ଭୁବନେଶ୍ୱର: ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ଗୋଟିଏ ଦିନରେ ୬୧୩୧ ଜଣ ଶିକ୍ଷକକୁ ନିଯୁକ୍ତି ଦିଆଯାଇଥିଲା ।
ଶିକ୍ଷକତା ପାଇଁ ଆବଶ୍ୟକ ସଂଖ୍ୟକ ପ୍ରାର୍ଥୀ ମିଳୁ ନ ଥିବାରୁ ଯେପରି ଅଧିକ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରିପାରିବେ ତାକୁ ଦୃଷ୍ଟିରେ ରଖି ପରୀକ୍ଷା ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରାଯାଇଛି। ଏହାସହିତ ବର୍ଦ୍ଧିତ ଛାତ୍ରଛାତ୍ରୀ ସଂଖ୍ୟା ଦୃଷ୍ଟିରୁ ଅଧିକ ୩୪୬୨ଟି ଶିକ୍ଷକ ପଦବୀ ମଧ୍ୟ ମଂଜୁର କରାଯାଇଛି। ଏବେ ଖାଲି ପଦବୀ ତଥା ନୂତନ ମଂଜୁରୀପ୍ରାପ୍ତ ପଦବୀକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅପ୍ରେଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରି ବିଦ୍ୟାଳୟ ମାନଙ୍କରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।