ଯାଜପୁର: ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ୫୬ ନଂ କରୋନା ଆକ୍ରାନ୍ତଙ୍କ ଘର ଯାଜପୁର ଜିଲ୍ଲାରେ । ଯାଜପୁରର ଏହା ଦ୍ୱିତୀୟ ପଜିଟିଭ୍ କେସ୍ । ଜିଲ୍ଲାପାଳ ଆଜି ଏହି ନୂଆ ଆକ୍ରାନ୍ତଙ୍କ ଟ୍ରାଭେଲ୍ ବିବରଣୀ ଦେଇଛନ୍ତି ।
ସଂପୃକ୍ତ ବ୍ୟକ୍ତିଙ୍କ ବୟସ ୬୬ ବର୍ଷ । ମାର୍ଚ୍ଚ ୨୮ ତାରିଖରେ କୋଲକତାରୁ ଫେରିଥିଲେ । କୋଲକତା ବାବୁଘାଟରୁ ଏକ ଭ୍ୟାନ୍ ରେ ପାଣିକୋଇଲି ଆସିଥିଲେ । ପାଣିକୋଇଲିରୁ ଏକ ମାଛ ଗାଡ଼ିରେ ନିଜ ଗାଁକୁ ଫେରିଥିଲେ । ତେବେ ସେହି ଗାଡ଼ିଗୁଡ଼ିକର ନମ୍ବର ତାଙ୍କୁ ଜଣା ନାହିଁ । କୋଲକତାରୁ ଫେରି ସଂପୃକ୍ତ ବ୍ୟକ୍ତି ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ତାଙ୍କର ସାମ୍ପଲ୍ ଟେଷ୍ଟ ପାଇଁ ଯାଇଥିଲା । ଗତକାଲି ରିପୋର୍ଟ ପଜିଟିଭ୍ ଆସିଛି । ଚିକିତ୍ସା ପାଇଁ ତାଙ୍କୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି ।
ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ଚାଲିଛି । ଯାଜପୁର ବ୍ଲକ୍ ଜାଫରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନତ୍ରିଲୋଚନପୁର ଓ ସଇପରୁର ଆଶିଂକ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ୭ ଦିନ ପାଇଁ ଏହା ଲାଗୁ ରହିବ । ପ୍ରାଥମିକ ଅନୁଧ୍ୟାନରୁ ସଂପୃକ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ଅଧିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ନ ଥିବାରୁ କଣ୍ଟେନମେଣ୍ଟ ଛୋଟ ରହିଥିବା ଜିଲ୍ଲାପାଳ କହିଛନ୍ତି ।