଳିବା ବିଜେଡ଼ି ପାଇଁ କଷ୍ଟ ହୋଇପାରେ ।