ଭୁବନେଶ୍ୱର: ୫-ଟି ଆଧାରରେ କାମ କଲେ ସରକାରୀ ବାବୁଙ୍କୁ ଭଲ ସିସିଆର ମିଳିବ । ନ କଲେ ସିସିଆର୍ ଖରାପ ହୋଇଯିବ । ପଦୋନ୍ନତି କି ଅନ୍ୟାନ୍ୟ ସୁବିଧା ସୁଯୋଗ ହରାଇବେ । ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟ ପାଇଁ ବାବୁ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏହି ମାପକାଠି ରଖିଛନ୍ତି ।
୫-ଟି ଚାର୍ଟର ଏବଂ ‘ମୋ ସରକାର’ କାର୍ଯ୍ୟକାରିତାରେ ଆନୁଆଲ୍ ପରଫମମାନସ ଆପ୍ରେଜାରଲ୍ ରିପୋର୍ଟ(ପିଏଆର) ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ଅଧୀନସ୍ଥ ସମସ୍ତ ବାବୁ ଓ କର୍ମଚାରୀଙ୍କ ସମେତ ଆଇଏଏସ୍ ଏବଂ ଆଇପିଏସ୍ ଭଳି ସର୍ବଭାରତୀୟ ଅଫିସରଙ୍କ ପାଇଁ ଏହା ଲାଗୁ କରାଯାଇଛି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର କମ୍ ସଚିବ, ବିଭାଗୀୟ ମୁଖ୍ୟ, ଆରଡ଼ିସି, ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ୫-ଟି କାର୍ଯ୍ୟକ୍ରମ ପାଇଁ ୧୦ରୁ ୨ ପଏଣ୍ଟ ରଖାଯାଇଛି । ସେଥିମଧ୍ୟରୁ ବିଭାଗୀୟ ୫-ଟି ଚାର୍ଟର ପାଇଁ ୧ ପଏଣ୍ଟ, ସରକାରଙ୍କ ୫-ଟି ଚାର୍ଟର ପାଇଁ ୦.୫ ପଏଣ୍ଟ ଏବଂ ‘ମୋ ସରକାର’ ପାଇଁ ୦.୫ ପଏଣ୍ଟ(ମୂଲ୍ୟ) ବ୍ୟବସ୍ଥା ରହିଛି ।
ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ସମୁଦାୟ ୨୦ ୱେଟେଜ୍ ମଧ୍ୟରୁ ବିଭାଗୀୟ ୫-ଟି ଚାର୍ଟର ପାଇଁ ୧୦ %, ସରକାରଙ୍କ ୫-ଟି ଚାର୍ଟର ପାଇଁ ୫% ଏବଂ ‘ମୋ ସରକାର’ ପାଇଁ ୫ % ୱେଟେଜ୍ ରଖାଯାଇଛି ।
ସୂଚନାଯୋଗ୍ୟ, ୫-ଟି କାର୍ଯ୍ୟକାରିତାରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ଦକ୍ଷତାକୁ ୨୦ ପ୍ରତିଶତ ୱେଟେଜ୍ ଦେବାକୁ ପୂର୍ବରୁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି ।