ଢ଼େଙ୍କାନାଳ: ଗ୍ରାମୀଣ ଆବାସ ଯୋଜନାରେ ଢ଼େଙ୍କାନାଳ ଜିଲ୍ଲା ରାଜ୍ୟରେ ଏକ ନମ୍ବର । ଖାଲି ସେତିକି ନୁହେଁ, ନୀତି ଆୟୋଗଙ୍କ ଦ୍ୱାରା ଘୋଷିତ ଦେଶର ୧୧୦ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଢ଼େଙ୍କାନାଳ ବି ଏକ ନମ୍ବର ସ୍ଥାନରେ ରହିଛି । ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସରେ ଜିଲ୍ଲାପାଳ ଭୂମେଶ କୁମାର ବେହେରା ଏହି ସୂଚନା ଦେଇଛନ୍ତି ।
ପଞ୍ଚାୟତିରାଜ ଦିବସ ଅବସରରେ ପିଡି ଡିଆରଡିଏ ସମ୍ମିଳନୀ କକ୍ଷରେ ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଗ୍ରାମୀଣ ଆବାସ ଯୋଜନା ପାଇଁ ଜିଲ୍ଲାର ଗଁଦିଆ ପଞ୍ଚାୟତ ଏବଂ ମନରେଗା ପାଇଁ ମନ୍ଦାର ପଞ୍ଚାୟତ ଶ୍ରେଷ୍ଠ ବିବେଚିତ ହୋଇଛି । ଗ୍ରାମୀଣ ଆବାସ ଯୋଜନାରେ ଶତ ପ୍ରତିଶତ ସଫଳତା ପାଇଁ ଗଁଦିଆ ପଞ୍ଚାୟତର ପିଇଓ ଅନ୍ତର୍ଯ୍ୟାମୀ ବାରିକ, ସରପଞ୍ଚ ପ୍ରଭାକର ବେହେରା ଏବଂ ଜିଆରଏସ୍ ନିଶିଥ୍ ରାଉତ ସମ୍ମାନିତ ହୋଇଛନ୍ତି । ସେହିଭଳି ମନରେଗା ପାଇଁ ମନ୍ଦାର ପଞ୍ଚାୟତର ପିଇଓ ପବିତ୍ର ମୋହନ ବାରିକ, ସରପଞ୍ଚ ଦିଲ୍ଲୀପ ସାହୁ ଏବଂ ଜିଆରଏସ୍ ବରଦା ପ୍ରସନ୍ନଙ୍କୁ ସମ୍ମାନିତ କରାଯାଇଛି ।
ଗ୍ରାମୀଣ ଆବାସ ଯୋଜନାରେ ଜିଲ୍ଲାର ୮ଟି ଯାକ ବ୍ଲକ୍ ମଧ୍ୟରୁ ଗଁଦିଆ, ଭୁବନ, ହିନ୍ଦୋଳ, କଙ୍କଡ଼ାହାଡ଼, ଓଡ଼ାପଡ଼ା ଏବଂ ପର୍ଜଙ୍ଗ ବ୍ଲକ୍ ର ୩ଟି ଲେଖାଏଁ ଏବଂ ଢ଼େଙ୍କାନାଳ ସଦର ବ୍ଲକ୍ ର ୫ଟି ଓ କାମାକ୍ଷନଗର ବ୍ଲକ୍ ର ୪ଟି ପଞ୍ଚାୟତର ପ୍ରଦର୍ଶନ ଯଥେଷ୍ଟ ଭଲ ରହିଛି । ମନରେଗା ଯୋଜନା କାର୍ଯ୍ୟକାରୀ କରିବାରେ ପ୍ରତି ବ୍ଲକ୍ ର ଗୋଟିଏ ଲେଖାଏଁ ପଞ୍ଚାୟତ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସରକାରୀ ଯୋଜନାର ସଫଳ ରୂପାୟନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ବେହେରା ଏବଂ ପିଡି ଡିଆରଡିଏ ନରୋତ୍ତମ ବେହେରା ଏସବୁ ପଞ୍ଚାୟତର ସରପଞ୍ଚ ଏବଂ ଅଧିକାରୀମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ।