ଭୁବନେଶ୍ୱର: ତ୍ୟାଗ, ସଂଯମ ଓ ଶୃଙ୍ଖଳା ରହିଲେ ସବୁ ସମ୍ଭବ । ଯାହା ପୁରୀରେ ଦେଖିବାକୁ ମିଳିଲା । କୋଭିଡ୍ ଗାଇଡଲାଇନ୍ ମାନି କିଭଳି କାମ କରିବାକୁ ହେବ ମହାପ୍ରଭୁ ନିଜେ ବାହାରକୁ ଆସି ବାଟ ଦେଖାଇଲେ । ଅତଏବ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ହିଁ କୋଭିଡ୍ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ । ଆଜି ସଂଧ୍ୟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା ଆମେ ଏଠାରେ ଅବିକଳ ଉପସ୍ଥାପନ କରୁଛୁ ।
ଚଳିତବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି। ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତନୀତି ସୁରୁଖୁରୁରେ ଶେଷ ହୋଇଛି। ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରଜ୍ୟ ସରକାରଙ୍କର ସବୁ ବିଭାଗକୁ ତଥା ସର୍ବୋପରି ପୁରୀ ଜନସାଧାରଣଙ୍କୁ ଏବଂ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି।
ରଥଯାତ୍ରା ପୂର୍ବଦିନ ମୁଁ କହିଥିଲି ଯେ ସାରା ବିଶ୍ବ ଆମ ଉପରେ ନଜର ରଖିଛି। ଆମେ କୋଭିଡ ସମୟରେ କିପରି ମହାପ୍ରଭୁଙ୍କ ଯାତ୍ରା,ନିୟମ ମାନି କରୁଛୁ ତା ଉପରେ ସାରାବିଶ୍ବ ନଜର ରଖିଥିଲା। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ସଫଳ ହୋଇଛୁ। ଶୃଙ୍ଖଳାରସହ କାମ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛୁ। ମହାପ୍ରଭୁ ୪ ଦିନ ବଡଦାଣ୍ଡରେ ରହିଲେ। କିନ୍ତୁ ପୁରୀର ଜନସାଧାରଣ କୋଭିଡ ଗାଇଡଲାଇନ ମାନି, କେହି ଜଣେ ବି ରାସ୍ତାକୁ ଆସି ନ ଥିଲେ। ସମସ୍ତେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ଯାତ୍ରା ଦେଖିଲେ। ପୁରୀ ବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସେମାନଙ୍କ ତ୍ୟାଗର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ କରିଥାଏ।
ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି। କୋଭିଡ ଗାଇଡଲାଇନ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ତେଣୁ କୋଭିଡ ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣେଇବାକୁ ହେବ। ଏ ତିନୋଟି ଅସ୍ତ୍ର ହିଁ କୋଭିଡ ଯୁଦ୍ଧରେ ଆମକୁ ବିଜୟ ଆଣିଦେବ।
ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି। କୋଭିଡ୍ ପାଇଁ ଟୀକା ନ ବାହାରିବା ପର୍ୟ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ ।
ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ।
ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ। ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ।
ସାମାଜିକ ଦୂରତା ରକ୍ଷା କରନ୍ତୁ। ବାରମ୍ବାର ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ। ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ।
ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ଯୁବ ସମାଜକୁ ମୋର ବିଶେଷ ଅନୁରୋଧ ସେମାନେ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ। ଆପଣ ସଂକ୍ରମିତ ହେଲେ ଆପଣଙ୍କର ବାପା, ମାଆ, ପରିବାର, ପିଲାମାନଙ୍କ ସଂକ୍ରମଣ ଆଶଙ୍କା ବଢିବ। ତେଣୁ କେବେବି ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ।
ଜୟ ଜଗନ୍ନାଥ।