ଭୁବନେଶ୍ୱର: ହିଂଜିଳିରୁ ପଞ୍ଚମ ଥର ପାଇଁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ୧୧.୧୦ ମିନିଟ୍ ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିର ଯାଇ ମା’ଙ୍କ ଆର୍ଶିବାଦ ନେଇଥିଲେ । ୨୫ ତାରିଖରେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି । କେବଳ ନବୀନ ନୁହଁନ୍ତି, ବିଜେଡ଼ି ଓ କଂଗ୍ରେସରୁ ବହୁ ପ୍ରାର୍ଥୀ ଆଜି ସେମାନଙ୍କର ମନୋନୟନ ପାତ୍ର ଦାଖଲ କରୁଥିବା ଖବର ମିଳିଛି ।
ସୂଚନାଥାଉକି, ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲ ୧୮ ତାରିଖରୁ ଆରମ୍ଭ ହୋଇସାରିଲାଣି । ୨୫ ତାରିଖ ଶେଷ ଦିନ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୬ ତାରିଖରେ ସରିବ । ପ୍ରଥମେ ବିଜେଡ଼ି ଗତ ୧୮ ତାରିଖରେ ୯ ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ସେଦିନ ରାତି ଅଧରେ କଂଗ୍ରେସ ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ବିଜେପି ଏଯାଏଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରି ନ ପାରିବା ସମସ୍ତଙ୍କୁ ବିସ୍ମିତ କରିଛି । ସମୟ ଗଡ଼ି ଯାଉଥିବାରୁ ପ୍ରାର୍ଥୀ ତାଲିକାରେ ବିଳମ୍ବକୁ ନେଇ ଆଶାୟୀମାନେ ଆଶଙ୍କାରେ ପଡ଼ିଛନ୍ତି । ପ୍ରାର୍ଥୀ ଅଙ୍କ ଛିଣ୍ଡାଇବା ପାଇଁ ଗତକାଲି ସଂଧ୍ୟାରୁ ଦିଲ୍ଲୀରେ କସରତ୍ ଚାଲିଥିଲେ ମଧ୍ୟ ଅଙ୍କ ଛିଣ୍ଡିପାରୁନାହିଁ ।
୧୫ ତାରିଖରେ ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ ବସିଥିଲା । ୯ଟି ଲୋକସଭା ଓ ୬୫ ବିଧାନସଭା ଆସନର ପ୍ରାର୍ଥୀ ତାଲିକାକୁ ପରଦିନ ଦିଲ୍ଲୀ ନେଇ ଯାଇଥିଲେ ରାଜ୍ୟ ନେତୃବୃନ୍ଦ । କେନ୍ଦ୍ରୀୟ କମିଟିର ମୋହର ପାଇ ୧୬ ତାରିଖ ସଂଧ୍ୟାରେ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବ କୁହାଯାଇଥିଲା । ତେବେ ୫ ଦିନ ପରେ ମଧ୍ୟ ତାଲିକା ଚୂଡ଼ାନ୍ତ ହୋଇପାରୁନାହିଁ । ୧୭ ତାରିଖରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ଯୋଗୁଁ ୧୮ ତାରିଖ ବୈଠକ ୧୯ ତାରିଖରେ ବସିଥିଲା । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ୟ ରାଜ୍ୟ ସମେତ ଓଡ଼ିଶା ପ୍ରାର୍ଥୀ ତାଲିକା ଉପରେ ଘଣ୍ଟାଚକଟା ହୋଇଥିଲା । ମାତ୍ର ଅଙ୍କ ଛିଣ୍ଡି ନ ଥିଲା । ତେଣୁ ଆଜି(ବୁଧବାର) ପୁଣିଥରେ ବୈଠକ ବସି ପ୍ରାର୍ଥୀ ଚୂଡ଼ାନ୍ତ କରିବାକୁ ଉଦ୍ୟମ ଚାଲିଛି ।
ବିଜେପିର କିଛି ମହଲରୁ ମିଳୁଥିବା ସୂଚନା ଅନୁଯାୟୀ, ପ୍ରାର୍ଥୀ ତାଲିକା ବିଳମ୍ବର କାରଣ ହୋଇଛନ୍ତି ବିଜେଡ଼ି ଅସନ୍ତୁଷ୍ଟ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଜେଡ଼ି ତାଲିକାରୁ ନାଁ କଟିଥିବା ୧୪ ଜଣ ବିଧାୟକଙ୍କ ମଧ୍ୟରୁ ଅଧଡର୍ଜନ ବିଧାୟକ ବିଦ୍ରୋହ କରି ବିଜେପି ବାଟ ଚାହିଁଛନ୍ତି । କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ମଧ୍ୟ ବିଜେପି ଟିକେଟ ପାଇଁ ଆଗ୍ରହୀ ଅଛନ୍ତି । ସେହିଭଳି ବିଜେଡ଼ିରେ ବିଦ୍ରୋହ କରିଥିବା ସୁନ୍ଦରଗଡ଼ର କୁସୁମ ଟେଟେ, ଜୁନାଗଡ଼ର ପ୍ରମୋଦ ପଟ୍ଟନାୟକ, ପାରଳାଖେମୁଣ୍ଡିର କେ.ନାରାୟଣ ରାଓଙ୍କୁ ମଧ୍ୟ ବିଜେପି ଟିକେଟ ଦେବାକୁ ବିଚାର କରୁଛି । ଅନ୍ୟପକ୍ଷରେ ବିଜେଡ଼ି ଝୁଲାଇ ରଖିଥିବା ୯ ଟି ବିଧାନସଭା ଆସନରୁ ବିଦ୍ରୋହୀଙ୍କ ଉପରେ ବିଜେପିର ନଜର ରହିଛି । ତେଣୁ ବିଜେପିର ମୂଳ ଆଶାୟୀ ଏବଂ ଆମଦାନୀ ନେତାଙ୍କୁ ନେଇ ବିଜେପି ଅଙ୍କ ଜଟିଳ ହୋଇପଡ଼ିଛି ।
ଯାହା ବି ହେଲେ, ସମୟ ଗଡ଼ିଯାଉଛି । ବିଜେପି ଆଉ ବିଳମ୍ବ କରିବାର ଜୁ ନାହିଁ । ବିଜେଡ଼ି ବିଦ୍ରୋହୀଙ୍କୁ ଚାହିଁ ବସିଲେ ନିଜ ଘର ଅସମ୍ଭାଳ ହୋଇଯିବାର ଯଥେଷ୍ଟ ଆଶଙ୍କା ରହିଛି । ଏହି ଦୃଷ୍ଟିରୁ ଆଜି ସଂଧ୍ୟା ସୁଦ୍ଧା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯିବ ବୋଲି ରାଜ୍ୟ ନେତୃବୃନ୍ଦ ବିଶ୍ୱାସ ରଖିଛନ୍ତି ।
ବିଜେପି ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ବିଜେଡ଼ି ସମାଲୋଚନା କରିଛି । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ବିଜେପି ପର ତିଅଣରେ ଅତିଥି ଚର୍ଚ୍ଚା କରିବାକୁ ଚାହିଁ ବସିଛି । ମିଶନ ୧୨୦ର ଦମ୍ଭ ଦେଖାଉଥିବା ବିଜେପି ୧୨୦ ଟି ଆସନ ପାଇଁ ପ୍ରାର୍ଥୀ ଖୋଜିପାଉନି ଏବଂ ବିଜେଡ଼ି ଅସନ୍ତୁଷ୍ଟଙ୍କୁ ଚାହିଁ ବସିଛି ବୋଲି ସେ କଟାକ୍ଷ କରିଛନ୍ତି ।