ଢ଼େଙ୍କାନାଳ: କୋଲକତା ଯାଇଥିବା ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ସେଠାରେ ନିଖୋଜ ହୋଇଯାଇଛନ୍ତି । ଆଜି ସକାଳୁ ତାଙ୍କର କୌଣସି ପତ୍ତା ମିଳୁନି । ନବୀନଙ୍କୁ ଖୋଜିବା ପାଇଁ ତାଙ୍କ ବଡ଼ପୁଅ ସମ୍ବିତ କୋଲକତା ଯାଇଛନ୍ତି । ସେକ୍ସପିୟର୍ ସାରଥୀ ଥାନାରେ ସେ ବାପାଙ୍କ ନିଖୋଜ ସଂକ୍ରାନ୍ତରେ ଏତଲା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୯ ତାରିଖ ଦିନ ନବୀନ ନନ୍ଦ ବ୍ୟବସାୟିକ କାର୍ଯ୍ୟରେ କୋଲକତା ଯାଇଥିଲେ । ସେକ୍ସପିୟର୍ ସାରଣୀ ଥାନା ଅଞ୍ଚଳର ହୋଟେଲ ‘ଅରିସି’ ର ୪୦୩ ନମ୍ବର ରୁମ୍ ରେ ସେ ରହୁଥିଲେ । ଗତକାଲି ରାତିରେ ସେ ତାଙ୍କ ପରିବାର ସହ ଫୋନ୍ ରେ କଥା ହୋଇଥିଲେ । ଆଜି ସକାଳେ ସେ କୋଲକତାରୁ ବିମାନରେ ଫେରିଥାନ୍ତେ । ସକାଳ ୭ ଟା ବେଳେ ବିମାନ କୋଲକତା ଛାଡ଼ିବାର ଥିଲା । ତାଙ୍କର ଫେରନ୍ତାକୁ ପରିବାର ଚାହିଁ ବସିଥିଲେ ମଧ୍ୟ ସେ ଫେରି ନ ଥିଲେ । ତାଙ୍କୁ ଫୋନ୍ କରାଯାଇଥିଲା, ମାତ୍ର ଫୋନ୍ ସୁଇଚ୍ ଅଫ ଥିଲା । ଏମିତି ପରିସ୍ଥିତିରେ ବଡ଼ପୁଅ ସମ୍ବିତ ତୁରନ୍ତ କୋଲକତା ଯାଇଛନ୍ତି । ସେଠାରେ ସାରଣୀ ହୋଟେଲର ସେ ରହୁଥିବା ରୁମ୍ ରେ ତାଙ୍କର ସବୁ ଜିନିଷପତ୍ର ଥିବାର ସେ ଦେଖିଛନ୍ତି । ମାତ୍ର ତାଙ୍କର ଖୋଜଖବର ନେଇ ନିରାଶ ହେବା ପରେ ଥାନାରେ ଏତଲା ଦେଇଛନ୍ତି ।
ନବୀନ ନନ୍ଦଙ୍କ ନିଖୋଜ ଘଟଣା ତାଙ୍କ ପରିବାର ଲୋକଙ୍କୁ ଆତଙ୍କିତ କରିଥିବା ବେଳେ ସମଗ୍ର ଢ଼େଙ୍କାନାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିନାହିଁ । ସୂଚନାଯୋଗ୍ୟ, ନିକଟରେ ଜୁନ୍ ୪ ତାରିଖରେ ଗଁଦିଆ ବ୍ଲକ୍ ଠାକୁରପାଳ ଗାଁରେ ନବୀନ ନନ୍ଦଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା ।