ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଲଗାତର ଚତୁର୍ଥ ଦିନ ପାଇଁ ଦୈନିକ ୪୫୦ ଉପରେ ବାହାରୁଛନ୍ତି ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୪ ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ ପଜିଟିଭ୍ । ସେଥିମଧ୍ୟରୁ ୧୪୭ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟସ୍ ବା ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ । ଗଞ୍ଜାମ ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ଜଣେ ୭୭ ବର୍ଷୀୟ କରୋନା ଆକ୍ରାନ୍ତ ହସ୍ପିଟାଲ୍ ରେ ଆଖି ବୁଜିଛନ୍ତି । ସେପଟେ ଯାଜପୁରର ଜଣେ ୬୪ ବର୍ଷୀୟ ଆକ୍ରାନ୍ତଙ୍କୁ ମଧ୍ୟ କରୋନା ନେଇଯାଇଛି । ଗଞ୍ଜାମ ଜିଲ୍ଲାରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିଲା ବେଳେ ଯାଜପୁର ଜିଲ୍ଲାର ଏହା ପ୍ରଥମ କରୋନା ମୃତ୍ୟୁ ।
ଆହୁରି ଉଦବେଗର କଥା ହେଉଛି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ ଏବଂ ଏସସିସି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ପରେ କଟକ ଶିଶୁ ଭବନରେ ପଶିଲାଣି କରୋନା । ସେଠାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ କୋକୁଆ ଭୟ ସୃଷ୍ଟି ହୋଇଛି । ଶିଶୁ ଭବନ ଆଉଟଡୋର୍ କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଜରୁରୀ ନ ଥିଲେ ଶିଶୁ ଭବନ କେହି ନ ଆସିବାକୁ ଅଧୀକ୍ଷକ ଡାକ୍ତର ସରୋଜ ଶତପଥୀ ପରାମର୍ଶ ଦେଇଛନ୍ତି ।
ଆଜି କେଉଁ ଜିଲ୍ଲାରୁ କେତେ ପଜିଟିଭ୍
ଅନୁଗୁଳ-୧, ବାଲେଶ୍ୱର-୧୪, ବରଗଡ଼-୩୩, ଭଦ୍ରକ-୧୨, ବଲାଙ୍ଗୀର-୬, କଟକ-୧୩, ଢ଼େଙ୍କାନାଳ-୧, ଗଜପତି-୧, ଗଞ୍ଜାମ-୧୬୬, ଜଗତସିଂହପୁର-୨୩, ଯାଜପୁର-୫୭, କଳାହାଣ୍ଡି-୧, କନ୍ଧମାଳ-୩, କେନ୍ଦ୍ରାପଡ଼ା-୫, କେନ୍ଦୁଝର-୨, ଖୋର୍ଦ୍ଧା-୨୧, କୋରାପୁଟ-୧୦, ମୟୁରଭଞ୍ଜ-୮, ନବରଙ୍ଗପୁର-୨୪, ନୟାଗଡ଼-୪, ପୁରୀ-୩, ରାୟଗଡ଼ା-୧୩, ସମ୍ବଲପୁର-୧୫, ସୁନ୍ଦରଗଡ଼-୨୦ ।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ ରେ ପହଞ୍ଚିଛି । ୨୪ ଘଣ୍ଟାରେ ଆଉ ୨୯୦ ସୁସ୍ଥ ହୋଇଥିବାରୁ ଏ ପର୍ଯ୍ୟନ୍ତ ୬୨୨୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏବେ ଆକ୍ଟିଭ୍ କେସ୍ ଅଛନ୍ତି ୩୨୫୪ ।
ଇତିମଧ୍ୟରେ କୋଭିଡ୍ ଟେଷ୍ଟରେ ଭୁବନେଶ୍ୱର ଆରଏମଆରସି ୧ ଲକ୍ଷ ସଂଖ୍ୟା ପାର୍ କରିଛି । ଟେଷ୍ଟିଂରେ ଦେଶର ପ୍ରମୁଖ ତିନୋଟି ଲାବ୍ ମଧ୍ୟରେ ଆରଏମଆରସି ସ୍ଥାନ ପାଇଛି । ଆରଏମଆରସିର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।