ଭୁବନେଶ୍ୱର: ଡିଜେଲ୍, ପେଟ୍ରୋଲ୍ ରେଡ୍ଡି କରିଥାଅ । ଡିରେକ୍ସନ୍ ଯିବ ସବୁ ନିଆଁ ମାରିଦେବ । ପରେ ଦେଖାଯିବ ଯାହା ହେବ ।
କଂଗ୍ରେସର ଟାଣୁଆ ଯୁବନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳୀୟ କର୍ମୀମାନଙ୍କୁ ଏଭଳି ନିର୍ଦ୍ଦେଶ ଦେଉଥିବାର ଭିଡ଼ିଓ ଏବେ ଭାଇରାଲ୍ । ଖାଲି କଥାରେ ନୁହେଁ, କାମରେ ବି ସେ ଦେଖାଇଛନ୍ତି । ଆଜି ନବରଙ୍ଗପୁର ବନ୍ଦ ପାଳନ ବେଳେ ଆନ୍ଦୋଳନକାରୀମାନେ ଗୋଟିଏ କାର୍ କୁ ଜାଳି ଦେଇଛନ୍ତି ।
ଆଇନକୁ ହାତକୁ ନେଇଥିବା ଏହି ପୂର୍ବତନ ସାଂସଦ ନିଜ କାର୍ଯ୍ୟ ପାଇଁ ଅନୁତପ୍ତ ନୁହଁନ୍ତି ବୋଲି ଗଣମାଧ୍ୟମରେ ଜୋର୍ କରିଛନ୍ତି । ରାଜ୍ୟରେ ରେପ୍, ମର୍ଡର ଘଟଣା ବଢ଼ି ଚାଲିଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ତେଣୁ ସେ ଚୂଡ଼ି ପିନ୍ଧି ଚୁପ୍ ବସିବେ ନାହିଁ । ଗାନ୍ଧୀ ନୀତିରେ ନ୍ୟାୟ ମିଳୁ ନ ଥିବାରୁ ସୁଭାଷ ବୋଷ ନୀତି ନେଲୁ । ନ୍ୟାୟ ପାଇଁ ହିଂସାକୁ ଆପଣେଇଲୁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି ।
ନବରଙ୍ଗପୁରର କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପୁଲିସ ଏଯାଏଁ ଗିରଫ କରି ନ ଥିବାରୁ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି । ବନ୍ଦ ପାଳନ ବେଳେ ସହରର ଆମ୍ବେଦକର ଛକଠାରେ ଆନ୍ଦୋଳନକାରୀମାନେ ଗୋଟିଏ କାର ଉପରେ ପେଟ୍ରୋଲ୍ ଢ଼ାଳି ଜାଳି ଦେଇଛନ୍ତି । ପ୍ରଦୀପ ମାଝୀଙ୍କ ନିର୍ଦ୍ଦେଶରେ ଏହି କାଣ୍ଡ ହୋଇଥିବା ତାଙ୍କ ବୟାନରୁ ଅନୁମାନ କରାଯାଉଛି । କର୍ମୀମାନେ ଜଳାପୋଡା, ହିଂସାକାଣ୍ଡ କରିବାକୁ ଖୋଲାଖୋଲି ଉସକାଇ ଆଇନକୁ ହାତକୁ ନେଇଛନ୍ତି ।
ପୂର୍ବତନ ସାଂସଦଙ୍କ ଏଭଳି କାର୍ଯ୍ୟରେ ତାଙ୍କର ବିଜେଡ଼ି ପ୍ରତିଦ୍ୱନ୍ଦୀ ରମେଶ ମାଝୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ପ୍ରଦୀପ ମାଝୀଙ୍କ କାମକୁ ଆତଙ୍କବାଦୀର କାମ ବୋଲି କହିଛନ୍ତି । ସଭ୍ୟ ସମାଜରେ ଜଣେ ଦାୟିତ୍ୱସମ୍ପନ୍ନ ନେତା ହିଂସା କରିବା ଶୋଭନୀୟ ନୁହେଁ । ଗତ ନିର୍ବାଚନରେ ପରାଜୟର ରାଗକୁ ନେଇ ସେ ଏମିତି କରୁଛନ୍ତି ବୋଲି କହିଛନ୍ତି ବିଜେଡ଼ି ସାଂସଦ ଶ୍ରୀ ମାଝୀ ।