ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନର ଦ୍ୱିତୀୟ ପେଡ଼ି ଖୋଲିଛନ୍ତିି ଅର୍ଥମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ । ଏଥିରେ ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଉଠାଦୋକାନୀଙ୍କ ପାଇଁ ବ୍ୟବସ୍ଥା ରହିଛି ।
ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା ୨ ମାସ ଯାଏ ମାଗଣା ରାସନ୍ ଯୋଗାଇ ଦିଆଯିବ । ମୁଣ୍ଡପିଛା ସେମାନଙ୍କୁ ମିଳିବ ୫ କେଜି ଚାଉଳ କିମ୍ବା ଗହମ ଏବଂ କେଜିଏ ଡାଲି । ରାଜ୍ୟମାନଙ୍କ ହାତରେ ଏହାର ବଣ୍ଟନ ଦାୟିତ୍ୱ ଦିଆଯାଇଛି । ତେବେ ଏ ବାବଦ ସମସ୍ତ ଖର୍ଚ୍ଚ ୩୫୦୦ କୋଟି ଟଙ୍କା କେନ୍ଦ୍ର ସରକାର ଦେବେ । ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକ ଏଥିରୁ ଉପକୃତ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେହିପରି ‘ଏକ ଦେଶ- ଏକ ରାସନ କାର୍ଡ’ ଲାଗୁ ସମ୍ପର୍କରେ ଘୋଷଣା କରିଛନ୍ତି ସୀତାରମଣ । ଏହି ବ୍ୟବସ୍ଥାରେ ଦେଶର ଯେ କୌଣସି ରାସନ ଡିପୋରୁ ଉପଭୋକ୍ତା ଜିନିଷ ନେଇପାରିବେ । ତେଣୁ ପ୍ରବାସୀ ଶ୍ରମିକମାନେ ସରକାରୀ ରାସନ୍ ପାଇବାରୁ ଆଉ ବଞ୍ଚିତ ହେବେ ନାହିଁ । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ୨୩ଟି ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ଲାଗୁ ହୋଇଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ପ୍ରବାସୀମାନେ ଏବେ ସଂପୃକ୍ତ ରାଜ୍ୟରୁ ରାସନ୍ ସାମଗ୍ରୀ ପାଇପାରିବେ ।
ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟରେ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ମନରେଗାରେ ୧୪.୬୨ କୋଟି ଅଧିକ ମାନବ ଦିବସ ସୃଷ୍ଟି କରାଯାଇ ସେମାନଙ୍କୁ କାମ ଦିଆଯିବ । ରାଜ୍ୟ ସରକାର ଏହି କାମ ଦେବେ । ୨୦୨ ଟଙ୍କା ମଜୁରୀରେ ସେମାନଙ୍କୁ କାମ ମିଳିବ ।
ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଘରଭଡ଼ା ଯୋଜନା ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁୁଲଭ ଦରରେ ଏହା ଯୋଗାଇ ଦିଆଯିବ । ୧୫ ହଜାରରୁ କମ୍ ଋଣ ଥିବା ଲୋକଙ୍କୁ ୨% ସୁଧ ଛାଡ଼ କରାଯିବ ।
ମୁଦ୍ରା ଶିଶୁ ଯୋଜନା ଅଧିନରେ ଥିବା ଋଣଗ୍ରହୀତାଙ୍କୁ ସୁବିଧା ମିଳିବ । ୩ କୋଟି ଋଣ ଗ୍ରହୀତାଙ୍କୁ ୧୫୦୦ କୋଟିର ରିହାତି ମିଳିବ ।
ଉଠାଦୋକାନୀଙ୍କ ପାଇଁ ୫ ହଜାର କୋଟିର ଆର୍ଥିକ ସୁବିଧା କରାଯାଇଛି । ସେମାନଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ । ଦେଶର ପ୍ରାୟ ୫୦ ଲକ୍ଷ ଉଠା ଦୋକାନୀ ଏଥିରେ ଲାଭବାନ ହେବେ ।
କୃଷି ଋଣ ପରିଶୋଧ ଅବଧିକୁ ମେ ୩୧ କୁ ବୃଦ୍ଧି କରାଯାଇଛି । ୩ କୋଟି ଚାଷୀଙ୍କୁ ୪.୨ ଲକ୍ଷ କୋଟିର ଋଣ ଯୋଗାଇ ଦିଆଯାଉଛି । ମାର୍ଚ୍ଚ ଓ ଏପ୍ରିଲ୍ ରେ ୬୩ ଲକ୍ଷ ଚାଷୀଙ୍କୁ ୮୬,୬୦୦ କୋଟି ଋଣ ଦିଆଯାଇଛି ।୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟିର ଋଣ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସହରାଞ୍ଚଳ ଗରିବ, ପ୍ରବାସୀ ଶ୍ରମିକଙ୍କ ପାଇଁ ଏସଡିଆରଏଫ ପାଣ୍ଠି ଖର୍ଚ୍ଚ କରିବେ ରାଜ୍ୟ ସରକାର । ବର୍ତ୍ତମାନ ଏସଡିଆରଏଫରେ ସହରାଞ୍ଚଳ ଗୃହହୀନ ଗରିବଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି । ସେମାନଙ୍କୁ ଦୈନିକ ୩ ଓଳି ଖାଇବାକୁ ଦିଆଯାଉଛି । ସହରାଞ୍ଚଳ ଗରିବଙ୍କ ପାଇଁ ୭୨୦୦ ନୂଆ ଏସଏଚଜି ସୃଷ୍ଟି କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ମଧ୍ୟବିତ୍ତଙ୍କୁ ଗୃହ ନିର୍ମାଣ ସୁବିଧା ପାଇଁ କ୍ରେଡିଟ୍ ଲିଙ୍କ୍ ସବସିଡି ଅବଧି ବୃଦ୍ଧି କରାଯାଇଛି । ଆଦିବାସୀଙ୍କୁ କାମ ଦେବାକୁ କାମ୍ପା ପାଣ୍ଠିରୁ ୬ ହଜାର କୋଟି ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।