ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସ ଆଉ ନାହାନ୍ତି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଗତ ୨୨ ତାରିଖରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ବହୁତ ଗୁରୁତର ଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ସଂଧ୍ୟା ୭.୫୦ ମିନିଟ୍ ରେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ବିଷ୍ଣୁଙ୍କ ବିୟୋଗରେ ସବୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ରାଜ୍ୟ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକଙ୍କୁ ହରାଇଲା ବୋଲି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି ।
୧୯୫୪ ଅକ୍ଟୋବର ୯ ରେ ଜନ୍ମିତ ବିଷ୍ଣୁ ଦାସ ଛାତ୍ର ଜୀବନରୁ ସକ୍ରିୟ ରାଜନୀତିରେ ସଂଶ୍ଲିଷ୍ଟ ହୋଇଥିଲେ । ୧୯୯୦ ମସିହାରେ ଜନତା ଦଳ ଟିକେଟରେ ଜଗତସିଂହପୁର ବିଧାନସଭା ଆସନରୁ ପ୍ରଥମ ଥର ନିର୍ବାଚନ ଜିତିଥିଲେ । ୨୦୦୯ ଯାଏ କ୍ରମାଗତ ୫ ଥର ଏହି ଆସନରୁ ଜିତିଥିଲେ । ୨୦୦୪ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୬ ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଷ୍ଣୁ । ବର୍ଷେ ପରେ ରାଜ୍ୟସଭା ଆସନ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲେ ମଧ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ଆସନରୁ ବିଜୟୀ ହୋଇଥିଲେ ସେ ।
ଜଣେ ଦକ୍ଷ ସଂଗଠକ ଭାବେ ଦଳରେ ବିଷ୍ଣୁ ଦାସଙ୍କ ଯଥେଷ୍ଟ ପ୍ରତିପତ୍ତି ଥିଲା । ନିଜ ଅଞ୍ଚଳରେ ତାଙ୍କର ବେଶ୍ ଲୋକପ୍ରିୟତା ଥିଲା । ତାଙ୍କ ନିଧନ ଜଗତସିଂହପୁର ଜିଲ୍ଲା ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଷ୍ଣୁଙ୍କ ବିୟୋଗରେ ସବୁ ଦଳର ରାଜନୈତିକ ନେତୃବର୍ଗ, ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।