ଭୁବନେଶ୍ୱର: ଦୀର୍ଘ ୮ ଘଣ୍ଟାର ନିଖୋଜ ନାଟକରୁ ପର୍ଦ୍ଦା ହଟିଛି । ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକତାରେ ଠାବ ହୋଇଛନ୍ତି । ତାଙ୍କୁ ନିଶାଶକ୍ତ ଅବସ୍ଥାରେ କୋଲକତା ପୁଲିସ ଠାବ କରିଥିବା ଜଣାପଡ଼ିଛି । କେହି ଚା’ ରେ ତାଙ୍କୁ ନିଶା ଦେଇ ଲୁଟପାଟ କରିଥିବା ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି । ତେବେ ତାଙ୍କ ପୁଅ ସତ କହୁଛନ୍ତି ନା ଘଟଣା ପଛରେ ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।
ଗତ ୨୯ ତାରିଖ ଦିନ ନବୀନ ନନ୍ଦ ବ୍ୟବସାୟିକ କାର୍ଯ୍ୟରେ କୋଲକତା ଯାଇଥିଲେ । ସେକ୍ସପିୟର୍ ସାରଣୀ ଥାନା ଅଞ୍ଚଳର ହୋଟେଲ ‘ଅରିସି’ ର ୪୦୩ ନମ୍ବର ରୁମ୍ ରେ ସେ ରହୁଥିଲେ । ଆଜି ସକାଳେ ସେ କୋଲକତାରୁ ବିମାନରେ ଫେରିଥାନ୍ତେ । ସକାଳ ୭ ଟା ବେଳେ ସେ ଆସିବାକୁ ଥିବା ବିମାନ କୋଲକତା ଛାଡ଼ିଥିଲା । ମାତ୍ର ସେ ଆସି ନ ଥିଲେ । ତାଙ୍କ ଫୋନ୍ ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା । ସେପଟେ ହୋଟେଲ୍ ରୁମ୍ ରେ ତାଙ୍କର ସବୁ ଜିନିଷପତ୍ର ଅକ୍ଷତ ଅବସ୍ଥାରେ ଥିଲା । ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ନ ପାରିବାରୁ ବଡ଼ପୁଅ ସମ୍ବିତ ତୁରନ୍ତ କୋଲକତା ଯାଇଥିଲେ । ବାପାଙ୍କ ଖୋଜଖବର ମିଳୁ ନ ଥିବାରୁ ଥାନାରେ ଏତଲା ଦେଇଥିଲେ ।
ତେବେ ଥାନାରେ ଏତଲା ହେବାର କେଇ ଘଣ୍ଟା ପରେ ନବୀନ ନନ୍ଦଙ୍କୁ ନିଶାସକ୍ତ ଅବସ୍ଥାରେ ଠାବ କରାଯାଇଥିବା ସୂଚନା ମିଳିଛି । ତାଙ୍କ ପୁଅଙ୍କ ସୂଚନା ସତ ହୋଇଥିଲେ, ତାଙ୍କୁ କିଏ କେଉଁଭଳି ଅବସ୍ଥାରେ ନିଶା ଖୁଆଇଲା ତାହାର ସବିଶେଷ ତଥ୍ୟ ମିଳିନାହିଁ । ତାଙ୍କଠାରୁ କ’ଣ ଜିନିଷ ଲୁଟ୍ ହୋଇଛି ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନି ।
କୋଲକତାରେ ନବୀନ ନନ୍ଦଙ୍କ ନିଖୋଜ ଖବରକୁ ଅପହରଣର ରୂପ ଦେବାକୁ ଏଠି କିଛି ନିର୍ଦ୍ଦିଷ୍ଟ ମହଲରେ ଉଦ୍ୟମ ହୋଇଥିବା ଦେଖିବାକୁ ମିଳିଥିଲା । ରାଜନୈତିକ କାରଣରୁ ତାଙ୍କୁ ଅପହରଣ କରାଯାଇଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ଲୁଟପାଟ ଉଦ୍ଦେଶ୍ୟରେ ତାଙ୍କୁ ଚା’ ରେ ନିଶା ଦିଆଯାଇଥିବା ତାଙ୍କ ପୁଅ ସୂଚନା ଦେବା ପରେ ଏହି ଚର୍ଚ୍ଚା ଭୁଲ୍ ପ୍ରମାଣିତ ହୋଇଛି ।