ଭୁବନେଶ୍ୱର: ସଚିବାଳୟରେ ନିଯୁକ୍ତି ହେବାକୁ ଯାଉଛନ୍ତି ୫୦୦ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର(ଏଏସଓ) । ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ୫୦୦ ଜଣଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଞ୍ଜୁର କରିଛନ୍ତି । ଓପିଏସସି ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷା ଫଳ ଗତ ୭ ତାରିଖରେ ପ୍ରକାଶ ପାଇଥିଲା ।
ରାଜ୍ୟ ସଚିବାଳୟରେ ୫୦୦ ଏଏସଓ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ କୁହାଯାଇଥିଲା । ସାଧାରଣ ବର୍ଗର ୨୬୬, ଏସଇବିସି ବର୍ଗର ୮୭, ଏସସି ବର୍ଗର ୭୫ ଏବଂ ଏସଟି ବର୍ଗର ୭୨ର ପ୍ରାର୍ଥୀଙ୍କ ପାଇଁ ଏହି ପଦବୀ ଉଦ୍ଦିଷ୍ଟ ଥିଲା । ସେହି ଅନୁଯାୟୀ ଓପିଏସସି ଗତ ସେପ୍ଟେମ୍ବର ୨୦ ତାରିଖରେ ବିଜ୍ଞପ୍ତି ଜାରି କରି ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ୱାନ କରିଥିଲା । ୩ ଲକ୍ଷରୁ ଉଦ୍ଧ୍ୱର୍ ପ୍ରାର୍ଥୀ ଏଥିପାଇଁ ଆବେଦନ କରିଥିଲେ । ଗତ ଜାନୁଆରୀ ୨୦ ତାରିଖରେ ଅନୁଷ୍ଠିତ ଲିଖିତ ପରୀକ୍ଷାରେ ପ୍ରାୟ ୯୫୦ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ । ଶେଷ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରୁ ୫୦୦ ମେଧାବୀ ଯୋଗ୍ୟ ବିବେଚିତ ହୋଇଥିଲେ ।
ଏଏସଓ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନଙ୍କୁ ଖୁବ୍ ଶୀଘ୍ର ନିଯୁକ୍ତିପତ୍ର ଦିଆଯିବ । ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।