ଭୁବନେଶ୍ୱର: ବହି ଖାତା, କଲମ, ପେନସିଲ୍ ଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ, ସାବୁନ୍ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଲଦା ୨୫ ଟି ବସ୍ ବାହାରିଛି ଭୁବନେଶ୍ୱର ‘କିସ୍’ ରୁ । କିସ୍ ରେ ପାଠ ପଢ଼ୁଥିବା ରାଜ୍ୟର ବିଭିନ୍ନ ପ୍ରାନ୍ତରର ୩୦ ହଜାର ଗରିବ ଆଦିବାସୀ ପିଲାଙ୍କ ଘରେ ପହଞ୍ଚିବ ଜିନିଷ । କରୋନା ଲକ୍ ଡାଉନ୍ ରେ ଏବେ ସେମାନେ ନିଜ ନିଜ ଘରେ ଅଛନ୍ତି । ସବୁ ପିଲାଙ୍କ ଘର ଘର ବୁଲି ସେମାନଙ୍କ ପାଖରେ ନୂଆ ପାଠ୍ୟପୁସ୍ତକ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କର ଏହି ଅଭିନବ ପ୍ରଚେଷ୍ଟା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସବୁଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।
ଲକ୍ ଡାଉନ୍ ଯୋଗୁଁ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଚଳିତଶିକ୍ଷା ବର୍ଷ ପାଇଁ ପୂର୍ବ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟ ପୁସ୍ତକ ପାଇପାରି ନାହାନ୍ତି । କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଘରେ ପାଠ୍ୟ ପୁସ୍ତକ ଓ ସୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ଯୋଜନା କରିଥିଲେ । ଏଥିପାଇଁ କିସ୍ ପକ୍ଷରୁ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ, ଖାତା, କଲମ୍, ପେନ୍ସିଲ୍ ଆଦି ପାଠ୍ୟୋପକରଣ ସହ ଚୁଡ଼ା, ଚିନି, ଡାଲି, ବିସ୍କୁଟ୍ ଆଦି ସୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ୍ ଏବଂ ଯୋଗାଇ ଦିଆଯାଇଛି ।
ଏଥିପୂର୍ବରୁ ଲକ୍ ଡାଉନ୍ ସମୟରେ କିସ୍ର ଛାତ୍ରଛାତ୍ରୀ ଯେଭଳି ଶିକ୍ଷା ଠିକ୍ ଭାବେ ପାଇ ପାରିବେ ସେ ନେଇ ଅନ୍ଲାଇନ୍ ଓ ମୋବାଇଲ୍ ମାଧ୍ୟମରେ ଶିକ୍ଷାଦାନ ଅବ୍ୟାହତ ରହିଥିଲା ।






