ଭୁୁବନେଶ୍ୱର: ନିଜ ପରିବାରପୋଷଣ ପାଇଁ ୭ ଦିନ ତଳେ ୨୫ ହଜାର ଟଙ୍କା ଦେଇ ପୁରୁଣା ଅଟୋ ଖଣ୍ଡେ କିଣିଥିଲେ କନ୍ଧମାଳର ହାଡ଼ିବନ୍ଧୁ କହଁର । ମାତ୍ର ଟ୍ରାଫିକ୍ ନିୟମ ଭାଙ୍ଗିଥିବାରୁ ଆଜି ପୂରା ଫସିଯାଇଛନ୍ତି । ଅଟୋ ଦାମ୍ ର ଡବଲ୍ ଅର୍ଥ ଜରିମାନା ଦେବେ । କାରଣ ନୂଆ ମୋଟର ଯାନ ଆଇନରେ ପଡ଼ିଛନ୍ତି ସେ । ଭୁବନେଶ୍ୱରରେ ଅଟୋ ଚଳାଉଥିବା ବେଳେ ଆଠ ଆଠଟି ଟ୍ରାଫିକ୍ ନିୟମ ଭାଙ୍ଗିଛନ୍ତି । ଗତ ୧ ତାରିଖରୁ ସମଗ୍ର ଦେଶରେ ନୂଆ ମଟର ଯାନ ଆଇନ ଲାଗୁ ହେବା ପରେ ହାଡ଼ିବନ୍ଧୁଙ୍କ ଜରିମାନା ରାଶିକୁ ସର୍ବବୃହତ୍ତ ଗଣାଯାଉଛି ।
ଆଚାର୍ଯ୍ୟ ବିହାର ନିକଟରେ ଚେକିଂ ହାବୁଡ଼ରେ ପଡ଼ିଥିଲେ ହାଡ଼ିବନ୍ଧୁ । ମଦ ପିଇ ଗାଡ଼ି ଚଳାଉଥିଲେ । ଧରାପଡ଼ିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ତାଙ୍କର ଅବସ୍ଥା ହୋଇଥିଲା । ନା ଥିଲା ତାଙ୍କର ଡ୍ରାଇଭିଂ ଲାଇସେନସ୍ ନା ଗାଡ଼ିର କୌଣସି କାଗଜପତ୍ର । ଗୋଟି ଗୋଟି କରି ୮ଟି ଟ୍ରାଫିକ୍ ନିୟମ ଉଲ୍ଲଂଘନରେ ପଡ଼ିଥିଲେ । ଆଉ ସେଥିପାଇଁ ଜରିମାନା ବାବଦକୁ ଅର୍ଥ ପଡ଼ିଥିଲା ୪୭,୫୦୦ ଟଙ୍କା । କେଉଁ ନିୟମ ଉଲ୍ଲଂଘନ ପାଇଁ ହାଡ଼ିବନ୍ଧୁ କେତେ ଟଙ୍କାର ଜରିମାନା ପାଇଛନ୍ତି ନଜର ପକାଇ ଦିଅନ୍ତୁ ।
ସାଧାରଣ ନିୟମ ଖିଲାପ ପାଇଁ ୫୦୦, ଅଣ ଅଧିକୃତ ବ୍ୟକ୍ତି ଦ୍ୱାରା ଅଟୋ ଚାଳନା ପାଇଁ ୫ ହଜାର, ବିନା ଲାଇସେନସ୍ ରେ ଡ୍ରାଇଭିଂ ପାଇଁ ୫ ହଜାର, ମଦ ପିଇ ଡ୍ରାଇଭିଂ ପାଇଁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦ ହଜାର, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫ ହଜାର, ପରମିଟ୍ ସର୍ତ୍ତ ଖିଲାପ କରିଥିବାରୁ ୧୦ ହଜାର ଏବଂ ଗାଡ଼ିର ଇନସ୍ୟୁରାନସ୍ ନ ଥିବାରୁ ୨ ହଜାର ଟଙ୍କା ।
ହାଡ଼ିବନ୍ଧୁ ମଦ ପିଇଥିବା ପୁଲିସ ଓ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । କହିଛନ୍ତି, ସାଙ୍ଗମାନେ ଡାକି ମଦ ପିଆଇଦେଲେ । ନିଜ ଡ୍ରାଇଭିଂ ଲାଇସେନସ୍ ଓ ଅଟୋର କାଗଜପତ୍ର କାଇଁ ବୋଲି ପଚାରିବାରୁ ତାଙ୍କର ଉତ୍ତର ଥିଲା ଆଜ୍ଞା ସବୁ ଅଛି ହେଲେ ଘରେ ରହିଯାଇଛି । ସୁତରାଂ ଭୁବନେଶ୍ୱରରେ ଅଟୋ ଚଳାଉଥିବା ହାଡ଼ିବନ୍ଧୁ ନିଜ ପାଖରେ ଡ୍ରାଇଭିଂ ଲାଇସେନସ୍ ରଖି ନ ଥିଲେ କି ଅଟୋର କାଗଜପତ୍ର ରଖି ନ ଥିଲେ । ୪୭,୫୦୦ ଟଙ୍କା ଜରିମାନା କେମିତି ଦେବେ ବୋଲି ପଚାରିବାରୁ ସେ ମନା କରିଦେଇଛନ୍ତି । କୋଉଠୁ ଆଣିବି ଆଜ୍ଞା । ୭ ଦିନ ତଳେ ୨୫ ହଜାର ଟଙ୍କା ଦେଇ ଏହି ଅଟୋ କିଣିଛି । ଏବେ ଏତେ ଟଙ୍କାର ଫାଇନ୍ ଯୋଗାଡ଼ କରିପାରିବିନି । ଯାହା ଦଣ୍ଡ ଦେବା କଥା ଦିଅନ୍ତୁ ବୋଲି କହିଛନ୍ତି ।
ସେପଟେ ପରିବହନ ଅଧିକାରୀମାନେ ତାଙ୍କ ଉପରେ ୪୭,୫୦୦ ଟଙ୍କାର ଫାଇନ୍ କାଟିିଛନ୍ତି । ଆଇନ ଅନୁଯାୟୀ ଗରିବ ହାଡ଼ିବନ୍ଧୁ ଏହା ଦେବାକୁ ବାଧ୍ୟ । ହାଡ଼ିବନ୍ଧୁଙ୍କ ଦୁଃଖ ସେତିକିରେ ସରିନାହିଁ । ପୁଲିସ ବି ତାଙ୍କ ଉପରେ କୁଆଡ଼େ ୫ ହଜାର ଟଙ୍କା ଫାଇନ୍ ପକାଇଛି । ଅତଏବ ସବୁ ଜରିମାନା ମିଶିଲେ ହାଡ଼ିବନ୍ଧୁ ସରକାରଙ୍କୁ ଦେବେ ଅଧଲକ୍ଷ ଉପରେ ଟଙ୍କା ।