ନୂଆଦିଲ୍ଲୀ: ଦୀର୍ଘ ପ୍ରାୟ ଦେଢ଼ମାସ ଧରି ଯାତ୍ରୀଙ୍କ ପାଇଁ ବନ୍ଦ ରହିଥିବା ଟ୍ରେନ୍ ସେବା ମଙ୍ଗଳବାରଠାରୁ ଆରମ୍ଭ ହେବ । ତେବେ ଏକାଥରକେ ସବୁ ଟ୍ରେନ୍ ନ ଚାଲି ପର୍ଯ୍ୟାୟକ୍ରମେ ଚାଲିବ । ୧୨ ତାରିଖରୁ ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ୍ (ଯିବା ଆସିବା ୩୦ ଟ୍ରେନ୍) ଚଳାଚଳ କରିବ । ସ୍ୱତନ୍ତ୍ର ଟ୍ରେନ୍ ଭାବେ ଏଗୁଡ଼ିକ ନୂଆଦିଲ୍ଲୀ ଷ୍ଟେସନ୍ ରୁ ବିଭିନ୍ନ ସହରକୁ ଗଡ଼ିବ । ଏଥିରେ ଭୁବନେଶ୍ୱକୁ ଟ୍ରେନ୍ ସେବା ରହିଛି । ଆସନ୍ତାକାଲି ଅପରାହ୍ନ ୪ଟାରୁ ବୁକିଂ ଆରମ୍ଭ ହେବ । ତେବେ କେବଳ ଆଇଆରସିଟଇସି ଜରିଆରେ ହିଁ ଟିକେଟ ବୁକ୍ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦିବ୍ରୁଗଡ଼, ଅଗରତାଲା, ହାୱାଡା, ପାଟଣା, ବିଳାସପୁର, ରାଞ୍ଚି, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭନନ୍ତପୁରମ୍, ମଦଗାଁଓ, ମୁମ୍ବାଇ ସେଣ୍ଟ୍ରାଲ୍, ଅହମ୍ମଦାବାଦ ଏବଂ ଜାମ୍ମୁ ତାୱିକୁ ଟ୍ରେନ୍ ଚଳାଚଳ କରିବ ।
ପରବର୍ତ୍ତୀ ସମୟରେ ନୂଆ ରୁଟ୍ ରେ ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରାଯିବ । ୨୦ ହଜାର କୋଚ୍ ରେ କୋଭିଡ୍-୧୯ କେୟାର୍ ସେଣ୍ଟର ଏବଂ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଶ୍ରମିକ ସ୍ପେଶାଲ୍’ ଭାବେ ପ୍ରତିଦିନ ୩୦୦ ଟ୍ରେନ୍ ରିଜର୍ଭ ରଖାଯିବା ପରେ ଯାଇ ଅବଶିଷ୍ଟ କୋଚ୍ ର ଉପଲବ୍ଧତା ଦେଖି ଏହି ସେବା ଯୋଗାଇ ଦିଆଯିବ ।
ଆସନ୍ତାକାଲି(ସୋମବାର) ଅପରାହ୍ନ ୪ଟାରେୁ ଆଇଆରସିଟିସି ୱେବସାଇଟ୍(https://www.irctc.co.in/ ) ରେ କେବଳ ଟିକେଟ ବୁକିଂ ହେବ । ରେଳଷ୍ଟେସନ୍ ରେ ଟିକେଟ୍ ବୁକିଂ କାଉଣ୍ଟର ବନ୍ଦ ରହୁଥିବାରୁ ସେଠାରେ ଟିକେଟ ଉପଲବ୍ଧ ହେବ ନାହିଁ । ଯେଉଁମାନଙ୍କର ଟିକେଟ କନଫର୍ମ ହେବ କେବଳ ସେମାନଙ୍କୁ ହିଁ ପ୍ଲାଟଫର୍ମରେ ପ୍ରବେଶ ଅନୁମତି ମିଳିବ ।
ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ଏବଂ ଷ୍ଟେସନ୍ ରେ ସ୍କ୍ରିନିଂ କୁ ବାଧ୍ୟତାମୂଳକ କରାଯାଇଛି । କରୋନା ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଟ୍ରେନ୍ ରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।