ଭୁବନେଶ୍ୱର: ଏବର୍ଷ ହେବ ନାହିଁ ଯୁକ୍ତ ତିନି ଏବଂ ପିଜି ଫାଇନାଲ୍ ପରୀକ୍ଷା । କୋଭିଡ୍ ଲକ୍ ଡାଉନ୍ ପାଇଁ ବାକି ଥିବା ଏହି ଦୁଇ ପାଠ୍ୟକ୍ରମର ଶେଷବର୍ଷ ଥିଓରୀ ଓ ପ୍ରାକ୍ଟିକାଲ୍ ପରୀକ୍ଷାକୁ ବାତିଲ୍ ଘୋଷଣା କରାଯାଇଛି । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜଗୁଡ଼ିକ ବିକଳ୍ପ ମୂଲ୍ୟାୟନ ଜରିଆରେ ଶେଷ ସେମିଷ୍ଟର୍ ଗୁଡ଼ିକର ମୂଲ୍ୟାୟନ କରି ଅଗଷ୍ଟ ମାସ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବେ ।
ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱୟଂଶାସିତ କଲେଜ ଅଧ୍ୟକ୍ଷମାନଙ୍କ ସହିତ ଅଲୋଚନା କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଓଡ଼ିଶାରେ ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ କୋଭିଡ୍ ଗାଇଡ଼ ଲାଇନ୍ ଭିତରେ ପରୀକ୍ଷା କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି କୁଳପତି ଓ ଅଧ୍ୟକ୍ଷମାନେ ମତ ଦେଇଥିଲେ । ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା ଅନୁସରଣ କରିବା ଅଧିକ ଶ୍ରେୟସ୍କର ହେବ ବୋଲି ସେମାନେ କହିଥିଲେ । ଅନ୍ୟ ରାଜ୍ୟମାନେ ପରୀକ୍ଷା ବାତିଲ କରି ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଗ୍ରହଣ କରିଥିବାରୁ ଏହା ଉପରେ ବ୍ୟାପକ ବିଚାରବିମର୍ଷ ପରେ ମନ୍ତ୍ରୀ ଡ. ସାହୁ ୟୁଜି ଓ ପିଜି ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କେମିତି ହେବ ବିକଳ୍ପ ମୂଲ୍ୟାୟନ
Final Year/Final Semester ର ପ୍ରତ୍ୟେକ ବିଷୟ ପାଇଁ ନିମ୍ନଲିଖିତ ଭାବେ ମୂଲ୍ୟାୟନ କରି ମାର୍କ ଦିଆଯିବ ।
(Prescribed Weightage ଅନୁସାରେ Internal Mark) + (Remaining Weightage ପାଇଁ ପୂର୍ବ ସେମିଷ୍ଟର୍ ପରୀକ୍ଷାଗୁଡ଼ିକରେ ସଂପୃକ୍ତ ବିଷୟରେ ଛାତ୍ରଛାତ୍ରୀମାନଙ୍କ Average ମାର୍କ)
– ଯେଉଁ ଛାତ୍ରଛାତ୍ରୀ ଭାବିବେ ଯେ ସେମାନେ Final Year/Final Semester ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା ମାର୍କଠାରୁ ଅଧିକ ମାର୍କ ପାଇବା ପାଇଁ ହକଦାର, ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ । ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନେ ଆସନ୍ତା ନଭେମ୍ବର ସୁଦ୍ଧା ପରୀକ୍ଷା କରାଇବେ । ସଂପୃକ୍ତ ଛାତ୍ରଛାତ୍ରୀଙ୍କ ସଂଶୋଧିତ ରେଜଲ୍ଟ ଡିସେମ୍ବର ମଧ୍ୟରେ ପ୍ରକାଶ ପାଇବ ।
– ଯେଉଁ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜମାନଙ୍କରେ ୟୁଜି ଓ ପିଜିର ଥିଓରୀ ବା ପ୍ରାକ୍ଟିକାଲ୍ ପରୀକ୍ଷା ପୂର୍ବରୁ ହୋଇସାରିଛି, ସେହି ପରୀକ୍ଷା ପାଇଁ ଉପରୋକ୍ତ ନିଷ୍ପତ୍ତି ଲାଗୁ ହେବ ନାହିଁ । ସାଧାରଣ ପ୍ରଣାଳୀରେ ମୂଲ୍ୟାୟନ ହେବ ।
– ଯେଉଁ Final Year/Final Semester ଛାତ୍ରଛାତ୍ରୀଙ୍କର ଗୋଟିଏ କିମ୍ବା ଦୁଇଟି ବ୍ୟାକ୍ ପେପର୍ ଥିବ, ତାଙ୍କ ପାଇଁ ସେହି ବ୍ୟାକ୍ ପେପର୍ ପରୀକ୍ଷା ବାତିଲ କରାଯିବ । Proportionate Quotient(P-Q) ବା ଅନ୍ୟ କୌଣସି Method ଜରିଆରେ ବ୍ୟାକ୍ ପେପର୍ Evaluation କରାଯିବ ।
– ଯେଉଁ Final Year/Final Semester ଛାତ୍ରଛାତ୍ରୀଙ୍କର ଦୁଇରୁ ଅଧିକ ବ୍ୟାକ୍ ପେପର୍ ଥିବ, ସେମାନେ ସବୁ ବ୍ୟାକ୍ ପେପର୍ ପାଇଁ ସାଧାରଣ ରୀତିରେ ପରୀକ୍ଷା ଦେବେ । ଏହାର କାର୍ଯ୍ୟସୂଚୀ ସଂପୃକ୍ତ ବିଶ୍ୱବିଦ୍ୟାଳୟ/କଲେଜ ଧାର୍ଯ୍ୟ କରିବେ ।
ତେବେ ମେଡ଼ିକାଲ୍ ପାଠ୍ୟକ୍ରମରେ ଏହା ଲାଗୁ ହେବ ନାହିଁ । ସମସ୍ତ ପରୀକ୍ଷା ଧାର୍ଯ୍ୟ ତାରିଖରେ ଯଥାରୀତି ସମ୍ପାଦିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।