ଭୁବନେଶ୍ୱର: ଚଳିତ ବନ୍ୟାରେ ରାଜ୍ୟର ୬ଟି ଜିଲ୍ଲାର ୭୪ ବ୍ଲକ୍ ପ୍ରଭାବିତ ହୋଇଛି । ସେଥିରେ ୯ ଲକ୍ଷ ୪୦ ହଜାର ଲୋକ ବିପନ୍ନ ହୋଇଛନ୍ତି । ଆଜି ଲୋକସେବା ଭବନରେ ବନ୍ୟା ସ୍ଥିତିର ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ବନ୍ୟା ବିପନ୍ନଙ୍କ ପାଇଁ ହଜାରେ କୋଟି ଟଙ୍କାର ୧୦ ସୂତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଅଧିକ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୩୩% କିମ୍ବା ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ଦିଆଯିବ । ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ଏହି ଆର୍ଥିକ ସହାୟତା ମିଳିବ । ଅଣସେଚିତ ଜମି ପାଇଁ ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ମିଳିବ । ୧୨ ମାସୀ ଫସଲ କ୍ଷତି ହୋଇଥିଲେ ମିଳିବ ୨୨,୫୦୦ ଟଙ୍କା । ବନ୍ୟା ପରବର୍ତ୍ତୀ ରୋଗ ପୋକ ପାଇଁ ୭୫% ସବସିଡି ମିଳିବ । କ୍ଷତିଗ୍ରସ୍ତ ଉଠା ଜଳସେଚନ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେବ । ପ୍ରାଣୀ ସମ୍ପଦ କ୍ଷତି ପାଇଁ ସହାୟତା ମିଳିବ । ପୋଖରୀ, ଡଙ୍ଗା ଓ ଜାଲ ନଷ୍ଟ ହୋଇଥିଲେ ଆର୍ଥିକ ସହାୟତା ମିଳିବ । ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ କୃଷି ଋଣରେ ପରିବର୍ତ୍ତନ କରାଯିବ । ହସ୍ତଶିଳ୍ପ କ୍ଷତିଗ୍ରସ୍ତ ପାଇଁ ୫ ହଜାର ସହାୟତା ଦିଆଯିବ ।
ବନ୍ୟାଞ୍ଚଳରେ ଗ୍ରାଉଣ୍ଡ ସର୍ଭେର ଗୁରୁତ୍ୱ ଅଧିକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ସେହି କାରଣରୁ ଗତକାଲି ସେ ଯାଜପୁର ଓ ଭଦ୍ରକ ବନ୍ୟା ପ୍ରଭାବିତ ଅଞ୍ଚଳକୁ ନିଜେ ଯାଇ ସ୍ଥିତି ପରଖିଥିଲେ । କ୍ଷୟକ୍ଷତିର ବାସ୍ତବ ଆକଳନ କରି ପ୍ରଭାବିତ ଲୋକଙ୍କୁ ତ୍ୱରିତ ସହାୟତା ଯୋଗାଇ ଦିଆଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ରିଲିଫ୍ ଯୋଗାଣ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
୨୫ ବର୍ଷରେ ରେକର୍ଡ ବର୍ଷା
ଚଳିତବର୍ଷର ବର୍ଷା ୨୫ ବର୍ଷର ରେକର୍ଡ ଭାଙ୍ଗିଛି । ଗତ ୨୫ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ହୋଇ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବନ୍ୟାର କାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଜୁନ୍, ଜୁଲାଇ, ଅଗଷ୍ଟ ଏହି ତିନି ମାସ ମଧ୍ୟରେ ୧୧୦୦ ମିଲିଲିଟରରୁ ଅଧିକ ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ପରିମାଣରୁ ଏହା ୩୪% ଅଧିକ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଓ ଯାଜପୁର ସହିତ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟାସ୍ଥିତି ଉପୁଜିଛି । ଏହି ଜିଲ୍ଲା ଗୁଡ଼ିକର ୭୪ଟି ବ୍ଲକର ୧୩୮୧ଟି ଗାଁ’ର ୯.୪୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩.୭୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ୫୫୦ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ୬ ଟି ଜିଲ୍ଲାରେ ସମୁଦାୟ ୪୫ଟି ଓଡ୍ରାଫ୍, ୮ଟି ଏନଡିଆରଏଫ୍ ଏବଂ ୬୫ଟି ଅଗ୍ନଶମ ସେବା ଦଳ ନିୟୋଜିତ ହୋଇଛନ୍ତି ।
କେବଳ ପ୍ରଚାର: ବିଜେଡି
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଲୋକଙ୍କ ସୁବିଧା ପାଇଁ କମ୍, ନିଜ ପ୍ରଚାର ପାଇଁ ବେଶୀ ବୋଲି ବିଜେଡି କହିଛି । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇବାରେ ଓ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କ୍ଷେତ୍ରରେ ବିଫଳ ହେବା ପରେ କେବଳ ନିଜ ପ୍ରଚାର ଲକ୍ଷ୍ୟରେ ବନ୍ୟାଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ବନ୍ୟା ପ୍ରଭାବିତ ଲୋକଙ୍କ କଟା ଘାରେ ଚୂନ ସଦୃଶ୍ୟ ହୋଇଛି ବୋଲି ବିଜେଡି କହିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି ଯେ ଯେତେବେଳେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ଜଳ ପଶିଯିବାରୁ ଲୋକେ ହନ୍ତସନ୍ତ ହେଉଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଭୋଜିଭାତରେ ମାତିଥଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ ବା ରନ୍ଧା ଖାଦ୍ୟ ପହଞ୍ଚିପାରି ନଥିଲା । ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ନିହାତି ଆବଶ୍ୟକ ପଲିଥିନ ଖଣ୍ଡେ ମଧ୍ୟ ଠିକ୍ ଭାବେ ପହଞ୍ଚିପାରି ନଥିଲା । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲୋକଙ୍କ ସୁବିଧା ପାଇଁ କମ୍ ନିଜ ରାଜନୀତି ପାଇଁ ଅଧିକ ଥିଲା ବୋଲି ସ୍ପଷ୍ଟ ହୋଇଛି ।
ଯାଜପୁର ଜିଲ୍ଲା ଗସ୍ତ ସମୟରେ ବିଜେଡି ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ଶ୍ରୀମତୀ ସୁଜାତା ସାହୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅପେକ୍ଷାରେ ଥିଲେ ସୁଦ୍ଧା ସେମାନଙ୍କୁ ଛାଡି ବିଜେପି ନେତାଙ୍କୁ ଧରି ସେହି ଅଞ୍ଚଳ ଗସ୍ତ କରିବା କେବଳ ରାଜନୀତି ଛଡା ଆଉ କିଛି ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତରେ, ବନ୍ୟା ପ୍ରଭାବିତ ଲୋକଙ୍କ ସହିତ କମ୍ ସମୟ ଦେଇଥିବା ବେଳେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଧିକ ସମୟ ଯାଇଥିଲା । ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୋଟରସାଇକେଲ ଚଳାଉଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପଛରେ ବସି ବନ୍ୟାଞ୍ଚଳ ପରିଦର୍ଶନରେ ଯାଉଥିବା ଦୃଶ୍ୟ କେବଳ ସାମାଜିକ ଗଣମାଧ୍ୟମରେ ରିଲ ପାଇଁ ଉଦ୍ଦିଷ୍ଟ ଥିଲା । ସମୁଦାୟ ଭାବରେ ଦେଖିବାକୁ ଗଲେ ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବିଜେଡି ମୁଖପାତ୍ର କହିଛନ୍ତି ।