ରାଜ୍ୟସଭା ପ୍ରାର୍ଥୀ,ପ୍ରମୁଖ ସଂସ୍ଥା ମୁଖିଆଙ୍କ ନାଁ ଏକାସାଙ୍ଗେ ହୋଇପାରେ ଘୋଷଣା
ଭୁବନେଶ୍ୱର: ଗୋଟିଏ ଥାକରେ ଘୋଷଣା ହେବ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା କମିଶନ ଅଧ୍ୟକ୍ଷ, ଓଡ଼ିଶା ହାଉସିଂ ବୋର୍ଡ ଏବଂ ବିଡ଼ିଏ ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ନାଁ । ୨୫ ତାରିଖ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିବାରୁ ସମ୍ଭବତଃ ୨୩ କିମ୍ବା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ନାଁ ଘୋଷଣା କରିବେ । ସମସ୍ତ ଆଶାୟୀଙ୍କୁ ଥଇଥାନ କରିବା ଯୋଜନାରେ ମୁଖ୍ୟମନ୍ତ୍ରୀ ଏଭଳି ବିଚାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ରାଜ୍ୟସଭାର ତିନୋଟି ଆସନ ପାଇଁ ବିଜେଡ଼ିରେ ଅତି କମ୍ ରେ ୧୫ ଜଣ ଆଶା ବାନ୍ଧି ବସିଛନ୍ତି । ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ନେତା ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ପ୍ରତିଶ୍ରୁତିକୁ ମନରେ ଧରି ନିଶ୍ଚିତ ରହିଛନ୍ତି । ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟିଲା ବେଳେ ରାଜ୍ୟସଭା ଆସନର ଥୋପ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତାହା କରନ୍ତି ବୋଲି ଶ୍ରୀ ପାଟ୍ଟଶାଣୀ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି ।
ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ ବାରିପଦାଠାରେ ଶ୍ରୀ ପାଟ୍ଟଶାଣୀ ଦଳୀୟ କର୍ମୀମାନଙ୍କୁ ବିଜେଡ଼ି ଏବଂ ନବୀନଙ୍କ ବିରୋଧରେ ଯେଉଁ କଟୁ ମନ୍ତବ୍ୟ ଦେଇଥିଲେ ତାହା ବୋଧହୁଏ ଭୁଲି ଯାଇଛନ୍ତି । ସେ କହିଥିଲେ, ଚଳିତ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ଘଟିବ । ଅପରାଜିତା ଷଡ଼ଙ୍ଗୀଙ୍କୁ ସେ ବି ଭୋଟ ଦେଇଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟାଣୁଆ ଅରୁଚିକର ମନ୍ତବ୍ୟ ଦେବାକୁ ବି ସେ ପଛାଇ ନ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିଥିବାରୁ ସେ ତାଙ୍କ ପ୍ରତିଶ୍ରୁତିର ପୁନର୍ବିଚାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ମନ ଏ ଯାଏଁ ସ୍ପଷ୍ଟ ଜଣାପଡୁନାହିଁ ।
ଯାହା ବି ହେଉ, ୩ ଟି ଆସନ ପାଇଁ ଗଣମାଧ୍ୟମ ଚର୍ଚ୍ଚାରେ ରହୁଥିବା ଅନ୍ୟ ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ଅଛନ୍ତି ଅମର ପଟ୍ଟନାୟକ, ଅରୂପ ପଟ୍ଟନାୟକ, ରବୀନ୍ଦ୍ର ଜେନା, ସଞ୍ଚୟ ଦାସବର୍ମା, ମହେଶ୍ୱର ମହାନ୍ତି, ପୁଷ୍ପେନ୍ଦ୍ର ସିଂହଦେଓ, ଅନୁପ ସାଏ, ଶ୍ରୀମୟୀ ମିଶ୍ର, ଡ. ସସ୍ମିତ୍ ପାତ୍ର । ଗଣମାଧ୍ୟମ ଚର୍ଚ୍ଚାରେ ନ ଥିବା ଆଉ କିଛି ଦକ୍ଷ ନେତାଙ୍କ ନାଁ ବି ଆଶାୟୀ ତାଲିକାରେ ରହିଛି । ନିର୍ବାଚନରେ ପରାଜୟ ବରଣ କରିଥିବା ବଲାଙ୍ଗୀର ରାଜ ପରିବାରର ଆଖି ବି ରାଜ୍ୟସଭା ଆସନ ଉପରେ । ଅନଙ୍ଗ ଉଦୟ ସିଂହଦେଓ ନିଜେ ନଚେତ ତାଙ୍କ ପୁଅ କଳିକେଶଙ୍କ ପାଇଁ ଆଶାୟୀ ରହିଛନ୍ତି । ବରୀ ଆସନ ପାଇଁ ବିଜେଡ଼ି ଟିକେଟରୁ ବାରମ୍ବାର ବଞ୍ଚିତ ହୋଇଥିବା ବିଜୟ ନାୟକ, କଟକ ବାରବାଟୀ ଟିକେଟରୁ ନିରାଶ ହୋଇଥିବା ସୁବାସ ସିଂ ବି ରାଜ୍ୟସଭା ଟିକେଟ ଦୌଡରେ ଅଛନ୍ତି । ବିଜେପୁର ଟିକେଟ ନ ହେଲେ ନଳିନୀ ପ୍ରଧାନ ଏବଂ ସୁବାସ ଚୌହ୍ୱାନ୍ ଙ୍କର ଆଖି ବି ରାଜ୍ୟସଭା ଆସନ ଉପରେ ରହିଛି ।
ବିଶ୍ୱସ୍ତ ମହଲର ସୂଚନା ଅନୁଯାୟୀ, ଆଶାୟୀଙ୍କ ସଂଖ୍ୟା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟସଭା ପ୍ରାର୍ଥୀ ଚୟନ ସହଜ ହେଉନାହିଁ । କାହାରିକୁ ନିରାଶ ନ କରି ଅନ୍ୟତ୍ର ଥଇଥାନ ଯୋଜନାରେ ଅଛନ୍ତି । ଯୋଜନା ବୋର୍ଡ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା କମିଶନ, ହାଉସିଂ ବୋର୍ଡ ଏବଂ ବିଡ଼ିଏ ଭଳି ସଂସ୍ଥାରେ ସେମାନଙ୍କୁ ଥଇଥାନ କରିବେ । ତେଣୁ ଏକା ସାଙ୍ଗରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ସହ ଏହି ସଂସ୍ଥାଗୁଡ଼ିକର ଅଧ୍ୟକ୍ଷଙ୍କ ନାଁ ଘୋଷଣା ହୋଇପାରେ ।
ଆସନ୍ତାବର୍ଷ ଏପ୍ରିଲ୍ ମାସରେ ରାଜ୍ୟସଭାର ଆଉ ତିନୋଟି ଆସନ ଖାଲି ପଡୁଥିବାରୁ କିଛି ପ୍ରମୁଖ ଆଶାୟୀଙ୍କୁ ମୁଖ୍ୟମନ୍ତ୍ରୀ ସେ ପର୍ଯ୍ୟନ୍ତ ଝୁଲାଇ ରଖିବେ । ରାଜ୍ୟସଭା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନଜରରେ ସବୁଠାରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ହୁଏତ ୬ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ସୁଯୋଗ ଦେବେ । ତେଣୁ ଏବେ ନହେଲେ ସେମାନଙ୍କୁ ଆର ପାଳିରେ ସୁଯୋଗ ମିଳିପାରେ ।