ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିଂ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ୬ଟି ବୁଥ୍ ରେ ମତଦାନ ହୋଇପାରିନାହିଁ । ସୁନ୍ଦରଗଡ, ନୟାଗଡ଼, ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇଟି ଲେଖାଏଁ ବୁଥ୍ ରେ ଏହା ଘଟିଛି । ଏହି ବୁଥ୍ ଗୁଡ଼ିକରେ ସାନି ମତଦାନ ହେବ ।
ସବୁଠାରୁ ବଡ଼ ଘଟଣା ଘଟିଛି ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ । ରେଣ୍ଟି ଗାଁର ୧୮୨ ନଂ ବୁଥ୍ ରେ ଇଭିଏମ୍ ଭଙ୍ଗାରୁଜା କରିଛନ୍ତି ନିଜେ ବିଜେପି ପ୍ରାର୍ଥୀ ନୀଳମଣି ବିଶୋୟୀ । ଏହି ଘଟଣାରେ ପୁଲିସ ତାଙ୍କୁ ଥାନାକୁ ଆଣି ଅଟକ ରଖିଛି । ତେବେ ପୁଲିସ ଆଗରେ ଶ୍ରୀ ବିଶୋୟୀ ବିଜେଡ଼ି ଉପରେ ଦୋଷ ଲଦି ଖସିଯିବାକୁ ଚେଷ୍ଟା କରିଛନ୍ତି । ସେ ନୁହଁନ୍ତି, ବିଜେଡ଼ି କର୍ମୀମାନେ ତାଙ୍କୁ ଠେଲାପେଲା କରି ଇଭିଏମ୍ ଭାଙ୍ଗିଥିବା ସଫେଇ ଦେଇଛନ୍ତି ।