– ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
– ଘର ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ
– ପଞ୍ଚାୟତରେ ମାଗଣାରେ ରହିବେ,୨ ହଜାର ପାଇବେ
ଭୁବନେଶ୍ୱର: ଲକ୍ ଡାଉନ୍ ରେ ଫସି ରହିଥିବା ଓଡ଼ିଆମାନେ ରାଜ୍ୟକୁ ଫେରିଲା ପରେ ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସଂପୃକ୍ତ ବ୍ୟକ୍ତିମାନେ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କ ପରିବାର ଓ ବନ୍ଧୁମାନେ ନିଜ ପଞ୍ଚାୟତରେ ନାଁ ରେଜିଷ୍ଟ୍ରେସନ୍ କରିବେ । ଫେରିଲା ପରେ ସେହି ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ରେ ରହିବେ । ସେମାନଙ୍କର ଖାଇବା, ରହିବା ଓ ଚିକିତ୍ସା ସବୁ ମାଗଣାରେ ଯୋଗାଇ ଦିଆଯିବ । କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ପ୍ରୋତ୍ସାହନ ରାଶି ଭାବେ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଦିଆଯିବ ।
ସମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଅନ୍ୟ ରାଜ୍ୟରେ ଅଟକି ରହିଥିବା ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ରୋଗୀ ଏବଂ ପ୍ରଫେସନାଲ୍ ଙ୍କ ଦୁର୍ଦ୍ଦଶାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବାକୁ ଅପିଲ୍ କରିଛନ୍ତି ।
ଅନ୍ୟ ରାଜ୍ୟରୁ ଫେରନ୍ତା ଓଡ଼ିଆଙ୍କ ରେଜିଷ୍ଟ୍ରେସନ୍ ଓ କ୍ୱାରେଣ୍ଟାଇନ୍ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଅନୁଷ୍ଠାନଗୁଡ଼ିକ ଉପରେ ଦାୟିତ୍ୱ ଛାଡ଼ିଛନ୍ତି । କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଖାଲି ପଞ୍ଚାୟତ ଉପରେ ଦାୟିତ୍ୱ ଛାଡ଼ି ସରକାର ବସିଯିବେ ନାହିଁ । ଯେତେବେଳେ କଟକଣା ଉଠିଯିବ, ସେତେବେଳେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନଙ୍କ ସହିତ ଓଡ଼ିଶା ସରକାର ଆଲୋଚନା କରିବେ । ଏଥିପାଇଁ ଟେକ୍ନାଲୋଜିର ସୁବିଧା ନିଆଯିବ । ତେବେ ସମସ୍ୟା ବହୁତ ବଡ଼ ହୋଇଥିବାରୁ ମାନବିକତା ଦୃଷ୍ଟିଭଙ୍ଗୀ ଦେଇ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇଛି । ଗ୍ରାମ ପଞ୍ଚାୟତ ଓ ଅର୍ବାନ୍ ଲୋକାଲ୍ ବଡି ମାନଙ୍କୁ ସାଥରେ ନେଇ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି, ଅସାଧାରଣ ସମାଧାନ ଆବଶ୍ୟକ କରେ । ପଞ୍ଚାୟତ ଏବଂ ଅର୍ବାନ୍ ଲୋକାଲ୍ ବଡି ମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍ ଭାବେ ମୁକାବିଲା କରିପାରିବା । ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ଏବଂ କୋଭିଡ୍-୧୯ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ମଜବୁତ କରିପାରିବା ।
ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଭିଡ଼ିଓ ବାର୍ତ୍ତାରେ ପୁଣି କହିଛନ୍ତି,
“ଗତ ୯ ତାରିଖ ଦିନ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ଏହି ୧୦ ଦିନ ମଧ୍ୟରେ ବିଶ୍ୱରେ କରୋନା ପଜିଟିଭ୍ କେସ୍ ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଏହି ସମୟ ମଧ୍ୟରେ, ଆମ ଦେଶରେ କରୋନା ପଜିଟିଭ୍ କେସ୍ ତିନି ଗୁଣ ହୋଇ ୧୫ ହଜାରରେ ପହଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇ ୨୦୦ରୁ ବଢ଼ି ୫୦୦ରୁ ଅଧିକ ହେଲାଣି । ଗତ ୯ ତାରିଖରେ ଓଡ଼ିଶାରେ ପଜିଟିଭ୍ କେସ୍ ୪୨ ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ୍ କେସ୍ ୬୧ ରେ ପହଞ୍ଚିଛି ।
ଆମର ଟେଷ୍ଟ ତିନି ଗୁଣ କରାଯାଇଛି ଏବଂ ଆମର ଆକ୍ଟିଭ୍ କେସ୍ ମଧ୍ୟ କମିଛି । ଏହା କେବଳ ସମ୍ଭବ ହୋଇଛି, ଆପଣମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ତ୍ୟାଗ ଯୋଗୁଁ । ଏଥିରେ ଅଛି ପ୍ରତି ଲୋକର ତ୍ୟାଗ, ପ୍ରତି ପରିବାରର ତ୍ୟାଗ, ମା ମାନଙ୍କ ତ୍ୟାଗ ଏବଂ ନିଷ୍ଠାର ସହ କାମ କରୁଥିବା ଆମ ସମସ୍ତଙ୍କର ତ୍ୟାଗ ।
ଏ ଲଢ଼େଇ ଲମ୍ବା ଲଢ଼େଇ । ଏଥିପାଇଁ ଆମକୁ ଆଗକୁ ଅଧିକ ସାମବଧାନ ରହିବାକୁ ପଡ଼ିବ ।”