ଭୁୁବନେଶ୍ୱର: ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ପ୍ରଚାର ଆରମ୍ଭ ହୋଇଗଲାଣି । ରଣକୌଶଳ ଓ କର୍ମୀ ସମ୍ମିଳନୀରେ ବିଜେଡ଼ି ଆଗୁଆ ରହିଥିବା ବେଳେ ବିଜେପି ପ୍ରଚାର ଉପରେ ଗୁରୁତ୍ୱ ଦେଇଛି । ଭୁବନେଶ୍ୱରରେ ପାଇଥିବା ସଫଳତାକୁ ପାଟକୁରାରେ ଦୋହରାଇବା ପାଇଁ ଅପରାଜିତା ଷଡ଼ଙ୍ଗୀ ସେଠାକୁ ଯାଇ ପ୍ରଚାରର ମଙ୍ଗ ଧରିଲେଣି । ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହ ସେ ରୋଡ ସୋ ଆରମ୍ଭ କରିଛନ୍ତି । ଏପଟେ ଦିଲ୍ଲୀରୁ ଫେରିଲା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ କେନ୍ଦ୍ରାପଡ଼ା ମୁହାଁ ହୋଇଛନ୍ତି । ରଜଛୁଟି ସରିଲା ପରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଯାଇ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିଛନ୍ତି । ମନ୍ଦିର ଓ ଏହାର ପାରିପାଶ୍ୱିକ ଉନ୍ନତି ପାଇଁ ୨ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ କୌଣସି ସଭା ସମିତି କରି ନ ଥିଲେ ମଧ୍ୟ ପାଟକୁରା ନିର୍ବାଚନ ପାଇଁ ଏହାକୁ ପ୍ରଚାରର ଶୁଭାରମ୍ଭ ବୋଲି କୁହାଯାଉଛି ।
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଯାଇ ସ୍ନାନ ମଣ୍ଡପରେ ଠାକୁରମାନଙ୍କୁ ଦର୍ଶନ କରିଥିଲେ । ଏହି ଅବସରରରେ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ପୂଜକମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେଇ ୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ସେଥିରେ ଠାକୁରଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତ ସାହିଠାରେ ଶ୍ରୀ ବଳଦେବଜୀଉ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିରର ଉତ୍ତର ପାଶ୍ୱର୍ରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ ଓ ଗଭୀର ନଳକୂପ ଓ ଓଭରହେଡ଼ ଟ୍ୟାଙ୍କ ଜରିଆରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଗୁରୁତ୍ୱ ଦିଆଯାଉଛି । ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଫେରିଥିବା ମୁଖ୍ୟମନ୍ତ୍ରୀ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ଇତିମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଦଳୀୟ ନେତାମାନେ ପାଟକୁରାରେ ଡେରା ପକାଇଛନ୍ତି । ପଞ୍ଚାୟତସ୍ତରରୁ କର୍ମୀମାନଙ୍କୁ ଏକାଠି କରି ଯୁଦ୍ଧକ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ତିନି ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ ଏବଂ ସଞ୍ଚୟ ଦାସବର୍ମାଙ୍କ ଉପରେ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବି ଦାୟିତ୍ୱ ଦିଆଯାଇଛି ।
ସେପଟେ ବିଜୟ ମହାପାତ୍ର ନିଜ ସପକ୍ଷରେ ସମର୍ଥନ ଗୋଟାଇବା ପାଇଁ ଅକ୍ଲାନ୍ତ ଉଦ୍ୟମ କରୁଛନ୍ତି । ଦଳୀୟ ରଣନୀତି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଗତ ୧୪ ତାରିଖରେ ବିଜୟ ମହାପାତ୍ର ଓ ଅପରାଜିତା ଷଡ଼ଙ୍ଗୀଙ୍କ ମେଗା ରୋଡ୍ ସୋରେ ବୈଜୟନ୍ତଙ୍କୁ ଦେଖିବାକୁ ମିଳି ନ ଥିଲା । ଚର୍ଚ୍ଚା ହେଉଛି, କେନ୍ଦ୍ରାପଡ଼ାରୁ ହାରିଥିବା ବୈଜୟନ୍ତ ପାଟକୁରା ନିର୍ବାଚନ ଦୃଶ୍ୟପଟରୁ ଆଉଟ୍ ହୋଇଛନ୍ତି । ଅପରାଜିତା ଷଡ଼ଙ୍ଗୀ ଇନ୍ ହୋଇ ପ୍ରଚାରର ମଙ୍ଗ ଧରିଛନ୍ତି । ଭୁବନେଶ୍ୱରରେ ଜନସମ୍ପର୍କ ମାଧ୍ୟମରେ ପାଇଥିବା ସଫଳତାକୁ ସେ ପାଟକୁରାରେ କରି ଦେଖାଇବାକୁ ବାହାରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଦଳର କୌଶଳ ସ୍ପଷ୍ଟ ହୋଇଯିବ ।